Free Hotel Management Course: ସୁନ୍ଦରଗଡ ଜିଲ୍ଲା ଅଗ୍ରଣୀ

author img

By

Published : May 12, 2022, 3:56 PM IST

Free Hotel Management Course: ସୁନ୍ଦରଗଡ ଜିଲ୍ଲା ଅଗ୍ରଣୀ

ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ଏଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ଏଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ପ୍ରଦାନ କରାଯାଉଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତା କ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ଛାତ୍ରଛାତ୍ରୀ ଏହି ସୁଯୋଗ ପାଇଛନ୍ତି ।

ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗୀର ସ୍ଥିତ ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । ଏଠାରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଳକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ପଢ଼ିବାର ସୁଯୋଗ ଦିଆଯାଉଛି । ପ୍ରଶାସନର ବିଶେଷ ପ୍ରୋତ୍ସାହନ ଫଳରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ବିଷୟରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାଇ ପାରୁଛନ୍ତି ।

ସେହିପରି ୨୦୨୨-୨୩ ଶିକ୍ଷାବର୍ଷ ଲାଗି ବଲାଙ୍ଗୀର ସ୍ଥିତ ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ହୋଟେଲ ମ୍ୟାନେନମେଣ୍ଟରେ ନାମନୋଖା ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀ ଏଠାରେ ମାଗଣାରେ ନାମ ଲେଖାଇ ପାରିବେ ବୋଲି ଅଧ୍ୟକ୍ଷ ସୁରେଶ କୁମାର ଏକନାଥ କହିଛନ୍ତି । ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହିତ ବାସସ୍ଥାନ ପ୍ରମାଣପତ୍ର ସାଙ୍ଗରେ ନେଇ ବଲାଙ୍ଗୀର ସ୍ଥିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ନାମ ଲେଖାଇ ପାରିବେ ।

ସେହିଭଳି ନାମ ଲେଖାଇବାର ଶେଷ ତାରିଖ ଜୁଲାଇ ୩୧ ରହିଛି ବୋଲି ଅଧ୍ୟକ୍ଷ ଏକନାଥ କହିଛନ୍ତି । ଏହି ତାଲିମ ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଅବଧି ଲାଗି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ କୋର୍ସ ଫି, ହଷ୍ଟେଲ ଏବଂ ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି । ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଗରିବ, ସାଧାରଣ ଏବଂ ଅଦିବାସୀ ଓ ଏସସି, ଏସଟି ବର୍ଗର ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ନେଇ ନିଜର ଭବିଷ୍ୟତର ସ୍ୱପ୍ନ ପୂରଣ କରିବା ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇପାରିଛି ।

ଏଣୁ ଜିଲ୍ଲାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ସୁରଗଡ଼ ଜିଲ୍ଲାପାଳ ନିଖଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି । ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ସଂପୃକ୍ତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ ଏକ ଚୁକ୍ତିପତ୍ର ସ୍ଵାକ୍ଷର କରିଛି । ୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାର ୧୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନାମ ଲେଖାଇଥିବାବେଳେ ୨୦୨୧-୨୨ରେ ୪୦ ଜଣ ପ୍ରାର୍ଥୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ ଜିଲ୍ଲାର ୭ଟି ଖଣି ପ୍ରଭାବିତ ବ୍ଲକ୍ କୋଇଡ଼ା, ଲହୁଣୀପଡ଼ା, ହେମଗିର, କୁତ୍ରା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ଛାତ୍ରଛାତ୍ରୀଙ୍କୁ ଅଗ୍ରଧିକାର ଦିଆଯାଉଛି । ଏହା ବ୍ୟତିତ୍‌ ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍‌ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ଏଣୁ ଦଶମ ଓ +୨ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଯୋଗ୍ୟତା ଭିତ୍ତିରେ ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଡିଗ୍ରୀ, ଡିପ୍ଲୋମା ଏବଂ ବିଭିନ୍ନ ସାର୍ଟିଫିକେଟ୍ କୋର୍ସ ଲାଗି ଆବେଦନ କରିପାରିବେ ।

ଏହି ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେସନ୍‌ ବିଷୟରେ ତିନି ବର୍ଷିଆ ଡିଗ୍ରୀ, ଫୁଡ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ, ହାଉସ୍‌ ସ୍କିପିଂ, ଅଫିସ୍‌ ଅପେରେସନ, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି । ସେହିପରି ଫୁଡ୍‌ ପ୍ରଡକ୍ସନ ଓ ପାଟିସେରି, ଫୁଡ୍‌ ଆଣ୍ଡ ବେଭେରେଜ ସର୍ଭିସରେ ୬ ମାସିଆ ସର୍ଟିଫିକେଟ୍‌ କୋର୍ସ ଦିଆଯାଉଛି ।

ଅନ୍ୟପଟେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରାକ୍ଟିକାଲ ତାଲିମ ଉପରେ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଆବଶ୍ୟକ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି । ସେହିପରି ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ।

ଭୁବନେଶ୍ୱରରୁ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.