ବିଶ୍ବକପ ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଲେ ରୋହିତ ଶର୍ମା

By ETV Bharat Odisha Team

Published : Dec 13, 2023, 6:08 PM IST

thumbnail

ମୁମ୍ବାଇ: ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ପରାଜୟ ନେଇ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଦୀର୍ଘଦିନ ଧରି ସେ ସାମାଜିକ ଗଣମାଧ୍ୟମରୁ ଦୂରରେ ରହିଥିଲେ । ସେ ବିଶ୍ବକପ ପରେ ପରେ ସୀମିତ ଓଭର କ୍ରିକେଟ୍‌ରୁ ସାମୟିକ ବ୍ରେକ୍‌ ନେଇଥିବାବେଳେ ନିଜ ପରିବାର ସହ ବିଦେଶରେ ଛୁଟିରେ ରହିଥିଲେ । ସେଠାରୁ ଫେରିବା ପରେ ଏକ ସାକ୍ଷାତକାରରେ ସେ ବିଶ୍ବକପ୍‌ ପରାଜୟ ନେଇ ଆଲୋଚନା କରିଛନ୍ତି । ଯାହା ଆଜି ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛି । ବିଶ୍ବକପ୍‌ ପରାଜୟ ପରେ ମଧ୍ୟ ଭାରତୀୟ ଦଳକୁ ଖୁବ ଭଲ ପାଇବା ଦେଇଥିବାରୁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତୀୟ ଅଧିନାୟକ ।

ବିଶ୍ବକପ୍‌ ଫାଇନାଲରେ ପରାଜୟରୁ ମିଳିଥିବା ନିରାଶାରୁ ମୁକ୍ତି ପାଇପାରିବେ କି ନାହିଁ ରୋହିତ ଜାଣିନଥିଲେ ବୋଲି କହିଛନ୍ତି । କିନ୍ତୁ ପ୍ରଶଂସକଙ୍କ ଭଲପାଇବା ଏବଂ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ବହୁ ପ୍ରୟାସ ତାଙ୍କୁ ପୁଣିଥରେ ଶୀର୍ଷରେ ପହଞ୍ଚିବାକୁ ଚେଷ୍ଟା କରିବାକୁ ପ୍ରେରଣା ଦେଇଥିବା କହିଛନ୍ତି ରୋହିତ ଶର୍ମା । ବିଶ୍ବକପ୍‌ ଫାଇନାଲ୍‌ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କ ପାଇଁ ଏକ ଅଧିନାୟକ ଓ ବ୍ୟାଟର ଭାବେ ବହୁତ ଭଲ ଅଭିଯାନ ରହିଥିଲା । ହେଲେ ନଭେମ୍ବର ୧୯ରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ମୈଦାନରୁ ବାହାରୁଥିବାବେଳେ ରୋହିତଙ୍କ ଆଖି ଲୁହରେ ଭରି ଯାଇଥିଲା । ସେବେଠାରୁ ସେ ଛୁଟିରେ ଇଂଲଣ୍ଡ ଚାଲିଯାଇଥିଲେ ।

ଏନେଇ ସେ କହିଛନ୍ତି, "ବିଶ୍ବକପ୍‌ରେ ପରାଜୟ ପରେ ଏଭଳି ଖରାପ ମାନସିକ ସ୍ଥିତିରୁ ମୁଁ କିଭଳି ବାହାରିବି, ସେଥିପାଇଁ ମୋ ପରିବାର ଏବଂ ସାଙ୍ଗସାଥୀମାନେ ବେଶ୍‌ ଉଦ୍ୟମ କରିଥିଲେ । ଶେଷରେ ଏସବୁରୁ ବାହାରିବା ପାଇଁ ମୁଁ ଛୁଟିରେ ଯାଇଥିଲି । କିନ୍ତୁ ସେଠାରେ ମଧ୍ୟ ଲୋକମାନେ ମୋତେ ଦେଖି ଖୁବ ପ୍ରଂଶସା କରିଥିଲେ । ମୋ ଟିମ୍‌ ଓ ମୋ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ତେବେ ଏହା ମୋତେ କିଛିମାତ୍ରାରେ ସେହି ନିରାଶାରୁ ବାହାରିବାରେ ସହଯୋଗ କରିଥିଲା । ହେଲେ ଏହା ଭୁଲିବା ସହଜ ନୁହେଁ ।"

ଏହା ମଧ୍ୟ ପଢନ୍ତୁ: ସୋସିଆଲ୍‌ ମିଡିଆକୁ ଫେରିଲେ ରୋହିତ ଶର୍ମା, ବିଶ୍ବକପ୍‌ ପରାଜୟ ପରେ କଲେ ପ୍ରଥମ ପୋଷ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.