ETV Bharat / state

୩୬୦ ବର୍ଷର ନିଆରା ପରମ୍ପରା, ମହରମରେ ହିନ୍ଦୁ ଘରୁ ବାହାରୁଛି ତାଜିଆ ଶୋଭାଯାତ୍ରା

author img

By

Published : Jul 29, 2023, 4:52 PM IST

Updated : Jul 29, 2023, 5:12 PM IST

ସମ୍ବଲପୁରରେ ପାଳିତ ହୋଇଛି ଇସଲାମ ଧର୍ମାବଲମ୍ବୀଙ୍କ ବଳିଦାନର ପର୍ବ ମହରମ । ୩୬୦ ବର୍ଷ ହେଲା ସମ୍ବଲପୁର ମୁଦିପଡ଼ାର ହିନ୍ଦୁ ପରିବାର ତାଜିଆ ଶୋଭାଯାତ୍ରା ବାହାର କରି ଆସୁଛନ୍ତି ।

muharram 2023
ସମ୍ବଲପୁରରେ ମହରମ ପାଳନ

ସମ୍ବଲପୁରରେ ମହରମ ପାଳନ

ସମ୍ବଲପୁର: ତ୍ୟାଗ ଓ ବଳିଦାନର ପର୍ବ ମହରମ । ସାରା ବିଶ୍ବରେ ଆଜି ମୁସଲିମ ସମ୍ପ୍ରଦାୟଙ୍କ ପବିତ୍ର ମହରମ ପର୍ବ ବେଶ ଆଡ଼ମ୍ବର ସହକାରେ ପାଳନ ହେଉଥିବା ବେଳେ ସମ୍ବଲପୁରରେ ରହିଛି 360 ବର୍ଷ ପୁରୁଣା ନିଆରା ପରମ୍ପରା l ଏକ ହିନ୍ଦୁ ପରିବାର ମହରମ ତଜିଆ ବାହାର କରି ଆସୁଛନ୍ତି l ସମ୍ବଲପୁର ମୁଦିପଡ଼ାର ପଡିଆରୀ ପରିବାରର 10ମ ପିଢ଼ି ଏହି ନିଆରା ପରମ୍ପରା ନିଭେଇ ଆସୁଥିବା ବେଳେ କୁମ୍ଭାରପଡ଼ାର ଏକ କୁମ୍ଭାର ପରିବାର ଶହଶହ ବର୍ଷ ହେଲା ମୁସଲମାନ ମାନଙ୍କ ପାଇଁ ତାଜିଆ ତିଆରି କରି ଆସୁଛନ୍ତି l ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ହିନ୍ଦୁ ପରିବାରଠୁ ତଜିଆ ବରାଦ କରି କିଣନ୍ତି l

ଆଜି ସାରା ଦେଶରେ ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ ପାଳିତ ହେଉଛି l ସମ୍ବଲପୁରରେ ମଧ୍ୟ ଏହି ପର୍ବ ପାଳିତ ହେଉଛି l ଜିଲ୍ଲା ପ୍ରଶାସନର କଟକଣାକୁ ମାନି ନିଜନିଜ ଅଞ୍ଚଳରେ ଏହି ପର୍ବ ପାଳିତ ହେଉଛି l ତେବେ ସମ୍ବଲପୁର ମହରମର ଏକ ସ୍ୱତନ୍ତ୍ର ବିଶେଷତା ରହିଛି l ସହରର ମୁଦିପଡ଼ାର ପଡିଆରୀ ପରିବାର 360 ବର୍ଷ ହେଲା ନିଜ ଉଦ୍ୟମରେ ମହରମ ତାଜିଆ ବାହାର କରି ଆସୁଛନ୍ତି l ପିଢ଼ି ପରେ ପିଢ଼ି ବର୍ତ୍ତମାନ 10 ପିଢ଼ି ହୋଇଗଲା ଏହି ପରିବାର ତାଜିଆ ଶୋଭାଯାତ୍ରା କରୁଛନ୍ତି । ଇସଲାମ ରୀତିନୀତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା ହେଉଛି । ମୁସଲମାନ ପୂଜକ ଆସି ଏଠି ଆରାଧନା କରନ୍ତି l ତେବେ ତାଜିଆ ପ୍ରତି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ବିଶ୍ୱାସ କରନ୍ତି l ହିନ୍ଦୁ ଲୋକ ମାନେ ଧୂପ ଓ ନଡ଼ିଆ ଦେଇ ନିଜର ଆସ୍ଥା ପ୍ରକଟ କରନ୍ତି l କେତେକ ଲୋକ ଏଠାରେ ମାନସିକ ମଧ୍ୟ କରନ୍ତି l ଏହି ତାଜିଆର ସ୍ୱତନ୍ତ୍ରତା ହେଲା ଅନ୍ୟ ସବୁ ତାଜିଆର ଉପର ପାର୍ଶ୍ଵର ଗମ୍ବୁଜ ଯେ କୌଣସି ରଙ୍ଗର ହୋଇଥିବା ବେଳେ ହିନ୍ଦୁ ପରିବାରର ତାଜିଆ ଉପର ପାର୍ଶ୍ଵର ଗମ୍ବୁଜ କେବଳ ଲାଲ ରଙ୍ଗର ହୋଇଥାଏ l ଏହାର ରଙ୍ଗ ମଧ୍ୟ କେବେ ପରିବର୍ତ୍ତନ ହୁଏ ନାହିଁ l

