ETV Bharat / state

କ୍ରୀଡା ଇତିହାସରେ ଯୋଡିହେଲା ସ୍ଵର୍ଣ୍ଣିମ ଅଧ୍ୟାୟ, ସର୍ବବୃହତ ହକି ଷ୍ଟାଡିୟମ ଲୋକାର୍ପିତ

author img

By

Published : Jan 5, 2023, 6:17 PM IST

ସୁନ୍ଦରଗଡ଼ର ରାଉରକେଲା ସହରରେ ଲୋକାର୍ପିତ ହେଲା ସର୍ବବୃହତ ହକି ଷ୍ଟାଡିୟମ । ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏଠାରେ ୨୦୨୩ ହକି ବିଶ୍ବକପର ମ୍ୟାଚ ଖେଳାଯିବ । "ହକିକୁ ଭଲ ପାଉଥିବା ସମସ୍ତ କ୍ରୀଡ଼ାପ୍ରେମୀ, ଖେଳାଳି, ସାଧାରଣ ଜନତା, ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ମୁଁ ଉତ୍ସର୍ଗ କରୁଛି," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Birsa Munda International Hockey Stadium
Birsa Munda International Hockey Stadium

କ୍ରୀଡା ଇତିହାସରେ ଯୋଡି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ, ସର୍ବବୃହତ ହକି ଷ୍ଟାଡିୟମ ଲୋକାର୍ପିତ

ଭୁବନେଶ୍ବର: ବିଶ୍ଵ କ୍ରୀଡା ଇତିହାସରେ ଯୋଡି ହେଲା ଏକ ସ୍ଵର୍ଣ୍ଣିମ ଅଧ୍ୟାୟ । ଲୋକାର୍ପଣ ହେଲା ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Rourkela Visit) ଆଜି ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ (Birsa Munda Hockey Stadium)କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସାରା ଓଡି଼ଶା ପାଇଁ ଆଜି ଆନନ୍ଦ, ଉତ୍ସବ ଓ ଖୁସିର ଦିନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Birsa Munda International Hockey Stadium
ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ

ମୁଖ୍ୟମନ୍ତ୍ରୀ କହିଛନ୍ତି, "ହକିକୁ ଭଲ ପାଉଥିବା ସମସ୍ତ କ୍ରୀଡ଼ାପ୍ରେମୀ, ଖେଳାଳି, ସାଧାରଣ ଜନତା, ଦେଶର ହକି କ୍ରୀଡାବିତ୍‌ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ମୁଁ ଉତ୍ସର୍ଗ କରୁଛି ।" ହକିକୁ ଭଲ ପାଉଥିବା ସମସ୍ତଙ୍କୁ ହକି ବିଶ୍ଵକପ୍ ଭବ୍ୟ ଉତ୍ସବରେ ସାମିଲ ହେବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି । ବିଶ୍ଵକପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳିଙ୍କୁ ୧ କୋଟି ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହା ହେଉଛି ଓଡିଶାର ସମଗ୍ର ଦେଶକୁ ସବୁଠାରୁ ଶ୍ରେଷ୍ଠ ଉପହାର । ଏହା ଭାରତକୁ ହକି କ୍ଷେତ୍ରରେ ଏକ ବଡ଼ ଶକ୍ତି ଭାବରେ ଗଢି ତୋଳିବ । ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ହକି ଖେଳରେ ଦେଶ ଏକ ମଜବୁତ ଦଳ ଭାବରେ ପ୍ରତିଷ୍ଠା ଲାଭ କରିବ । ହକିର ସ୍ବର୍ଣ୍ଣକ୍ଷେତ୍ର ସୁନ୍ଦରଗଡରେ ଆଜି ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ଓଡି଼ଶା ମାଟିର ଗୌରବ ଗାନ କରୁଛି ।

Birsa Munda International Hockey Stadium
ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ

ଏହା ବି ପଢନ୍ତୁ- Hockey World Cup 2023: ଓ୍ୱାର୍ଲ୍ଡକପ୍ ଭିଲେଜ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଭାରତ ଜିତିଲେ ପ୍ରତି ଖେଳାଳିଙ୍କୁ ଦେବେ ୧କୋଟି ପୁରସ୍କାର ରାଶି

ଏହି ଷ୍ଟାଡିୟମ ସାରା ବିଶ୍ବ ପାଇଁ ହକିର ମୁଖ୍ୟ କେନ୍ଦ୍ର ହୋଇ ରହିବ । ଦେଶର ପ୍ରମୁଖ ଟିମମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଚାଲିବ । ଏହି ଉଦ୍ୟମ ଦେଶର ଯୁବ ଖେଳାଳିମାନଙ୍କୁ ପ୍ରେରଣା ଦେବ । ଦେଶରେ ଅନେକ ଚମ୍ପିୟାନ ସୃଷ୍ଟି କରିବ । ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି କରି ଚାଲିବ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସଦିଚ୍ଛା ଓ ଭଲପାଇବା ଯୋଗୁଁ ଆମର ସ୍ବପ୍ନ ସାକାର ହୋଇଛି । ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବାର ଉଦ୍ୟମର ଏହା ପ୍ରତିଫଳନ । ଦେଶର କ୍ରୀଡା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏହି ଷ୍ଟାଡିୟମ ଓଡି଼ଶାର ଛବିକୁ ଆହୁରି ଉଜ୍ଜ୍ବଳ କରିଛି । ଆଗାମୀ ଅନେକ ଯୁଗ ପର୍ଯ୍ୟନ୍ତ ଏହି ଷ୍ଟାଡିୟମ ଆମର ମୁକୁଟମଣି ହୋଇ ହକି ପ୍ରତି ଭାରତୀୟମାନଙ୍କର ଭାବାବେଗ ଓ ଭଲପାଇବାକୁ ପରିପ୍ରକାଶ କରିଚାଲିବ । ଏହା ଭାରତୀୟ ହକିର ଏନ୍ତୁଡି଼ଶାଳା ହୋଇ ରହିବ।"

ମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୧୨୦ କୋଟି ଟଙ୍କା ବ୍ୟୟରେ ରେକର୍ଡ ୧୫ମାସ ସମୟ ମଧ୍ୟରେ ଏହି ଷ୍ଟାଡିୟମ ନିର୍ମିତ ହୋଇଛି । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, 5T ସଚିବ ଭି.କେ ପାଣ୍ଡିଆନ୍ ଓ ହକି ଇଣ୍ଡିଆର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଇଣ୍ଡିଆ A ଓ ଇଣ୍ଡିଆ B ଟିମ ମଧ୍ୟରେ ଉଦଘାଟନୀ ମ୍ୟାଚକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ରାଉରକେଲାରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ସେଠାରେ ଭାରତୀୟ ହକି ଟିମର ଖେଳାଳିମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି ।

ଏହାପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ମେଡିକାଲ କଲେଜ ଉଦଘାଟନ କରିବା ସହିତ ସୁନ୍ଦରଗଡ଼ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଉରକେଲାରେ 'ମୋ ବସ୍‌ ସେବା'ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସେ ହକି ଷ୍ଟାଡିୟମ ଉଦଘାଟନ କରିଛନ୍ତି । ୧୧୦୦ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୨୨୬ଟି ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.