ETV Bharat / state

ପୁଅର ମୃତ୍ୟୁ ଖବର ଶୁଣି ବାପାର ଉଡିଗଲା ପ୍ରାଣବାୟୁ, ଏକାଠି ଜଳିଲା ଜୁଇ

author img

By

Published : May 1, 2023, 7:39 AM IST

Updated : May 1, 2023, 8:21 AM IST

ପୁଅର ମୃତ୍ୟୁ ଖବର ଶୁଣିବା ପରେ ବାପାର ଚାଲିଗଲା ଜୀବନ । ଗୋଟିଏ ଶ୍ମଶାନରେ ଜଳିଲା ବାପା ପୁଅଙ୍କ ଜୁଇ । ଅଧିକ ପଢନ୍ତୁ

father dies after hearing son death in sonpur
father dies after hearing son death in sonpur

father dies after hearing son death in sonpur

ସୋନପୁର: ଏମିତି ବି ଆସେ ମୃତ୍ୟୁ । ବାପାକୁ ହସ୍ପିଟାଲ ନେଇଥିବା ବେଳେ ଚାଲିଗଲା ପୁଅର ଜୀବନ । ପୁଅର ମୃତ୍ୟୁ ଖବର ଶୁଣିବା ପରେ ବାପାର ଉଡିଗଲା ପ୍ରାଣବାୟୁ । ଶେଷରେ ଏକା ସାଙ୍ଗରେ ଗୋଟିଏ ଶ୍ମଶାନରେ ଜଳିଲା ବାପା ପୁଅଙ୍କ ଜୁଇ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୋନପୁର ଜିଲ୍ଲାର ତରଭା ଅଞ୍ଚଳରେ । ବାପା ପୁଅଙ୍କ ଏକା ସଙ୍ଗେ ମୃତ୍ୟୁ ଘଟିବା ପରେ ଆବାକ ଗ୍ରାମବାସୀ । ମୃତକ ଦ୍ବୟ ହେଉଛନ୍ତି ପୁଅ ଆର୍ତ୍ତତ୍ରାଣ ଓ ତାଙ୍କ ବାପା ଆଦି ସା ।

ମିଳିଥିବା ସୂଚନା ଅନୁଯାୟୀ, ଆଦି ସା ପରିଣତ ବୟସରେ ପହଞ୍ଚି ଥିଲେ ହେଁ ସେ ବିନା କାହାରି ସହାୟତାରେ ନିଜ ଦୈନନ୍ଦିନ କାର୍ଯ୍ୟ କରୁଥିଲେ । କିନ୍ତୁ ହଠାତ ତାଙ୍କ ଦେହ ଖରାପ ହେବାରୁ ପୁଅ ଆର୍ତ୍ତତ୍ରାଣ ତାଙ୍କୁ ତରଭାରେ ଥିବା ଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସିତ ହେବା ପରେବି ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା । ପରେ ପୁଅ ଆର୍ତ୍ତତ୍ରାଣ ବାପାଙ୍କୁ ଅଧିକ ଚିକିତ୍ସା ଉଦ୍ଦେଶ୍ୟରେ ବଲାଙ୍ଗୀର ଭୀମଭୋଇ ଚିକିତ୍ସାଳୟକୁ ନେଇଥିଲେ । ବର୍ହିଃ ବିଭାଗରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ଆଦି ସାଙ୍କୁ ଶଯ୍ୟାକୁ ନେବା ପାଇଁ କହିଥିଲେ । ଏହି ସମୟରେ ପୁଅ ଆର୍ତ୍ତତ୍ରାଣ ନିଜ ଆତ୍ମୀୟ ସ୍ବଜନଙ୍କ ସହିତ ବାପାଙ୍କୁ ଶଯ୍ୟାକୁ ନେବା ସମୟରେ ନିଜେ ଅସୁସ୍ଥ ଅନୁଭବ କରୁଥିବା କହି କିଛି ସମୟ ତଳେ ବସି ପଡିଥିଲେ ।

ଏହି ସମୟରେ ହଠାତ ଆର୍ତ୍ତତ୍ରାଣଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଡାକ୍ତର ଆର୍ତ୍ତତ୍ରାଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ । ଏହା ଶୁଣିବା ପରେ ହଠାତ ଆଦି ସାଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା । ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଶୁଣିବା ମାତ୍ରେ ହିଁ ବାପା ଆଦି ସାଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ଅପରାହ୍ନରେ ଉଭୟ ବାପାପୁଅଙ୍କ ମର ଶରୀର ଗାଁକୁ ଅଣାଯାଇଥିଲା । ଗାଁ ଲୋକେ ତଥା ଆତ୍ମୀୟ ସ୍ବଜନ ଅନ୍ତିମ ଦର୍ଶନ କରିବା ପରେ ଉଭୟଙ୍କୁ ଶ୍ମଶାନକୁ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ଏକା ସାଙ୍ଗରେ ଦୁଇଟି ଜୁଇରେ ଜଳିଥିଲା ବାପା ପୁଅଙ୍କ ମୃତଦେହ । ତେବେ ଆଦି ସାଙ୍କ ପରିବାରରେ ଆଉ କେଉଁ ମାନେ ରହିଛନ୍ତି ସେନେଇ ସୂଚନା ମିଳିପାରିନାହିଁ । ଉଭୟଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ, ସୋନପୁର

Last Updated : May 1, 2023, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.