ଗାଁ ଭିତରେ ପସିଲା ହାତୀ, ଘଉଡାଇବା ପାଇଁ ନାକେଦମ ବନବିଭାଗ

By ETV Bharat Odisha Team

Published : Oct 29, 2023, 11:04 PM IST

thumbnail

ସୁବର୍ଣ୍ଣପୁର: ଦିନକୁ ଦିନ ବଢ଼ୁଛି ହାତୀଙ୍କ ଦୌରାତ୍ମ୍ୟ ।  ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ଗଜରାଜ ।  ସୁବର୍ଣ୍ଣପୁର ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ୱରେ ପାହାନ୍ତିଆରେ ଦେଖା ଦେଇଥିବା ଦନ୍ତାହାତୀ ଆଜି ସନ୍ଧ୍ୟାରେ ହିକୁଡି ଗାଁ ଭିତରକୁ ପ୍ରଵେଶ କରି ବ୍ୟାପକ ଉପଦ୍ରବ କରିଛି । ବନ ବିଭାଗର କର୍ମଚାରୀ, ସଦର ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ହେଲେ ଦନ୍ତାହାତୀଟି ଅର୍ଜୁନପୁର ଜଙ୍ଗଲ ମୁହାଁ ହୋଇ ପୁଣି ଫେରି ଆସିଥିଲା । ହାତୀଟି କିଛି ସମୟ ମହାନଦୀ କୂଳରେ ବୁଲୁଥିବାର ଦେଖିବାକୁ ମିଳିଥିଲା ।

ସନ୍ଧ୍ୟା ପୂର୍ବରୁ ହାତୀଟି ମହାନଦୀ ପାର ହୋଇ  ହିକୁଡି ଗାଁ ଭିତରକୁ ପ୍ରବେଶ କରିଥିଲା । ଗାଁ ଲୋକେ ଭୟଭୀତ ହୋଇ ଘରେ ତାଟି କବାଟ ଦେଇ ରହିଥିଲେ । ବନ କର୍ମଚାରୀମାନେ ଗାଁକୁ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦେବା ସହିତ ସୁରକ୍ଷିତ ଯାଗାରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଗାଁର କିଛି ଯୁବକଙ୍କ ସହିତ ବନ କର୍ମଚାରୀମାନେ ପ୍ରାୟ ଘଣ୍ଟାଏ କାଳ ହାତୀର ଗତିପଥକୁ ନିୟନ୍ତ୍ରଣ କରିବା ସହିତ ଗାଁ ଭିତରୁ ହାତୀଟିକୁ ବାହାର କରିବାରେ ସମର୍ଥ ହୋଇଥିଲେ । ତେବେ ଗତକାଲିଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଲଛିପୁର ଅଞ୍ଚଳରେ ହାତୀଟି ବ୍ୟାପକ ଉପଦ୍ରବ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ହାତୀ ଆକ୍ରମଣରେ ଗଲା ଚାଷୀଙ୍କ ଜୀବନ

ବର୍ଷର ଅନେକ ସମୟରେ ହାତୀ ଖାଦ୍ୟ ଅନ୍ୱେଷଣରେ ଗାଁ ଓ ସହର ଭିତରକୁ ଚାଲି ଆସୁଥିବା ବେଳେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।  ଉଭୟ ବାରପାହାଡ଼ ଓ ସିଂହାସନ ଜଙ୍ଗଲ ଚାରିପାଖରେ ଟ୍ରେଞ୍ଚ ଖୋଲିବା ସହିତ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ପରିମାଣରେ କଦଳୀ ଚାଷ କରି ହାତୀଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଦାବି ହେଉଛି । ଜିଲ୍ଲା ବନବିଭାଗ ହାତୀଙ୍କ ଗତି ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ ମଧ୍ୟ ହାତୀ ଉପଦ୍ରବରେ ଅଙ୍କୁଶ ଲଗାଇବାରେ ସଫଳ ହୋଇ ପାରୁ ନଥିବା ଅଭିଯୋଗ ହେଉଛି ।  

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.