ETV Bharat / state

ପଶ୍ଚିମ ଓଡିଶାର ଗଡ଼ଜାତ ପର୍ବ ନୂଆଁଖାଇ, ଚୌହାନ ଶାସନ କାଳରୁ ପୂଜା ପାଇ ଆସୁଛନ୍ତି ଦେବୀ ମା' ସମଲେଇ

author img

By ETV Bharat Odisha Team

Published : Aug 31, 2023, 3:22 PM IST

ନୂଆଁଖାଇ ପର୍ବରେ ସୋନପୁର ଗଡଜାତରେ ଦେବୀ ମା ସମଲେଇ ସ୍ବତନ୍ତ୍ର ନୀତିକାନ୍ତିରେ ପୂଜା ପାଆନ୍ତି । ରାଜତନ୍ତ୍ରର ବିଲୋପ ପରେ ଚୌହାନ ଶାସକଙ୍କ ଇଷ୍ଟ ଦେବୀ ମା ସମଲେଇଙ୍କୁ ଆଧାର କରି ନୂଆଁଖାଇ ପାହୁର ପର୍ବର ଆୟୋଜନ କରାଯାଇ ଆସୁଛି । ଅଧିକ ପଢନ୍ତୁ

ପଶ୍ଚିମ ଓଡିଶାର ପର୍ବ ନୂଆଁଖାଇ
ପଶ୍ଚିମ ଓଡିଶାର ପର୍ବ ନୂଆଁଖାଇ

ପଶ୍ଚିମ ଓଡିଶାର ପର୍ବ ନୂଆଁଖାଇ

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ପର୍ବ ଲୋକଙ୍କ ଭାବାବେଗ ସହ କାହିଁ କେଉଁ କାଳରୁ ଜଡ଼ିତ । ଏହା କେବେ ଆରମ୍ଭ ହୋଇଥିଲା ତାହା ଉପରେ କିଛି ସ୍ପଷ୍ଟ ତଥ୍ୟ ନାହିଁ । ମୁଖ୍ୟତଃ ସମ୍ବଲପୁର ଅଞ୍ଚଳର ଆଦିବାସୀ ନୂଆଁଖାଇ ଆରମ୍ଭ କରିଥିଲେ ବୋଲି ବିଶ୍ୱାସ କରାଯାଏ । ପ୍ରକୃତି ଦତ୍ତ ପ୍ରଥମ ଅନ୍ନକୁ ଈଶ୍ୱରଙ୍କୁ ନୈବେଦ୍ୟ ଅକାରରେ ପ୍ରଦାନ କରିବା ପରେ ନିଜେ ଗ୍ରହଣ କରିବାର ଏହି ପରମ୍ପରାକୁ ଆଦିବାସୀମାନେ ନୂଆଁଖାଇ ବୋଲି କହୁଥିଲେ । ତେବେ ନୂଆଁଖାଇ ପର୍ବରେ ସୋନ୍‌ପୁର ଗଡ଼ଜାତରେ ଦେବୀ ମା' ସମଲେଇଙ୍କ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଚୌହାନ ଶାସନ ଅମଳରେ ଦେବୀ ମା' ସମଲେଇଙ୍କୁ ନେଇ ସୋନପୁର ଗଡଜାତରେ ସବୁ ପର୍ବ ପର୍ବାଣୀ ପାଳିତ ହେଉଥିଲା । ସେହିପରି ରାଜତନ୍ତ୍ରର ବିଲୋପ ପରେ ଚୌହାନ ଶାସକଙ୍କ ଇଷ୍ଟ ଦେବୀ ମା ସମଲେଇଙ୍କୁ ଆଧାର କରି ନୂଆଁଖାଇ ପାହୁର ପର୍ବର ଆୟୋଜନ କରାଯାଇ ଆସୁଛି ।

ରାଜତନ୍ତ୍ର ସମୟରେ ଗଡ଼ଜାତର ତିଲେଶ୍ବରା ଛତରିଆ ପହିଲି ଶସ୍ୟରେ ତିଆରି ଅରୁଆ ଚାଉଳ, ଅରୁଆ ଚୁଡ଼ା ଓ ଟୁପା ଆଣି ରାଜଭଣ୍ଡାରରେ ଦାଖଲ କରୁଥିଲେ । ସେହିପରି କୁମ୍ଭକାର ନୂତନ ଟଡିଆ ଜମା ଦେଉଥିବା ବେଳେ ମହାଲିକ ଶୁଦ୍ଧ ଗୁଆଘିଅ ଓ ଚୁଡା ଆଣି ରାଜଭଣ୍ଡାର ଜମା ଦେଉଥିଲେ । ଯାହା ନୂଆଁଖାଇ ତିଥିରେ ରାଜପ୍ରାସାଦର ଦେବୀ ମା କନକ ଦୁର୍ଗାଙ୍କ ମନ୍ଦିରରୁ ପାହୁର ବା ଭୋଗ ଖଂଜା ଭାବେ ଅଷ୍ଟଚଣ୍ଡୀ ପୀଠକୁ ଯାଉଥିଲା । ସେଦିନର ପାହୁର ପରମ୍ପରା ଆଜିଯାଏଁ ଚାଲି ଆସିଛି । ତେବେ ବର୍ତ୍ତମାନ ସମୟରେ ତାହା ସଦର ପୌର ପରିଷଦ ଆୟୋଜନ କରୁଥିବା ବେଳେ ପାହୁର ଯାତ୍ରା କମିଟି ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ଅଷ୍ଚଚଣ୍ଡୀଙ୍କ ପୀଠକୁ ନେଉଛନ୍ତି । ରାଜତନ୍ତ୍ରର ବିଲୋପ ପରେ ଦେବୀ ମା କନକ ଦୁର୍ଗାଙ୍କ ମନ୍ଦିର ବି ବିଲୁପ୍ତ ହୋଇ ଯାଇଥିବା ବେଳେ ଗଡ଼ଜାତର ଚୌହାନ ଶାସକଙ୍କ ଇଷ୍ଟଦେବୀ ମା' ସମଲେଇଙ୍କ ପୀଠରେ ଏହି ପାହୁର ପର୍ବର ଆୟୋଜନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ନୂଆଁଖାଇରେ ଉତ୍ସବ ମୁଖର ହେବ ସୁବର୍ଣ୍ଣପୁର, ଲଗ୍ନ ନିର୍ଦ୍ଧାରଣ ପାଇଁ ପୌର ପରିଷଦକୁ ଦେବୋତ୍ତର କମିଟିର ଅନୁରୋଧ

