ETV Bharat / state

ଧସିଲା ବିର୍ସା ମୁଣ୍ଡା ଷ୍ଟାଡିୟମର ମୁଖ୍ୟ ରାସ୍ତା, ଷ୍ଟାଡିୟମ ସୁରକ୍ଷିତ ତ ?

author img

By

Published : Apr 15, 2023, 4:05 PM IST

ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଭିଆଇପି ଗେଟ କୁହାଯାଉଥିବା ଦୁଇ ନମ୍ବର ଗେଟ ନିକଟରେ ଧସି ଯାଇଛି ରାସ୍ତା । ରାସ୍ତା ଧସିବା ସହ ଷ୍ଟାଡିୟମ ଗେଟର ପିଲାର କେବଳ ତାହାର ବେସ ସହ ଲଟକିଥିବା ଦେଖିବାକୁ ମିଳିଛି । ଏହାପରେ ଷ୍ଟାଡିୟମ ନିର୍ମାଣକାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି ସହରବାସୀ । ଅଧିକ ପଢ଼ନ୍ତୁ

ଧସିଲା ବିର୍ସା ମୁଣ୍ଡା ଷ୍ଟାଡିୟମର ମୁଖ୍ୟ ରାସ୍ତା
ଧସିଲା ବିର୍ସା ମୁଣ୍ଡା ଷ୍ଟାଡିୟମର ମୁଖ୍ୟ ରାସ୍ତା

ଧସିଲା ବିର୍ସା ମୁଣ୍ଡା ଷ୍ଟାଡିୟମର ମୁଖ୍ୟ ରାସ୍ତା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟକୁ ନେଇ ଉପୁଜୁଛି ସନ୍ଦେହ । କେତେ ସୁରକ୍ଷିତ ରହିଛି ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ପ୍ରାୟ ୧୨୦ କୋଟି ଟଙ୍କା ଅଟକଳ ବ୍ୟୟରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମଟିର ନିର୍ମାଣ କାର୍ଯ୍ୟ ସଠିକ ଭାବରେ ହୋଇଛି, ନା ବେପରୁଆ ମନୋଭାବ ନେଇ ତରବରିଆ ଭାବରେ ହୋଇଛି ସେନେଇ ଉଠିଛି ପ୍ରଶ୍ନ । ମାତ୍ର ୧୫ ମାସରେ ଏତେ ବଡ଼ ଷ୍ଟାଡିୟମ ନିର୍ମାଣ କରିଥିବାରୁ ବାଃ ବାଃ ନେଉଥିବା ରାଜ୍ୟ ସରକାରଙ୍କୁ ଏହି ଷ୍ଟାଡିୟମ ଉପରେ ମଧ୍ୟ ରଖିବାକୁ ପଡିବ ନଜର । ତେବେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଭିଆଇପି ଗେଟ କୁହାଯାଉଥିବା ଦୁଇ ନମ୍ବର ଗେଟ ନିକଟରେ ଧସି ଯାଇଛି ରାସ୍ତା । ରାସ୍ତା ଧସିବା ସହ ଷ୍ଟାଡିୟମ ଗେଟର ପିଲାର ବର୍ତ୍ତମାନ ଲଟକିଛି କେବଳ ତାହାର ବେସ ସହ ।

