ଆକବରୁଦ୍ଦିନଙ୍କୁ ପ୍ରୋଟେମ୍ ସ୍ପିକର ନିଯୁକ୍ତିକୁ କିଶନ ରେଡ୍ଡିଙ୍କ ବିରୋଧ: 'ସ୍ଥାୟୀ ବାଚସ୍ପତି ନିର୍ବାଚନ ପରେ ହିଁ ଶପଥ ନେବେ ବିଜେପି ବିଧାୟକ'

By ETV Bharat Odisha Team

Published : Dec 9, 2023, 2:05 PM IST

thumbnail

ହାଇଦ୍ରାବାଦ: ଏମଆଇଏମ ବିଧାୟକ ଆକବରୁଦ୍ଦିନ ୱୱେସୀଙ୍କୁ ପ୍ରୋଟେମ ସ୍ପିକର ବା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ। ରାଜ୍ୟପାଳ, ଅସ୍ଥାୟୀ ବାଚସ୍ପତି ଆକବରୁଦ୍ଦିନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାସହ ଅସ୍ଥାୟୀ ବାଚସ୍ପତି ବିଧାନସଭାର ନବ ନିର୍ବାଚିତ ବିଧାୟକମାନଙ୍କୁ  ଶପଥ ପାଠ ମଧ୍ୟ କରାଇଛନ୍ତି। ତେବେ ଆକବରୁଦ୍ଦିନଙ୍କ ନିଯୁକ୍ତିକୁ ବିରୋଧ କରିଛନ୍ତି ରାଜ୍ୟ ବିଜେପି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡି । ସେ ଅଭିଯୋଗ କରିଛନ୍ତି ଯେ, ଅସ୍ଥାୟୀ ବାଚସ୍ପତି ନିଯୁକ୍ତିରେ ପରମ୍ପରାର ଖିଲାପ କରାଯାଇଛି। ସାଧାରଣତଃ ନୂଆ ବିଧାନସଭାର ସବୁଠୁ ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର ନିଯୁକ୍ତି ଦିଆଯାଇଥାଏ । ମାତ୍ର ଆକବରୁଦ୍ଦିନଙ୍କୁ ଏହି ପଦରେ ନିଯୁକ୍ତି ଦେଇ, ନିୟମ ଉଲ୍ଲଂଘନ କରାଯାଇଛି। ତେଣୁ ବିଜେପି  ବିଧାୟକମାନେ ତାଙ୍କ ନିକଟରେ ଶପଥ ନେବେ ନାହିଁ । ବିଧାନସଭାରେ ସ୍ଥାୟୀ ବାଚସ୍ପତି ନିଯୁକ୍ତି ପରେ ହିଁ ବିଜେପିର ସମସ୍ତ 8 ଜଣ ବିଧାୟକ ଶପଥ ପାଠ କରିବେ ବୋଲି କହିଛନ୍ତି କିଶନ ରେଡ୍ଡି । ଏମଆଇଏମକୁ ସାଥିରେ ନେଇ କଂଗ୍ରେସ ପାର୍ଟି ସରକାର ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି କିଶନ ରେଡ୍ଡି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି, ଏମଆଇଏମ-ବିଜେପି ଏକ ବୋଲି ଅଭିଯୋଗ କରୁଥିଲା । ଏବେ ଆକବରୁଦ୍ଦିନଙ୍କୁ ପ୍ରୋଟେମ ସ୍ପିକର ନିଯୁକ୍ତି ଦେଇ,  କଂଗ୍ରେସ ପାର୍ଟି ନିଜ ପ୍ରଶ୍ନର ଜବାବ ପାଇଯାଇଛି । ଗୋଷାମହଲ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେପି ବିଧାୟକ ରାଜା ସିଂହ, ଆକବରୁଦ୍ଦିନଙ୍କ ନିକଟରେ ଶପଥ ନେବେ ନାହିଁ ପୂର୍ବରୁ ଘୋଷଣା କରିଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.