ମହାଷ୍ଟମୀରେ ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ବରୀ

author img

By

Published : Oct 13, 2021, 2:44 PM IST

ଦେବୀ ମା' ସୁରେଶ୍ୱରୀଙ୍କ ଜୟଦୁର୍ଗା ବେଶ

ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ଆଜି(ବୁଧବାର) ଜୟଦୁର୍ଗା ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ଆଜି(ବୁଧବାର) ଜୟଦୁର୍ଗା ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଦେବୀ ମା' ମହିଷାମର୍ଦ୍ଦିନୀ ବେଶ ଧାରଣ କରିବେ। ତେବେ ଦେବୀ ମା' ସୁରେଶ୍ବରୀ ଆଶ୍ବିନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି ।

ମହାଷ୍ଟମୀରେ ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ବରୀ

ମହାଳୟାରେ ଦେବୀ ମା' ଧବଳମୁଖୀ ବେଶ ଧାରଣ କରୁଥିବା ବେଳେ ପରବର୍ତ୍ତୀ ଦଶମୀ ତିଥି ଯାଏଁ ତାରା, ଷୋଡ଼ଶୀ, ଭୈରବୀ, ଭୂବନେଶ୍ବରୀ, ମହାଲକ୍ଷ୍ମୀ, ବଗଳାମୁଖୀ, ଜୟଦୁର୍ଗା, ମହିଷାମର୍ଦ୍ଦିନୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରିବାର ପରମ୍ପରା ରହିଛି । ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଙ୍ଗର ବସ୍ତ୍ର ପ୍ରଦାନ କରାଯାଉ ଥିବାବେଳେ ଆଜି କିନ୍ତୁ ଦେବୀ ମା' ସୁନା ଓ ରୁପା ଆଭୂଷଣରେ ସଜ୍ଜିତ ହୋଇ ଗାଢ ନାଲି ରଙ୍ଗର ପାଟ ବସ୍ତ୍ର ପରିଧାନ କରିଛନ୍ତି । ମହାଳୟାରେ ସେବାୟତମାନେ ଗଙ୍ଗାଜଳ, ଅଗୁର, ଚନ୍ଦନ, କର୍ପୂର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରୁଥିବାବେଳେ ଅନ୍ୟ ଦିନରେ ଦେବୀମା କଳା, ହଳଦିଆ, ହାଲକା ଫଗୁ ରଙ୍ଗ ତଥା ସବୁଜ ବସ୍ତ୍ର ପରିଧାନ କରିଥାନ୍ତି ।

ତେବେ ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରାର ନୀତିକାନ୍ତି ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ଏଥିରେ ସାମିଲ ହୋଇ ଦେବୀମା ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି ଏହି ଶାକ୍ତ ପୀଠକୁ । ଦେବୀ ପୀଠରେ ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ଶୃଙ୍ଖଳିତ ଦେବୀ ଦର୍ଶନ ଓ କୋଭିଡ ନିୟମ ଅନୁପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ଦେବୋତ୍ତର ବିଭାଗ ନିର୍ଦ୍ଦେଶ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.