ବିନା କୌଣସି କାରଣରେ ଏଭଳି ରାସ୍ତା ଧସିବା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାସ୍ତା ଭାଙ୍ଗିବା ସହ ଆଖ ପାଖରେ ଥିବା ଫୁଟପାଥ ମଧ୍ୟ ଧସି ଯାଇଛି । ସମ୍ପୂର୍ଣ୍ଣ ଗେଟ ସମ୍ମୁଖରେ ଘଟିଛି ଏଭଳି ଅଘଟଣ । ଲୋକଙ୍କ ସୁରକ୍ଷାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ରାଉରକେଲା ସହରବାସୀ । ତେବେ ଏହି ଗେଟ ନିକଟର ରାସ୍ତା ଧସିବା ଏବଂ ପାଖ ଫୁଟପାଥ ମଧ୍ୟ ଧସିବା କୌଣସି ଛୋଟ କଥା ନୁହେଁ । ଏଥିରୁ ଅନୁମେୟ କରି ହେଉଛି ଯେ କିଭଳି ଭାବରେ ବେପରୁଆ ମୋନଭାବ ନେଇ ତରବରିଆ ଭାବରେ ହୋଇଛି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ । ରାସ୍ତା ଯଦି ବିନା ବର୍ଷାରେ ଧସି ଯାଉଛି, ତେବେ ଆଗାମୀ ସମୟରେ ବର୍ଷା ଦିନରେ ପରିସ୍ଥିତି କଣ ହେବ, ସେନେଇ ଚିନ୍ତିତ ଲୋକେ । ଷ୍ଟାଡିୟମ ନିର୍ମାଣର ୧୦୦ ଦିନ ମଧ୍ୟରେ ଷ୍ଟାଡିୟମର ରାସ୍ତା ଧସିବା ଲୋକଙ୍କ ମନରେ ଏକ ଆଶଙ୍କା ସୃଷ୍ଟି କରିଛି । ଯେଉଁ ଷ୍ଟାଡିୟମରେ ସଫଳ ଭାବରେ ବିଶ୍ବକପ ହୋଇଛି, ବିଶ୍ବର ସବୁଠୁ ବଡ଼ ହକି ଷ୍ଟାଡିୟମ ବୋଲାଉଥିବା ଏହି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଦର୍ଶକଙ୍କ ପାଇଁ କେତେ ସୁରକ୍ଷିତ, ଏ ପ୍ରଶ୍ନ ବର୍ତ୍ତମାନ ସମସ୍ତ ରାଉରକେଲା ସହରବାସୀଙ୍କ ମନ ଭିତରେ ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କେଉଁ ପରିସ୍ଥିତିରେ ଘଟିଛି ଏଭଳି ଅଘଟଣ । ଯଦି କିଏ ଏହି ରାସ୍ତା ଧସିବା ସମୟରେ ଏହାର ଶିକାର ହୋଇଥାନ୍ତା, ସେଥିପାଇଁ ଦାୟୀ କିଏ ହୋଇଥାନ୍ତା । ପ୍ରାୟ ଗୋଟାଏ ଫୁଟରୁ ଅଧିକ ଗାତ ହୋଇ ଧସିଛି ଏହି ଷ୍ଟାଡିୟମ ରାସ୍ତା । ଲଟକିଛି ଷ୍ଟାଡିୟମର ପିଲାର । କୌଣସି ମୁହୂର୍ତ୍ତରେ ସେ ମଧ୍ୟ ଭାଙ୍ଗି ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏନେଇ ଆମେ ରାଉରକେଲା ପ୍ରଶାସନ ସହ ସମ୍ପର୍କ କରିଥିଲୁ । କିନ୍ତୁ କ୍ରୀଡା ବିଭାଗ ଉପରେ ସବୁ ଛାଡ଼ିଦେଇ ହାତ ଟେକିଦେଇଛି ରାଉରକେଲା ପ୍ରଶାସନ । ସେପଟେ କ୍ରୀଡା ବିଭାଗ କହୁଛି ଆମ ହାତରେ କିଛି ନାହିଁ, ଏହା ସମ୍ପର୍କରେ ବଡ଼ ବାବୁ ପ୍ରତିକ୍ରିୟା ଦେବେ । ଏଭଳି ଦୋଷ ଲଦାଲଦି ମଧ୍ୟରେ ଧସିଛି ଷ୍ଟାଡିୟମର ରାସ୍ତ । ତେବେ ଶୀଘ୍ର ମରାମତି ନହେଲେ, ଆଗକୁ ବଡ଼ ଅଘଟଣ ଘଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରେନା । ଏହାକୁ ନେଇ ଚିନ୍ତାରେ ସାଧାରଣ ଲୋକେ । ତେବେ ରାସ୍ତା ଧସିବା ପରଠାରୁ ଷ୍ଟାଡିୟମ ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.