ଏହା ମଧ୍ୟ ପଢ଼ନ୍ତୁ: ମହରମରେ ଅଘଟଣ: ତାଜିଆ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୪ ମୃତ

1600 ଶତାବ୍ଦୀର ମଧ୍ୟ ଭାଗରେ ଏହି ପରିବାରର 2 ଜଣ ବୟୋଜ୍ୟେଷ୍ଠ ମକ୍କା ମଦିନା ଗସ୍ତ କରିଥିଲେ l ସେତେବେଳେ ସେଠାରୁ ଫେରିବା ସମୟରେ ତାଙ୍କ ସହ 2 ଜଣ ମୁସଲମାନ ବାବା ସମ୍ବଲପୁର ଆସିଥିଲେ l ସେହି 2 ବାବା ସମ୍ବଲପୁର ଆସି ପଢିଆରୀ ପରିବାର ସହ ରହିଥିଲେ l ସେହି ସମୟରେ ବାବାଙ୍କ ପରାମର୍ଶ କ୍ରମେ ଏହି ପରିବାର ମହରମ ତାଜିଆ ବାହାର କରିଥିଲେ ଯାହା ଆଜି ମଧ୍ୟ ଜାରି ରହିଛି l ଅନ୍ୟପଟେ ସମ୍ବଲପୁର ସହରର କୁମ୍ଭାରପଡ଼ାର ଏକ କୁମ୍ଭାର ପରିବାର ମଧ୍ୟ ଶହଶହ ବର୍ଷ ହେଲା ମହରମ ପାଇଁ ତାଜିଆ ତିଆରି କରି ଆସୁଛନ୍ତି l ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଏହି ପରିବାରକୁ ନିଜର ପସନ୍ଦ ମୁତାବକ ତାଜିଆ ତିଆରି କରିବାକୁ ବରାଦ କରି ଆସୁଛନ୍ତି l ଏହି ପରିବାର ସମ୍ବଲପୁର ସମେତ ଝାରସୁଗୁଡା, ସୁନ୍ଦରଗଡ଼, ରାଉରକେଲାର ମହରମ ପାଇଁ ତଜିଆ ପ୍ରସ୍ତୁତ କରି ଆସୁଛନ୍ତି l ଏହିଭଳି ଭାବରେ ସମ୍ବଲପୁର ମହରମର ଏକ ସ୍ୱତନ୍ତ୍ର ପରିଚୟ ରହୁଥିବା ବେଳେ ଏହା ହିନ୍ଦୁ, ମୁସଲମାନ ଭାଇଚାରାର ଅନନ୍ୟ ନିଦର୍ଶନ ଦେଇ ଆସୁଛି l

ଇଟିଭି ଭାରତ, ସମ୍ବଲପୁର

Last Updated :Jul 29, 2023, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.