ETV Bharat / sukhibhava

ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ କମ୍ପାନୀକୁ ଆଶ୍ବସ୍ତି, ବେବି ପାଉଡର୍ ପ୍ରସ୍ତୁତ ପାଇଁ ମିଳିଲା ଅନୁମତି

author img

By

Published : Jan 12, 2023, 11:08 AM IST

ବନ୍ଦ ହେବନି ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ବେବି ପାଉଡର ଉତ୍ପାଦନ । ପାଉଡର୍ ଉତ୍ପାଦନ ରଦ୍ଦ ପାଇଁ କରାଯାଇଥିବା ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

Johnson & Johnson
Johnson & Johnson

ମୁମ୍ବାଇ: ବନ୍ଦ ହେବନି ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ ବେବି ପାଉଡର ଉତ୍ପାଦନ । କମ୍ପାନୀକୁ ବମ୍ବେ ହାଇକୋର୍ଟ ପକ୍ଷରୁ ମିଳିଲା ବଡ ଆଶ୍ବସ୍ତି । ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ ପାଉଡର୍ ପ୍ରସ୍ତୁତି ଏବଂ ବିକ୍ରୟ ଉପରେ ଯେଉଁ ପ୍ରତିବନ୍ଧକ ଲଗାଇଥିଲା ତାହାକୁ ଖାରଜ କରି ଜନ୍‌ସନ୍ ଆଣ୍ଡ ଜନ୍‌ସନ୍‌କୁ ପାଉଡର୍ ପ୍ରସ୍ତୁତି ନେଇ ଅନୁମତି ଦେଇଛନ୍ତି କୋର୍ଟ । ଏହି ନିର୍ଦ୍ଦେଶ ପରେ ଏଣିକି ମହାରାଷ୍ଟ୍ରର ମୁଲୁନ୍ଦରେ ପ୍ରଡକ୍ଟ ଉତ୍ପାଦନ ହୋଇପାରିବ ।

ଜଷ୍ଟିସ ଗୌତମ ପଟେଲ ଏବଂ ଜଷ୍ଟିସ ଏସ.ଜି ଡିଜିଙ୍କ ଏକ ଡିଭିଜନ ବେଞ୍ଚ ମାମଲାର ଶୁଣାଣି କରି କହିଛନ୍ତି ଯେ, "FDAର କାର୍ଯ୍ୟ ଅଯୌକ୍ତିକ ଏବଂ ଯଥାର୍ଥ ନୁହେଁ । ଏକ ପ୍ରଶାସନ ପିମ୍ପୁଡ଼ି ମାରିବା ପାଇଁ ହାତୁଡ଼ି ବ୍ୟବହାର କରିପାରିବେ ନାହିଁ । ଏଥିସହ କୋର୍ଟ ବେବି ପାଉଡର ଉତ୍ପାଦନ, ବିକ୍ରୟ ତଥା ବିତରଣ ପାଇଁ ଯେଉଁ ଲାଇସେନ୍ସ ବାତିଲ ହୋଇଥିଲା ସେସବୁ ନିର୍ଦ୍ଦେଶକୁ ଖାରଜ କରି ଦେଇଛନ୍ତି । ଏଣିକି କମ୍ପାନୀ ବିନା ଦ୍ବିଧାରେ ପାଉଡର ଉତ୍ପାଦନ, ବିକ୍ରୟ ଏବଂ ବିତରଣ କରିପାରିବ ।

କହିରଖୁଛୁ ଯେ, 2018 ରୁ J&J ବେବି ପାଉଡର୍ ବ୍ୟବହାର ଉପରେ କଟକଣାକୁ ନେଇ ନାନା ବାଦ ବିବାଦ ଲାଗି ରହିଥିଲା । ମହାରାଷ୍ଟ୍ର ସରକାର ସେପ୍ଟେମ୍ବର 15, 2022ରେ କଠୋର ପଦକ୍ଷେପ ସ୍ବରୂପ ଜନ୍‌ସନ୍‌ ବେବି ପାଉଡର୍ ଉତ୍ପାଦର ଲାଇସେନ୍ସ ବାତିଲ କରିଥିଲେ ଏବଂ ସେପ୍ଟେମ୍ବର 20ରେ ଅନ୍ୟ ଏକ ଆଦେଶରେ ବେବି ପାଉଡର ଉତ୍ପାଦନ ଏବଂ ବିକ୍ରୟକୁ ମଧ୍ୟ ତୁରନ୍ତ ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ବଜାରରେ ଗଚ୍ଛିତ ଥିବା ପ୍ରଡକ୍ଟକୁ ମଧ୍ୟ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଇଥିଲା FDA । ଏହା ପରେ କମ୍ପାନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଶେଷରେ କୋର୍ଟ ମାମଲାର ଶୁଣାଣି କରି ପାଉଡର୍ ପ୍ରସ୍ତୁତି, ବିକ୍ରୟ ଏବଂ ବିତରଣକୁ ଅନୁମତି ଦେଇଛନ୍ତି ।

ଗତ ସପ୍ତାହ ପୂର୍ବରୁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ବେବି ପାଉଡରକୁ ପୁନଃ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ଉତ୍ପାଦ ପରୀକ୍ଷାରେ ବିଫଳ ହୁଏ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଥିଲେ । କାରଣ 2018 ପରଠାରୁ FDA ପାଉଡର୍ ଉପରେ ପରୀକ୍ଷଣ ଜାଣି ରଖିଥିଲା ଏବଂ 2021ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ 2022ରେ ପ୍ରଡକ୍ଟ ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧାଦେଶ ଦେଇଥିଲା । ମାତ୍ର କୌଣସି ନିର୍ଦ୍ଦିଷ୍ଟ ତ୍ରୁଟି ଦର୍ଶାଇ ପାରିନଥିଲା । ଫଳରେ FDA ର କାର୍ଯ୍ୟ ଅଯୌକ୍ତିକ ଏବଂ ଅଯଥା ବୋଲି କହିଛନ୍ତି କୋର୍ଟ ।

ପ୍ରକୃତରେ, FDA ଦ୍ୱାରା ଅନୁସନ୍ଧାନ ପ୍ରକ୍ରିୟାରେ ବିଳମ୍ବକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପୂର୍ବରୁ ମଧ୍ୟ କୋର୍ଟ କହିଥିଲେ ଯେ, ଆପଣ ଅନୁସନ୍ଧାନ କରିବାକୁ ମୁକ୍ତ କିନ୍ତୁ ଏହାର ଏକ ସମୟ ସୀମା ରହିବା ଉଚିତ୍ । ଅନୁସନ୍ଧାନ ନାମରେ ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ । ଗତ ସପ୍ତାହରେ ମଧ୍ୟ କୋର୍ଟ ସମାନ କଥା ଦୋହରାଇଥିଲେ, କୋର୍ଟ କହିଥିଲେ, ନମୁନା ପରୀକ୍ଷା କରିବାକୁ ଚାହୁଁଥିଲେ ତାହା ଆସନ୍ତାକାଲି କରନ୍ତୁ । ଯଦି କିଛି ଅସୁବିଧା ଅଛି ତେବେ ଏକ ସପ୍ତାହ ମଧ୍ୟରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ମାତ୍ର ମାମଲାକୁ ବଢାଇବା ଦ୍ୱାରା କମ୍ପାନୀ ପାଇଁ ଆର୍ଥନୈତିକ ସ୍ତରରେ ପ୍ରଭାବ ପଡିବା ସହ ଗ୍ରାହକଙ୍କ ମନରେ ମଧ୍ୟ ଆଶଙ୍କା ସୃଷ୍ଟି ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.