ETV Bharat / politics

ନିର୍ବାଚନ ବେଳେ ମିଛକୁ ସାହାରା ନେବା ବିଜେଡିର ଅଭ୍ୟାସ ହୋଇଗଲାଣି: ଧର୍ମେନ୍ଦ୍ର - Dharmendra Slams BJD

author img

By ETV Bharat Odisha Team

Published : Apr 30, 2024, 9:50 PM IST

Dharmendra Slams BJD
Dharmendra Slams BJD

Dharmendra Slams BJD: ଆଜି ଦେବଗଡ଼ରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

Dharmendra Slams BJD

ଦେବଗଡ଼: ଆଜି ଦେବଗଡ଼ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହିତ ଉପସ୍ଥିତ ଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକ୍ରମକୁ କଡା ସମାଲୋଚନା କରିଥିଲେ ।

ଏ ନେଇ ଧର୍ମେନ୍ଦ୍ର କହିଛନ୍ତି, "ନିର୍ବାଚନ ପ୍ରଚାର ବେଳେ ନବରଙ୍ଗପୁର ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ଆଧାରରେ ଗୁମାସ୍ତାଙ୍କ କଥାରେ ମନ୍ତବ୍ୟ ଦେଇଛନ୍ତି । ଉକ୍ତ ଭିଡିଓ ନକଲି ବୋଲି ପ୍ରମାଣିତ ହୋଇସାରିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇସାରିଛି । ନିର୍ବାଚନ ପ୍ରଚାର ସମୟରେ ଅପପ୍ରଚାର କରିବା, ମିଛର ସାହାରା ନେବା ବିଜେଡି ବିଶେଷ ଭାବରେ ଗୁମାସ୍ତାଙ୍କ ଅଭ୍ୟାସ ରହିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ, ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦେଶର ଗୃହମନ୍ତ୍ରୀଙ୍କ ଉପରେ ଏପରି ଅପପ୍ରଚାର ଗ୍ରହଣୀୟ ନୁହେଁ । ଏହାକୁ ବିଜେପି ପକ୍ଷରୁ କଠୋର ଶବ୍ଦରେ ନିନ୍ଦା କରାଯାଉଛି । ଖୁବଶୀଘ୍ର ବିଜେପିର ପ୍ରତିନିଧି ମଣ୍ଡଳୀ ଭୁବନେଶ୍ବରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ ଦାବିପତ୍ର ଦେବେ ଏବଂ ଥାନାରେ ଏତଲା ଦାୟର ମଧ୍ୟ କରାଯିବ । ଦେଶର ଗୃହମନ୍ତ୍ରୀଙ୍କ ନାଁରେ ଭୁଲ ମନ୍ତବ୍ୟ ଦେବା ଭଳି ସଙ୍ଗୀନ ଅପରାଧ କିଛି ହୋଇନପାରେ ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦିବାସୀ ସୁରକ୍ଷା ନେଇ ରାଜ୍ୟ ସରକାର ଅନ୍ତତଃ କହିବା ଠିକ୍ ନୁହେଁ । ଆଦିବାସୀଙ୍କ ଜମି ବିକିବା ପାଇଁ କିଏ କ୍ୟାବିନେଟ୍ ନିଷ୍ପତ୍ତି କରିଥିଲା ? ମୁଖ୍ୟମନ୍ତ୍ରୀଙ୍କର ଯଦି ଟିକିଏ ନୈତିକତା ଅଛି, ସେ ନିଜ ଦଳର କଥା ପ୍ରକାଶ କରନ୍ତୁ । ସେ ପୁଞ୍ଜିପତିଙ୍କୁ ଦେବା ପାଇଁ ଗତବର୍ଷ ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ କି ନାହିଁ ? ପୁଣି ଅଦିବାସୀଙ୍କ ଚାପରେ କ୍ୟାବିନେଟ୍ ନିଷ୍ପତ୍ତି ବଦଳାଇ ନଥିଲେ କି ? ସମ୍ବିଧାନକୁ ବଦଳାଇ ଆଦିବାସୀଙ୍କୁ ତଳିତଳାନ୍ତ କରିବାର ଷଡଯନ୍ତ୍ରୀ କିଏ କରିଥିଲା ? ଗୁମାସ୍ତା ମୁଖ୍ୟମନ୍ତ୍ରୀ ଦରଦୀ ବୋଲି କହୁଛନ୍ତି । ସେମାନେ ପ୍ରଥମେ ଆଦିବାସୀଙ୍କ ବିରୋଧରେ ୫୦ ହଜାରରୁ ଅଧିକ ଅବକାରୀ, ଜଙ୍ଗଲ ଓ ଅନ୍ୟାନ୍ୟ ମାମଲା ରୁଜୁ କରାଇଥିଲେ । ପରେ ୫୦ହଜାର ମାମଲା ଉଠାଇ ଦେବା କଥା କହିଲେ । ଆଦିବାସୀ ଲୋକ ମହୁଲ ଗୋଟାଇବନି ତ କଣ କରିବ ? ଜଙ୍ଗଲଜାତ ଦ୍ରବ୍ୟ ଆଣି ଭରଣପୋଷଣ କରିବେ ନାହିଁ ତ କଣ କରିବେ ?

