ETV Bharat / sukhibhava

H3N2 Virus: ଘରେ ଘରେ ଥଣ୍ଡା-ଜ୍ବର ରୋଗୀ, ବ୍ୟାପୁଛି ଆଉ ଏକ ଭୂତାଣୁ

author img

By

Published : Mar 6, 2023, 11:03 AM IST

କୋରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ଚିନ୍ତାରେ ପକାଉଛି ଆଉ ଏକ ଭୂତାଣୁ । ଏହି ଭୂତାଣୁ କାରଣରୁ ବର୍ତ୍ତମାନ ଘରେ ଘରେ ଥଣ୍ଡା-ଜ୍ବର ରୋଗୀ ଚିହ୍ନଟ ହେଉଛନ୍ତି । କେମିତି ରହିବେ ସତର୍କ, ଜାଣନ୍ତୁ

influenza
influenza

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଘରେ ଘରେ ଥଣ୍ଡା-କାଶ ରୋଗୀ । କୋରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ଆଉ ଏକ ଭୂତାଣୁର ପ୍ରଭାବରେ ପ୍ରଭାବିତ ସାଧାରଣ ଜନତା । ଏନେଇ ଏକ ଆଡଭାଇଜରୀ(ପରାମର୍ଶ) ଜାରି କରିଛି ଆଇସିଏମଆର୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ICMR) କହିଛି ଯେ, ଇନ୍‌ଫ୍ଲୁଏଞ୍ଜା 'ଏ-ସବଟାଇପ ଏଚ୍-ଥ୍ରୀ-ଏନ-ଟୁ'(H3N2) କାରଣରୁ ଥଣ୍ଡା ଲାଗିରହୁଛି । ଅଧିକାଂଶ ଲୋକେ ସାଧାରଣ ଥଣ୍ଡା-ଜ୍ବରରେ ପୀଡିତ ହେଉଛନ୍ତି । ଏହା କୋରୋନା ନୁହେଁ, ବରଂ ଇନ୍‌ଫ୍ଲୁଏଞ୍ଜା ଏ' H3N2 କାରଣରୁ ବ୍ୟାପୁଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

H3N2 ଲକ୍ଷଣ: ଇନଫ୍ଲୁଏଞ୍ଜା ଲକ୍ଷଣ ଅନ୍ୟ ସାଧାରଣ ଲକ୍ଷଣ କାଶ, ବାନ୍ତି, ଗଳା ଯନ୍ତ୍ରଣା, ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ଝାଡ଼ା ଭଳି ରହିଛି । ସବୁଠୁ ବଡ କଥା ହେଉଛି କି ତିନି ଦିନରେ ଜ୍ବର ଛାଡି ଯାଉଥିବା ବେଳେ 3 ସପ୍ତାହ ପର୍ଯ୍ୟନ୍ତ କାଶ ଲାଗି ରହୁଛି । ତେଣୁ ଏହି ସବୁ ଲକ୍ଷଣ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, H3N2 ଥିବା ଗୁରୁତର ତୀବ୍ର ଶ୍ବାସକ୍ରିୟା ସଂକ୍ରମଣ(SARI) ରୋଗୀଙ୍କ ମଧ୍ୟରୁ 10 ପ୍ରତିଶତ ଅମ୍ଳଜାନ ଆବଶ୍ୟକ କରୁଥିବାବେଳେ 7 ପ୍ରତିଶତ ଆଇସିୟୁ କେୟାର୍ ଆବଶ୍ୟକ କରୁଛନ୍ତି । ଦୁଇ-ତିନିମାସ ମଧ୍ୟରେ H3N2 ର ବ୍ୟାପକ ବୃଦ୍ଧି ପାଇଥିବା ଆଇସିଏମଆର୍ କହିଛି ।

ଆଣ୍ଟିବାୟୋଟିକ୍‌ର ଆବଶ୍ୟକତା ନାହିଁ !

କେତେକ ଲୋକଙ୍କର ଜ୍ୱର ସହିତ ଶ୍ୱାସକ୍ରିୟା ସଂକ୍ରମଣ ହୋଇଥିବା ଜଣାପଡୁଛି । ଏହାର କାରଣ 'ବାୟୁ ପ୍ରଦୂଷଣ' ମଧ୍ୟ ହୋଇପାରେ। ତେଣୁ ଆଣ୍ଟିବାୟୋଟିକ୍ସର କୌଣସି ଆବଶ୍ୟକତା ନ ଥିବା ଆଇଏମଏ(ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍) କହିଛି । ଏହାକୁ ଦୃଷ୍ଟିରେ ରଖି କେବଳ ଲକ୍ଷଣ ଦେଖି ଚିକିତ୍ସା କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏସବୁକୁ ଦୃଷ୍ଟିରେ ରଖି ଆଇଏମଏ ସତର୍କ ରହିବାକୁ ପରାମର୍ଶ ଦେଇଛି । ଶ୍ବାସକ୍ରିୟାରେ ଅସୁବିଧା ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇ ଥିବାବେଳେ ବାରମ୍ବାର ହାତକୁ ଭଲ ଭାବେ ସଫା କରିବା, ଜନପୂର୍ଣ୍ଣ ସ୍ଥାନକୁ ନଯିବା, ମାସ୍କ ପିନ୍ଧିବା, ଆଖି-ନାକ ନ ଛୁଇଁବା, କାଶ ଓ ଛିଙ୍କ ସମୟରେ ମୁହଁକୁ ଘୋଡାଇବା ଆଦି କୋରୋନା ନିୟମ ମାନିବାକୁ କହିଛନ୍ତି ।

ଆଇସିଏମଆର ଅନୁଯାୟୀ, ଗୁରୁତର ଶ୍ବାସକ୍ରିୟା ସଂକ୍ରମଣ(SARI) କାରଣରୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧା ରୋଗୀ ଇନ୍‌ଫ୍ଲୁଏଞ୍ଜା ଏ' H3N2 ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଇନ୍‌ଫ୍ଲୁଏଞ୍ଜା ସବ୍-ଟାଇପ୍‌ ଅନ୍ୟ ଅପେକ୍ଷା ଅଧିକ ଗମ୍ଭୀର । କାରଣ ପୂର୍ବରୁ ଇନ୍‌ଫ୍ଲୁଏଞ୍ଜାରେ ସଂକ୍ରମିତ ହେଲେ ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲ ଆସିବାକୁ ପଡିନଥାଏ । ଇନ୍‌ଫ୍ଲୁଏଞ୍ଜା ଏ' H3N2 ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପ୍ରାୟ 92 ପ୍ରତିଶତ ରୋଗୀ ଜ୍ୱର, 86 ପ୍ରତିଶତ କାଶ, 27 ପ୍ରତିଶତ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା, 16 ପ୍ରତିଶତ ରୋଗୀଙ୍କର ମୁଣ୍ଡ ବୁଲାଇବା, 16 ପ୍ରତିଶତ ରୋଗୀଙ୍କର ନିମୋନିଆର ଲକ୍ଷଣ ଏବଂ 6 ପ୍ରତିଶତ ରୋଗୀଙ୍କର ଆଜମା ଲକ୍ଷଣ ରହୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.