ETV Bharat / politics

ସମ୍ବଲପୁରରେ ବିଜେଡିର ପାୱାର ସୋ'; ନାମାଙ୍କନ ଭରିଲେ ପ୍ରଣବ, ରୋହିତ ଓ ସୁଦର୍ଶନ - BJD Power Show in Sambalpur

author img

By ETV Bharat Odisha Team

Published : Apr 30, 2024, 10:35 PM IST

BJD Power Show in Sambalpur
BJD Power Show in Sambalpur

BJD Power Show in Sambalpur: ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଲେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କ ସହ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢ଼ନ୍ତୁ

BJD Power Show in Sambalpur

ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ଆଜି ସମ୍ବଲପୁର ବାଲିବନ୍ଧା ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବିଜେଡିର ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ନେତା ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ ନାମାଙ୍କନ ଭରିଛନ୍ତି । ଏହି ଅବସରରେ ସମର୍ଥକ ମାନଙ୍କର ଏକ ବିରାଟ ଶୋଭାଯାତ୍ରା ସହରରେ ପରିକ୍ରମା କରିଥିଲା । ୪୩ ଡିଗ୍ରୀ ଖରା ସତ୍ତ୍ବେ ହଜାର ହଜାର ସଂଖ୍ୟାରେ ବିଜେଡି କାର୍ଯ୍ୟକର୍ତ୍ତା ଶୋଭଯାତ୍ରାରେ ସାମିଲ ହୋଇ ପ୍ରଣବ ପ୍ରକାଶ ଓ ରୋହିତ ପୂଜାରୀଙ୍କୁ ସମର୍ଥନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ପ୍ରଣବ ପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଥିଲେ । 'ମୁଁ ନିଶ୍ଚିତ ଅଛି ତୁମେ ବିଜୟୀ ହେବ' ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ନାମାଙ୍କନ ସମୟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

ଆଜି ସକାଳ ପ୍ରାୟ ୮ଟା ସମୟରେ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସାଙ୍ଗରେ ଉପସ୍ଥିତ ଥିଲେ ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ପ୍ରଥମେ ମା' ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ । ପୂଜାର୍ଚ୍ଚନା କରି ଆର୍ଶୀବାଦ କାମନା କରିଥିଲେ । ଏହି ଅବସରରେ ପ୍ରଣବ ପ୍ରକାଶ କହିଥିଲେ, "ମାଆ ସମଲେଶ୍ବରୀଙ୍କ ଡୋରୀ ଲାଗିବାରୁ ମୁଁ ଏ ମାଟିର ସେବା କରିବା ପାଇଁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ସମ୍ବଲପୁର ପଠାଇଛନ୍ତି । ମା'ଙ୍କ ଆଶୀର୍ବାଦ ରହିଛି । ନିଶ୍ଚୟ ଜୟଯୁକ୍ତ ହେବୁ ଏବଂ ସମୃଦ୍ଧ ସମ୍ବଲପୁର ଗଢିବା ଦିଗରେ କାମ କରିବୁ ।" ସମଲେଇ ମନ୍ଦିରରେ ମା'ଙ୍କୁ ଦର୍ଶନ କରିବା ପରେ ଜେଲ ଛକକୁ ଯାଇଥିଲେ । ସେଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ପ୍ରଣବ ପ୍ରକାଶ । ପ୍ରଣବ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ସର୍ମଥନ ଦେବାକୁ ବାଲିବନ୍ଧାଠାରେ ହଜାର ହଜାର ସମର୍ଥକଙ୍କ ସମାଗମ ହୋଇଥିଲା । ପୁରୁଷ, ମହିଳା, ଯୁବ ଭୋଟର ଓ ବିଭିନ୍ନ ବର୍ଗର ଲୋକେ ସ୍ବତଃପ୍ରବୃତ୍ତ ଭାବରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରେଢାଖୋଲରେ ପ୍ରଣବ-ପ୍ରସନ୍ନଙ୍କ ପ୍ରଚାର; କହିଲେ- କୌରବକୁ ହରାଇ ପାଣ୍ଡବ ସେନାର ବିଜୟ ହେବ - Lok Sabha Election

