ETV Bharat / state

ଯୁବ ଚାଷୀନେତ୍ରୀଙ୍କ ନିଆରା ପ୍ରଚାର; ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଆର୍ଥିକ ସହଯୋଗ ମାଗୁଛନ୍ତି - Sonali Bishi Campaigning

author img

By ETV Bharat Odisha Team

Published : May 1, 2024, 10:35 PM IST

Sonali Bishi Campaigning
Sonali Bishi Campaigning

Sonali Bishi Campaigning: ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁରୁଖାଙ୍କୁ ମାତ ଦେବାକୁ ବାହାରିଛନ୍ତି ଯୁବ ଚାଷୀନେତ୍ରୀ ସୋନାଲି ବିଶି । ଘର ଘର ବୁଲି ଚାଷୀଙ୍କ ସମସ୍ୟା ବୁଝିବା ସହ ନିର୍ବାଚନୀ ଖର୍ଚ୍ଚ ପାଇଁ ଆଣୁଛନ୍ତି ଆର୍ଥିକ ସହାୟତା । ଅଧିକ ପଢ଼ନ୍ତୁ

Sonali Bishi Campaigning

ସୁବର୍ଣ୍ଣପୁର: ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଜୋର ଧରିଛି । ବିଜେଡି, ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି ଆଦି ରାଜନୈତିକ ଦଳର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଏହି ବେଳାରେ ଏମାନଙ୍କୁ ମାତ ଦେବା ପାଇଁ ଚାଷୀ ନେତ୍ରୀ ତଥା କୋଶଳବାଦୀ ନେତ୍ରୀ ମୈଦାନକୁ ଓହ୍ଲାଇ ନିଆରା ଭାବେ ନିଜର ନିର୍ବାଚନ ପ୍ରଚାର କରୁଛନ୍ତି । ଯୁବ ଚାଷୀନେତ୍ରୀ ସୋନାଲି ବିଶି ଗାଁ ଗାଁରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଘର ଘର ବୁଲି ଚାଷୀମାନଙ୍କ ସମସ୍ୟା ବୁଝୁଛନ୍ତି ।

ରାଜନୈତିକ ପ୍ରତିନିଧି ଭାବେ ନିର୍ବାଚିତ ହେଲେ ଚାଷୀମାନଙ୍କ କେଉଁ କେଉଁ ସମସ୍ୟା ସମାଧାନ କରିବେ ଓ ରାଜ୍ୟ ସରକାରଙ୍କ ଆଗରେ କେଉଁ ସମସ୍ୟା ଉପସ୍ଥାପନ କରିବେ ସେ ସମ୍ପର୍କରେ ଚାଷୀ ଭୋଟର ମାନଙ୍କୁ ଜଣ ଜଣ କରି ବୁଝାଉଛନ୍ତି ନବ ନିର୍ମାଣ କୃଷକ ସଂଗଠନ ପ୍ରାର୍ଥୀ ସୋନାଲି ବିଶି । ଏପରିକି ବ୍ୟୟ ବହୁଳ ନିର୍ବାଚନ ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭୋଟରଙ୍କ ଆଗରେ ନିଜର ଅନୁଗ୍ରହ ରଖୁଛନ୍ତି । ତେବେ ଜଣେ ଉଦୀୟମାନ ଯୁବ ଚାଷୀନେତ୍ରୀଙ୍କୁ ଦେଖିବା ତଥା ତାଙ୍କ ସହିତ ଆଲୋଚନା କରିବା ପରେ ମହିଳା ଚାଷୀମାନେ ବିଶେଷକରି ତାଙ୍କ ପ୍ରତି ନିଜର ଶ୍ରଦ୍ଧା ପ୍ରଦର୍ଶନ କରିବା ସହିତ ତାଙ୍କୁ ଚାଉଳ ଓ ଟଙ୍କା ଭଳି ଆର୍ଥିକ ସହଯୋଗ କରୁଛନ୍ତି । ଚାଷୀ ଭୋଟରମାନେ ମଧ୍ୟ ଯୁବ ଚାଷୀନେତ୍ରୀଙ୍କ ବ୍ୟବହାର, ତାଙ୍କ ନିର୍ବାଚନ ପ୍ରଚାର ଶୈଳୀ ତଥା ଚାଷୀଙ୍କ ଦାବି ପ୍ରତି ଆକୃଷ୍ଟ ହୋଇ ତାଙ୍କ ସହିତ ଯୋଡି ହୋଇ ନିର୍ବାଚନ ପ୍ରଚାର କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସ୍ମାର୍ଟ ଜନତାଙ୍କୁ ସ୍ମାର୍ଟ ନେତା, ବଦଳିଛି ନେତାଙ୍କ ଚାଲ ଓ ଜନତାଙ୍କ ମୁଡ୍ - Balangir Election History

ସୋନାଲି ବିଶି ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଚାଷୀ ନେତ୍ରୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ କୋଶଳବାଦି ସଂଗଠନ ଗୁଡିକ ତାଙ୍କୁ ସମର୍ଥନ କରୁଛନ୍ତି । ପୁରୁଖା ନେତା ମାନଙ୍କ ଆଗରେ ଜଣେ ଉଦୀୟମାନ ନେତ୍ରୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାରୁ ତାଙ୍କର ସାହସ, ନିଷ୍ଠା, ଶ୍ରମ ଆଗରେ ଭୋଟରମାନେ ସମର୍ଥନ ଦେବାକୁ ବେଶ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଯୁବ ଉଦୀୟମାନ ଚାଷୀ ନେତ୍ରୀଙ୍କ ନିର୍ବାଚନ ଲଢେଇକୁ ଜିଲ୍ଲାର ଅସଂଖ୍ୟ ଚାଷୀ ଭୋଟର ସମର୍ଥନ କରୁଥିବାବେଳେ ନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କୁ ଚାଉଳ ଓ ଟଙ୍କା ପ୍ରଦାନ କରୁଛନ୍ତି । ପୁରୁଖାମାନଙ୍କ ସହିତ ନିର୍ବାଚନ ଲଢେଇରେ ଏଭଳି ଏକ ନିଆରା ନିର୍ବାଚନ ପ୍ରଚାରକୁ ବିଭିନ୍ନ ମହଲରେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.