ସୋନପୁର ଗଡ଼ଜାତରେ ନୂଆଁଖାଇ ଏକ ଲୋକ ପରମ୍ପରା ଭାବେ ପ୍ରାୟ ଅଷ୍ଟମ ନବମ ଶତାଦ୍ଦୀରେ ସୋମବଂଶୀ ରାଜତ୍ବ କାଳରେ ପୃଷ୍ଟପୋଷକତା ଲାଭ କରିଥିଲା । ଚୌହାନ ଶାସନ ଅମଳରେ ଦେବୀ ମା ସୁରେଶ୍ବରୀଙ୍କୁ କେନ୍ଦ୍ର କରି ଏହି ପର୍ବ ପାଳନ କରାଯାଇ ଆସୁଥିବା ଜନଶ୍ରୃତି ରହିଛି । ରାଜତନ୍ତ୍ରର ବିଲୋପ ପରେ ଅଷ୍ଟଚଣ୍ଡୀଙ୍କ ପୀଠର ସେବାୟତ ମାନେ ପରମ୍ପରା ଅନୁଯାୟୀ ଏହି ପାହୁର ପର୍ବରେ ନିଜକୁ ସାମିଲ କରି ଦେବୀ ମା ସମଲେଇଙ୍କ ପୀଠରୁ ପାହୁର ନେଇଥାନ୍ତି । ରାଜାଙ୍କ ବଂଶଜ ଦେବୀ ମା ସମଲେଇଙ୍କ ପୀଠରେ ସେବାୟତମାନଙ୍କୁ ପାହୁର ଟେକି ଦେବା ପରେ ନିର୍ଦ୍ଧାରିତ ସମୟରେ ପାହୁର ଯାତ୍ରା ବାହାରି ଅଷ୍ଟଚଣ୍ଡୀଙ୍କ ପୀଠକୁ ଯାଏ ।

ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଦେବୀମାଙ୍କ ନିକଟରେ ପାହୁର ସମର୍ପଣ ପରେ ପୌର ପରିଷଦ କର୍ମଚାରୀମାନେ ବାଣ ଫୁଟାଇ ଓ ବାଜା ବଜାଇ ନଗରବାସୀଙ୍କୁ ନିଜ ନିଜ ଇଷ୍ଟ ଦେବଦେବୀଙ୍କ ନିକଟରେ ନବାନ୍ନ ସମର୍ପଣ କରି ଭକ୍ଷଣ କରିବାର ସୂଚନା ଦେଇଥାଆନ୍ତି । ଏବେ ପାହୁର ଖଞ୍ଜାରେ ପୌର ପରିଷଦ ବର୍ଷର ପହିଲି ଶସ୍ୟରେ ପ୍ରସ୍ତୁତ ଅରୁଆ ଚାଉଳ, ଅରୁଆ ଚୁଡା, ଘିଅ, ମହୁ, ଚିନି, ଖାଇବା ତେଲ, ଅଟା ସହିତ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆବଶ୍ୟକ ପନିପରିବା ସହିତ ଦେବୀଙ୍କ ବସ୍ତ୍ର ଓ ମନ୍ଦିର ପାଇଁ ନୂତନ ବାନା ଆଦି ବ୍ୟବସ୍ଥା କରାଯାଇ ଥାଏ । ଦେବୀ ମା' ସମଲେଇଙ୍କ ପୀଠରେ ପାହୁର ଖଞ୍ଜା ନୂତନ ହାଣ୍ଡିରେ ରଖି ପୂଜକ ପୂଜା ଆରାଧନା କରିବା ପରେ ପାହୁର ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ । ତେବେ ରାଜତନ୍ତ୍ର ପରେ ବି ଏହି ଗଣପର୍ବରେ ଦେବୀ ମା' ସମଲେଇଙ୍କ ଭୂମିକା ଓ ପୀଠର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.