ETV Bharat / state

ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ପ୍ରଭାବିତ ପାଠପଢ଼ା, ସ୍କୁଲରେ କମୁଛି ପିଲାଙ୍କ ସଂଖ୍ୟା

author img

By ETV Bharat Odisha Team

Published : Sep 22, 2023, 6:28 PM IST

ପ୍ରାଥମିକ ଶିକ୍ଷକ ସଂଘ ଧାରଣାରେ ବ୍ୟାଘାତ ହେଉଛି ପିଲାଙ୍କ ପାଠପଢ଼ା । କିଛି ସଂଘ ଧାରଣାରୁ ଓହରିବା ପରେ ପାଠ ପଢ଼ା ସ୍ବାଭାବିକ ହେବା ନେଇ ଆଶା କରାଯାଉଛି । ଅଧିକ ପଢ଼ନ୍ତୁ

ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ପ୍ରଭାବିତ ପାଠପଢ଼ା
ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ପ୍ରଭାବିତ ପାଠପଢ଼ା

ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ପ୍ରଭାବିତ ପାଠପଢ଼ା

ରାଉରକେଲା: ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକ ସଂଘ ଧାରଣାରେ ବସିଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଧାରଣାରେ ଥିବାରୁ ସ୍କୁଲ ଗୁଡିକରେ ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ପଡୁଛି ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ହେବାସହ ବିଦ୍ୟାଳୟକୁ ଆସିବାକୁ ମନବଳାଉ ନାହାନ୍ତି ପିଲା। ତେବେ କିଛି ସଂଘ ଧାରଣାରୁ ଓହରିବା ପରେ ପାଠପଢ଼ା ସ୍ବାଭାବିକ ହେବା ନେଇ ଆଶା କରାଯାଉଛି ।

ତେବେ ଗତ ସେପ୍ଟେମ୍ବର 8 ତାରିଖରୁ ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଧାରଣାରେ ବସିଛନ୍ତି । ସେପଟେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଭାବରୁ ସ୍କୁଲ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ହାଇସ୍କୁଲ ଏବଂ ପ୍ରାଥମିକ ସ୍କୁଲ ମିଶିକି ଥିବା ସ୍ଥାନରେ ପାଠପଢ଼ାରେ ବିଶେଷ ପ୍ରଭାବ ପଡୁନଥିବା ବେଳେ ଯେଉଁଠି ପ୍ରାଥମିକ ବିଦ୍ୟାଳୟ ସ୍ୱାଧୀନ ଭାବରେ ଅଛି ସେଠାରେ ଛାତ୍ରଛାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ରାଉରକେଲା ଏବଂ ବିଶ୍ରା ବ୍ଲକର ଶିକ୍ଷକମାନେ ଧାରଣାରେ ବସିଥିବାରୁ ମୋଟ ୨୧୦ ସ୍କୁଲରେ ଶିକ୍ଷାଦାନ ପ୍ରଭାବିତ ହୋଇଛି ।

ଧାରଣାରେ ବସିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦାବି ଗୁଡ଼ିକ ହେଉଛି ନୂତନ ପେନସନ ସ୍କିମ୍ ଉଚ୍ଛେଦ ହେଉ ଏବଂ ପୁରୁଣା ପେନସନ ସ୍କିମ ଅନୁସାରେ ପେନସନ୍ ଦିଆଯାଉ । ଏହାସହ ଗ୍ରେଡ୍‌ ପେ' ୪୨୦୦ କରିବା ସହ ଠିକା ନିଯୁକ୍ତି ହୋଇଥିବା ଶିକ୍ଷାଦାତାମାନଙ୍କୁ ନିୟମିତ କରାଯାଉ । ୨୦୦୫ ମସିହାରୁ ସରକାର ନୂତନ ପେନସନ୍ ସ୍କ୍ରିମ୍ ଲାଗୁ କରିଛନ୍ତି । ଏହି ଯୋଜନାରେ ପୂର୍ବପରି ଅବସରପ୍ରାପ୍ତ ଶିକ୍ଷକମାନେ ପେନସନ୍ ପାଇବେ ନାହିଁ । ତେଣୁ ୨୦୦୫ ମସିହା ପରେ ସ୍ଥାୟୀ ନିଯୁକ୍ତି ପାଇଥବା ଶିକ୍ଷକମାନେ ଏହାକୁ ବିରୋଧ କରି ଗତ ୮ ତାରିଖରୁ ଧାରଣା ଦେଇଛନ୍ତି । ଗଣଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ସହ ଏକ୍ସ କ୍ୟାଡର ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ପ୍ରଥମେ ଠିକା ଭାବେ ନିଯୁକ୍ତି ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ରେଗୁଲାର ଭାବରେ ନିଯୁକ୍ତି ପ୍ରଦାନ କରାଗଲା । ତେବେ ବର୍ତ୍ତମାନ ରେଗୁଲାର ହେବା ପରେ ସମୟ ଅନୁସାରେ ବର୍ଦ୍ଧିତ ଦରମା ପ୍ରଦାନ କରାଯିବା ନେଇ ଦାବି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଅଫିସ ସମ୍ମୁଖରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ଆସନ୍ତାକାଲି(ଶନିବାର) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ବର୍ତ୍ତମାନ କିଛି ସଙ୍ଘ ଏହି ଧାରଣାରୁ ଓହରିଯାଇଥିବା ବେଳେ ଅନ୍ୟ କିଛି ସଙ୍ଘ ଧାରଣାରେ ବସି ରହିଛନ୍ତି । ଯଦି ଆସନ୍ତାକାଲି(ଶନିବାର) ବୈଠକରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ନକରନ୍ତି ତେବେ ଏହି ଆନ୍ଦୋଳନ ଜାରି ରହିବ । ଏହାସହ ଯଦି ସରକାର ସମସ୍ତ ଦାବି ମାନି ନିଅନ୍ତି ତେବ ସ୍କୁଲରେ ପାଠପଢା ପୂର୍ବ ଭଳି ଆରମ୍ଭ ହେବ ଏବଂ ସମୟ ଅନୁସାରେ ପିଲାଙ୍କ ପାଠ ପଢା ମଧ୍ୟ ଶେଷ ହେବ ବୋଲି ଶିକ୍ଷକମାନେ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.