ସମ୍ବଲପୁରରେ ଆରମ୍ଭ ହେଲା ଦୁଇ ଦିନିଆ ଗୋପାଳନ ସମ୍ମିଳନୀ, ସାମିଲ ହୋଇଛନ୍ତି ଦୁଗ୍ଧ ଚାଷୀ
ସମ୍ବଲପୁରରେ ଆରମ୍ଭ ହେଲା ଦୁଇ ଦିନିଆ ଗୋପାଳନ ସମ୍ମିଳନୀ, ସାମିଲ ହୋଇଛନ୍ତି ଦୁଗ୍ଧ ଚାଷୀ
ସମ୍ବଲପୁରରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଗୋପାଳନ ସମ୍ମିଳନୀରେ ପଶ୍ଚିମ ଓଡିଶାର ‘ସାମୁଲ’ ଅଧୀନରେ ଥିବା 6 ଟି ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ସହ ଦେଶର ବିଭିନ୍ନ ରାଜ୍ୟର ସଫଳ ଦୁଗ୍ଧ ଚାଷୀ, ଗବେଷକ, ବୈଜ୍ଞାନୀ ଓ ଦୁଗ୍ଧ ଚାଷ ସହ ଜଡିତ କମ୍ପାନୀର ଅଧିକାରୀ ଯୋଗ ଦେଇ ନିଜ ନିଜର ଷ୍ଟଲ ପକାଇଛନ୍ତି l ଅଧିକ ପଢନ୍ତୁ
ସମ୍ବଲପୁର: ସମ୍ବଲପୁରରେ ଆଜିଠୁ ଆରମ୍ଭ ହୋଇଛି ପଶ୍ଚିମ ଓଡିଶା ଗୋପାଳନ ସମ୍ମିଳନୀ-2023 l ଏହି ଗୋପାଳନ ସମ୍ମିଳନୀ ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ପଶ୍ଚିମ ଓଡିଶାର 6 ଟି ଜିଲ୍ଲାର ଗୋପାଳକ ବା ଦୁଗ୍ଧ ଚାଷୀ ସାମିଲ ହୋଇଛନ୍ତି l ଆଜି ଏହାର ଉଦଘାଟନୀ ସମାରୋହରେ ଶ୍ରମମନ୍ତ୍ରୀ ସାରଦା ନାଏକ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ପଶୁ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ସାମୁଲର ସଭାପତି ବିଦ୍ୟାଧର ପ୍ରଧାନ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, କୁଚିଣ୍ଡା ବିଧାୟକ କିଶୋର ନାଏକ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ ପ୍ରମୁଖ ଯୋଗ ଦେଇ ଦୁଗ୍ଧ ଚାଷୀ ମାନଙ୍କୁ ଉତ୍ସାହିତ କରିବା ସହ ଦୁଗ୍ଧ ଚାଷୀଙ୍କ ପାଇଁ ଥିବା ସରକାରୀ ଯୋଜନା ନେଇ ଅବଗତ କରାଇଥିଲେ l
ସମ୍ବଲପୁରରେ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ଗୋପାଳନ ସମ୍ମିଳନୀରେ ପଶ୍ଚିମ ଓଡିଶାର ‘ସାମୁଲ’ ଅଧୀନରେ ଥିବା 6 ଟି ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ସହ ଦେଶର ବିଭିନ୍ନ ରାଜ୍ୟର ସଫଳ ଦୁଗ୍ଧ ଚାଷୀ, ଗବେଷକ, ବୈଜ୍ଞାନୀ ଓ ଦୁଗ୍ଧ ଚାଷ ସହ ଜଡିତ କମ୍ପାନୀର ଅଧିକାରୀ ଯୋଗ ଦେଇ ନିଜ ନିଜର ଷ୍ଟଲ ପକାଇଛନ୍ତି l ବର୍ତ୍ତମାନ ଗ୍ରାମାଞ୍ଚଳରେ ଦୁଗ୍ଧ ଚାଷ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ଏହି ଚାଷୀ ମାନଙ୍କୁ ସରକାରୀ ଯୋଜନା ନେଇ ଅବଗତ କରାଇବା, ଉନ୍ନତ ଜ୍ଞାନ କୌଶଳ ଜଣାଇବା, ମାର୍କେଟ ନେଇ ଅବଗତ କରାଇବା ଉଦ୍ଦେଶ୍ୟ ରହିଛି ସମ୍ମିଳନୀର । ଏହା ସହ ଏହି ଅବସରରେ ସ୍ଥାନୀୟ ଚାଷୀ ମାନେ ରାଜ୍ୟ ତଥା ରାଜ୍ୟ ବାହାରର ସଫଳ ଦୁଗ୍ଧ ଚାଷୀ, ବ୍ୟବସାୟୀ, ବିଜ୍ଞାନୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନୂତନ ଜ୍ଞାନ କୌଶଳ ଓ ରୋଜଗାରର ଅବସର ପାଇବେ l ସମ୍ବଲପୁର ଜିଲ୍ଲା ପ୍ରଶାସନ, ସାମୁଲ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ମିଳିତ ଉଦ୍ୟମରେ ଏହା ଅନୁଷ୍ଠିତ ହେଉଛି l
ଏହି ଅବସରରେ ସମ୍ବଲପୁର ଜିଲାପାଳ ଜିଲ୍ଲାରେ ଦୁଗ୍ଧ ଚାଷୀଙ୍କ ପାଇଁ ସୃଷ୍ଟି କରାଯାଉଥିବା ଭିତ୍ତିଭୂମିର ବିକାଶ ନେଇ ଅବଗତ କରାଇଥିଲେ l ମୁଖ୍ୟତଃ ରେଙ୍ଗାଲିରେ ହେଉଥିବା ଘାସ ଚାଷ ଓ ଜିଲ୍ଲାରେ ଚାଲିଥିବା ଟେଲି ମେଡ଼ିସିନ ସେବା ନେଇ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ l ଏହି ଅବସରରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ ସୂଚନା ଦେଇ କହିଥିଲେ ଯେ ଗତ 20 ବର୍ଷ ରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ 3 ଗୁଣ ବୃଦ୍ଧି ପାଇଛି l ତେଣୁ ଆଗକୁ ଦୁଗ୍ଧ ଶୀତଳ ଭଣ୍ଡାର ତିଆରିକୁ ଗୁରୁତ୍ବ ଦିଆଯାଉଛି । 20 ବର୍ଷ ତଳେ ରାଜ୍ୟରେ 875 ମେଟ୍ରିକ ଟନ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଏହା 2400 ମେଟ୍ରିକ ଟନରେ ପହଞ୍ଚିଛି l ଏଥିପାଇଁ ଦୁଗ୍ଧ ଚାଷକୁ ଅଧିକ ଗତିଶୀଳ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ।
ଏଥିରେ ଯୋଗ ଦେଇଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି ଯେ ଦୁଗ୍ଧ ଚାଷ ଗ୍ରାମାଞ୍ଚଳର ରୋଜଗାରର ପ୍ରମୁଖ ଆଧାର ଅଟେ l ଧାନ ଚାଷରୁ ମଧ୍ୟ ଏଥିରେ ଲାଭ ରହିଛି l ତେଣୁ ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି l ଗତ ଗୋଟିଏ ବର୍ଷ ଭିତରେ ପଶ୍ଚିମ ଓଡିଶାର ସାମୁଲ ଅଧୀନରେ ଥିବା 6 ଟି ଜିଲ୍ଲାରେ ଦୁଗ୍ଧ ଉତ୍ପାଦନରେ 20% ବୃଦ୍ଧି ହୋଇଛି l ତେଣୁ ଏହିଭଳି ଗୋପାଳନ ସମ୍ମିଳନୀ ଦୁଗ୍ଧ ଚାଷୀଙ୍କୁ ଚେତନା ପ୍ରଦାନ କରିବ l
ଇଟିଭି ଭାରତ, ସମ୍ବଲପୁର
