ETV Bharat / state

ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ

author img

By ETV Bharat Odisha Team

Published : Dec 29, 2023, 7:23 AM IST

Minor Girl Illegal Delivery Case: ବେଆଇନ ପ୍ରସବ ଅଭିଯୋଗରେ ୪ ଜଣକୁ ଗିରଫ କରିଛି ବିଶ୍ରା ଥାନା ପୋଲିସ । ଜଣେ ନାବାଳିକା ସହ ଅନୈତିକ ସମ୍ପର୍କ ପରେ ଗର୍ଭପାତ ପ୍ରଚେଷ୍ଟା ଫେଲ୍ ମାରିବାରୁ ବେଆଇନ ପ୍ରସବ ଷଡଯନ୍ତ୍ର ରଚିଥିଲା ଅଭିଯୁକ୍ତ ପ୍ରେମିକ । ଅଧିକ ପଢନ୍ତୁ

ବେଆଇନ ପ୍ରସବ ଅଭିଯୋଗ
ବେଆଇନ ପ୍ରସବ ଅଭିଯୋଗ

ରାଉରକେଲା: ନାବାଳିକାଙ୍କ ବେଆଇନ ପ୍ରସବ କରାଇବା ପଡିଲା ମହଙ୍ଗା । ବେଆଇନ ପ୍ରସବ ଅଭିଯୋଗରେ ୪ ଜଣକୁ ଗିରଫ କରିଛି ବିଶ୍ରା ଥାନା ପୋଲିସ । ରାଉରକେଲା ସହର ଉପକଣ୍ଠ ବିଶ୍ରା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ, ଜଣେ ନାବାଳିକା ସହ ଅନୈତିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ ସଞ୍ଜିତ । ଆଉ ନାବାଳିକା ଜଣକ ଗର୍ଭବତୀ ହେବା ପରେ ଗର୍ଭପାତ କରାଇବାକୁ ଚେଷ୍ଟା କରିଥିଲା । ମାମଲାରେ ୪ ଜଣକୁ ଗିରଫ କରିଛି ବିଶ୍ରା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜିତ ମହାନ୍ତ, ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତି, ରାଉରକେଲାର ଏକ ଘରୋଇ ନର୍ସିଂ ହୋମର ମ୍ୟାନେଜର ସଞ୍ଜୟ ପଣ୍ଡା ଓ ଅଭିଯୁକ୍ତ ସଞ୍ଜିତର ସମ୍ପର୍କୀୟ ମହାବୀର ମହାତୋ ।

ତେବେ ନବଜାତ ଶିଶୁକନ୍ୟାକୁ ପୋଲିସ ଏବଂ ଶିଶୁ ବିକାଶ ସମିତି ଜଣେ ଡାକ୍ତରଙ୍କ ଘରୁ ଉଦ୍ଧାର କରିଥିବା ଜଣାପଡିଛି । ଏହି ଘଟଣାରେ ବେଆଇନ ଭାବେ ପ୍ରସବ କରାଇ ନିଜ ଘରେ ନବଜାତ ଶିଶୁକନ୍ୟାକୁ ରଖିଥିଲେ ଡାକ୍ତର । ତେବେ ନବଜାତକୁ ଘରେ ରଖିବା ଅଭିଯୋଗରେ ଡାକ୍ତରଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସଞ୍ଜିତର ଘର ଜରେଇକେଲା ଅଞ୍ଚଳରେ । ନାବାଳିକା ଜଣକ ଗର୍ଭବତୀ ହେବା ପରେ ଏ କଥା ପ୍ରଘଟ ହେବା ଭୟରେ ସଞ୍ଜିତ ନାବାଳିକାଙ୍କ ଗର୍ଭପାତ ପାଇଁ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲା ।

ସଞ୍ଜିତଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲେ ସନତ । ସେଠାରେ ଥିବା ମ୍ୟାନେଜର ସଞ୍ଜୟ ପଣ୍ଡାଙ୍କ ସହ କଥାବାର୍ତ୍ତା ପରେ ନାବାଳିକାକୁ ଉକ୍ତ ନର୍ସିଂହୋମରେ ଭର୍ତ୍ତି କରାଇଥିଲେ । ପରେ ଡାକ୍ତର ବର୍ମାଙ୍କ ଦ୍ୱାରା ଉକ୍ତ ନାବାଳିକାଙ୍କ ଡେଲିଭରୀ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ନାବାଳିକା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ମାତ୍ର ସମସ୍ତେ ମିଶି ତାଙ୍କର ଗର୍ଭପାତ ହୋଇଗଲା ବୋଲି ନାବାଳିକାଙ୍କୁ କହିଥିଲେ । ପରେ ଉକ୍ତ ଡାକ୍ତର ନବଜାତ ଶିଶୁକନ୍ୟାକୁ ନେଇ ନିଜ ଘରେ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ...ଆଲିଗଡ଼ରେ ନାବାଳିକାକୁ ଦୁଷ୍କର୍ମ, ବନ୍ଧା ହେଲା ୬୬ ବର୍ଷୀୟ ବୃଦ୍ଧ

ଅଭିଯୋଗ ପାଇବା ପରେ ପୋଲିସ ଏବଂ ଚାଇଲ୍ଡ଼ ୱେଲଫେୟାର କମିଟି ଶିଶୁକନ୍ୟାକୁ ଡାକ୍ତରଙ୍କ ଘରୁ ଉଦ୍ଧାର କରିଥିଲେ । ବେଆଇନ ଭାବେ ଡେଲିଭରୀ କରାଇବା ଏବଂ ଶିଶୁକୁ ରଖିବା ଅଭିଯୋଗରେ ଏବେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଖୋଜୁଛି । ଶିଶୁ ମଙ୍ଗଳ ସମିତି ଏବଂ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଡାକ୍ତରଙ୍କୁ ଖୋଜି ବାହାର କରିବା ପରେ ପୋଲିସ ତଦନ୍ତ ଆଗକୁ ବଢ଼ାଇବ ବୋଲି ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.