ମୟୂରଭଞ୍ଜ ଗସ୍ତରେ 5T ସଚିବ: କେଉଁଠି ମିଳିଲା ସ୍ବାଗତ, କେଉଁଠି ବିରୋଧ

By

Published : Aug 11, 2023, 8:23 PM IST

Updated : Aug 11, 2023, 9:05 PM IST

thumbnail

ରାଇରଙ୍ଗପୁର: ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କ 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭିକେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ଖୁବଶୀଘ୍ର ସମାଧାନ ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଯଶିପୁରସ୍ଥିତ ମାହାର୍ଦ୍ଦାପଳଶା ମିନିଷ୍ଟାଡିୟମରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବାବେଳେ ପୋଲିସ ଉପସ୍ଥିତିରେ ରାସ୍ତାକଡ଼ରେ ବିରୋଧୀ ଦଳ ପକ୍ଷରୁ 5T ସଚିବଙ୍କ ଗସ୍ତକୁ ବିରୋଧ କରି କଳାପତାକା ପ୍ରଦର୍ଶନ ମଧ୍ୟ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଆଜି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି । ଦିନ ପ୍ରାୟ ୧୦ଟା ସମୟରେ ହେଲିକପ୍ଟର ଯୋଗେ ସେ କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟ ପଡିଆରେ ଅବତରଣ କରିବା ପରେ ସେଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ଯଶିପୁରସ୍ଥିତ ମାହାର୍ଦ୍ଦାପଳଶା ମିନି ଷ୍ଟାଡିୟମରେ ପହଞ୍ଚି ସେଠାରେ ମଧ୍ୟ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କଠାରୁ ସମସ୍ୟା ସମ୍ପର୍କିତ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହାପରେ ଦିନ ଗୋଟାଏ ବେଳକୁ ରାଇରଙ୍ଗପୁର ସ୍ଥିତ ମହୁଲଡିହା ପଡ଼ିଆରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ 5T ସଚିବ । ରାଇରଙ୍ଗପୁରରେ 5T ସଚିବଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ସହରବାସୀ । ରାଇରଙ୍ଗପୁରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ସିଧାସଳଖ ସାକ୍ଷାତ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଏହାସହ ଉପସ୍ଥିତ ଲୋକଙ୍କଠାରୁ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ । ଯଥାଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ସଚିବ ।  

ଏହା ମଧ୍ୟ ପଢ଼ନ୍ତୁ...ନିଆଳିରେ ୫T ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ, ୭ ଦିନରେ ସମାଧାନ ନେଇ ପ୍ରତିଶୃତି ଦେଲେ

ରାଇରଙ୍ଗପୁରରେ ଆୟୋଜିତ ଗୋଟିଏ ଘଣ୍ଟାର କାର୍ଯ୍ୟକ୍ରମ ପରେ ସେଠାରୁ ରାଇରଙ୍ଗପୁରସ୍ଥିତ PWD ଗେଷ୍ଟ୍‌ ହାଉସ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ପ୍ରାୟ ୩ଟା ସମୟରେ ବାହାରି ବିଶୋଇ ସ୍ଥିତ ମିନିଷ୍ଟାଡିୟମରେ ପହଞ୍ଚି ଥିଲେ । ସେଠାରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଚିବ । ତେବେ 5T ସଚିବଙ୍କ ଏହି ଗସ୍ତ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବିଭିନ୍ନ ସ୍ଥାନରେ 5T ସଚିବଙ୍କ ସହ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ମୟୂରଭଞ୍ଜ ଏସ୍‌ପି ବି.ଗଙ୍ଗାଧର, ରାଇରଙ୍ଗପୁର ଏସ୍‌ଡିପିଓ ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 5T ସଚିବ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଶୁଣିବେ । ସମସ୍ତ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ସେଗୁଡ଼ିକର ସମାଧାନ ଖୁବଶୀଘ୍ର ହେବ ବୋଲି କହିଛନ୍ତି 5T ସଚିବ ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Aug 11, 2023, 9:05 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.