ବାଲିବନ୍ଧାରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଏକ ଭବ୍ୟ ଶୋଭଯାତ୍ରା ବାହାରିଥିଲା । ସମ୍ବଲପୁରୀ ବାଜାର ତାଳେ ତାଳେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଶୋଭାଯାତ୍ରା ସମୟରେ ବାଟରେ ଅଟକି ସମ୍ବଲପୁରର ପ୍ରସିଦ୍ଧ ସରସତିଆ ଖାଇଥିଲେ ପ୍ରଣବ ପ୍ରକାଶ ଓ ରୋହିତ ପୂଜାରୀ । ଝାଡୁଆପଡାଠାରେ ପହଞ୍ଚିବା ପରେ ବ୍ରହ୍ମପୁରା ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ବାଲିବନ୍ଧାଠାରୁ ଶୋଭାଯାତ୍ରା ବାହାରି କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା ଓ ମ୍ୟୁନିସିପାଲଟି ଛକଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାନଙ୍କ ପତ୍ର ଦାଖଲ କରିଥିଲେ । ରେଙ୍ଗାଲି ବିଜେଡି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାନଙ୍କ ପତ୍ର ଦାଖଲ କରିଥିଲେ ।

ବିପୁଳମାତ୍ରାରେ ସମର୍ଥନ ଜଣାଇଥିବାରୁ ଓ ଭବ୍ୟ ସମ୍ବର୍ଦ୍ଧନା ଦେଇଥିବାରୁ ଜନତା ଓ ସମର୍ଥକଙ୍କୁ କୃତଜ୍ଞତା ଜଣାଇଥିଲେ ପ୍ରଣବ । ଏହା ବିଶ୍ବାସର ଶୋଭାଯାତ୍ରା ଓ ଭଲ ପାଇବାର ଭିଡ଼ ବୋଲି କହିଥିଲେ ପ୍ରଣବ । ବିଜୁ ଜନତା ଦଳର ମୁଖପାତ୍ର ଡଃ ଲେନିନ୍‌ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି, "ବିଗତ ନିର୍ବାଚନରେ ସମ୍ବଲପୁରରୁ ଯେଉଁ ଦୁଇ ନେତା ନିର୍ବାଚିତ ହୋଇଥିଲେ, ସେମାନେ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୁଆଁ ବୁଲାଇଛନ୍ତି । ରାଜ୍ୟ ସରକାରଙ୍କ ସମଲେଇ ପ୍ରକଳ୍ପ ଦ୍ବାରା ସମଲେଇ ପୀଠର ଭବ୍ୟ ଋପାନ୍ତରଣ, ଭିସୁଟ ଓ ଭିମସାରର ଉନ୍ନତିକରଣ, ପର୍ଯ୍ୟଟନସ୍ଥଳୀ ଗୁଡିକର ଉନ୍ନତିକରଣ, 5T ସ୍କୁଲ ଜରିଆରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ରୋଜଗାରକ୍ଷମ କରିବା, କଳା, ସଂସ୍କୃତିର ସୁରକ୍ଷା, ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇବା, ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଏଭଳି ଅନେକ କ୍ଷେତ୍ରରେ ଉନ୍ନତିମୂଳକ କାମ କରାଯାଇଛି । ତେଣୁ ଏଥର ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଆସ୍ଥା ବଢିଛି ।" ସମ୍ବଲପୁରବାସୀ ଏହା ନିଷ୍ପତ୍ତି ନେଇସାରିଛନ୍ତି ଯେ ଚଳିତ ନିର୍ବାଚନରେ ଯୋଡ଼ିଶଙ୍ଖ ଚିହ୍ନରେ ଭୋଟ ଦେଇ ପ୍ରଣବ ପ୍ରକାଶ ଦାସ ଓ ରୋହିତ ପୂଜାରୀଙ୍କୁ ଜୟଯୁକ୍ତ କରାଇବେ ବୋଲି ବିଜେଡି ମୁଖପାତ୍ର ପ୍ରେସ ବିବୃତିରେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.