ଏହା ମଧ୍ୟ ପଢ଼ନ୍ତୁ.. ମିଶନ ଶକ୍ତି ବିଭାଗ ବିଜେଡି ପାଇଁ ଭୋଟ ଯୋଗାଡ କରିବା କାମରେ ଲାଗିଛନ୍ତି: ବିଜେପି - Violation Of Code Of Conduct

ଝାଡଖଣ୍ଡର ମଦ ମାଫିଆକୁ ନିଜର ବ୍ୟବସାୟକୁ ବଢାଇବା ପାଇଁ ଓଡ଼ିଶା ସରକାର ସ୍ବାଧୀନତା ଦେଉଛନ୍ତି ଅଥଚ ଆଦିବାସୀଙ୍କ ନାଁରେ ଏଭଳି ବିଷୟରେ ମାମଲା ରୁଜୁ କରୁଛନ୍ତି । ତାଙ୍କର ନୀରବତା ଓ ସରଳତାକୁ ଗୁମାସ୍ତା ଓ ସରକାର ବୋକାମୀ ଭାବୁଛନ୍ତି । ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା ବିଜେଡି ନେତାଙ୍କ ନୀତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ବଡ ବଡିଆଙ୍କୁ ସରକାରୀ ଟିକସ ପଇସାରେ ଚିକିତ୍ସା କରାଇବେ କିନ୍ତୁ ଗରିବ ଆଦିବାସୀଙ୍କ ଚିକିତ୍ସା ପାଇଁ ସେମାନଙ୍କ ଜମି ବିକ୍ରି କରିବାକୁ କହିବେ । ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ ନକରିବାରେ ନବୀନ ପଟ୍ଟନାୟକଙ୍କ ସରକାର ଆଗରେ ଅଛନ୍ତି । ଟ୍ରାଇବାଲ ଆଡ଼ିଭାଇଜରୀ କମିଟିର ବୈଠକ ବସୁନାହିଁ । ଏଥର ନିର୍ବାଚନରେ ଆଦିବାସୀ ବିରୋଧୀ ସରକାରକୁ ଲୋକେ ହଟାଇବେ ବୋଲି ସେ କହିଛନ୍ତି ।

ସେହିପରି ଆଉ ଏକ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ଯେ ଓଡ଼ିଶାରେ ୫ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ପରେ ବି ଗଞ୍ଜାମ ଜିଲ୍ଲା ଦାଦନର ଏନ୍ତୁଡିଶାଳ ଏବଂ ହିଞ୍ଜିଳି ତା’ର ମୂଳ କେନ୍ଦ୍ର ହୋଇଛି । କଣ୍ଟାବାଞ୍ଜିରେ ମଧ୍ୟ ଅନୁରୂପ ସ୍ଥିତି । ମୁଖ୍ୟମନ୍ତ୍ରୀ ଆଜି ହିଞ୍ଜିଳି ପାଇଁ ପ୍ରାର୍ଥି ପତ୍ର ଦାଖଲ କରିଥିବା ବେଳେ ଦୀର୍ଘ ୨୪ ବର୍ଷ ଶାସନରେ ହିଞ୍ଜିଳିର ଯୁବକ ଯୁବତୀଙ୍କ ରୋଜଗାର ପାଇଁ କ’ଣ ବ୍ୟବସ୍ଥା କରିଛନ୍ତି, ସେ ଏହା ଉପରେ ଶ୍ବେତପତ୍ର ପ୍ରକାଶ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଦାବିକୁ ଦୋହରାଇଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.