ETV Bharat / state

ନୂଆ ଜିଲ୍ଲା ସଭାପତି ନିଯୁକ୍ତି ପରେ ବଳ ଗୋଟାଉଛି କଂଗ୍ରେସ, ଏକାଠି ହେଉଛନ୍ତି ନେତା ଓ କର୍ମୀ

author img

By

Published : Jun 28, 2023, 8:10 PM IST

ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଆସଫ ଅଲ୍ଲୀ ଖାଁ ନିଯୁକ୍ତ ହେବା ପରେ ବଳ ଗୋଟାଉଛି କଂଗ୍ରେସ । ଜିଲ୍ଲାରେ ସତ୍ତା ହରେଇବାକୁ ବସିଥିବା କଂଗ୍ରେସ ନୂତନ ଜିଲ୍ଲା ସଭାପତିଙ୍କୁ ପାଇ ଦଳର ପୁରୁଣା ନେତା, କର୍ମୀ ଓ ଯୁବନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ଦଳକୁ ଆଗକୁ ବଢ଼ାଯିବ ବୋଲି କର୍ମୀ ଓ ନେତା କହିଛନ୍ତି । ଅଧିକ ପଢ଼ନ୍ତୁ

ନୂଆ ଜିଲ୍ଲା ସଭାପତି ନିଯୁକ୍ତି ପରେ ବଳ ଗୋଟାଉଛି କଂଗ୍ରେସ
ନୂଆ ଜିଲ୍ଲା ସଭାପତି ନିଯୁକ୍ତି ପରେ ବଳ ଗୋଟାଉଛି କଂଗ୍ରେସ

ନୂଆ ଜିଲ୍ଲା ସଭାପତି ନିଯୁକ୍ତି ପରେ ବଳ ଗୋଟାଉଛି କଂଗ୍ରେସ

ସମ୍ବଲପୁର: ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ରାଜନୈତିକ ମାହୋଲ ଗରମ ହେବାକୁ ଲାଗିଲାଣି । ରାଜନୈତିକ କାର୍ଯ୍ୟକ୍ରମ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ନେତା ଓ ମନ୍ତ୍ରୀଙ୍କ ଗତିବିଧି ବୃଦ୍ଧି ପାଇଛି । ଏଭଳି ସ୍ଥତିରେ ଏବେ ସମ୍ବଲପୁର ଜିଲ୍ଲାରେ ନିଜର ସ୍ଥିତି ହରେଇ ବସିଥିବା କଂଗ୍ରେସ ନୂତନ ଜିଲ୍ଲା ସଭାପତିଙ୍କୁ ପାଇ ନିଜର ସ୍ଥିତି ସୁଦୃଢ କରିବା ପାଇଁ ଚେଷ୍ଟା କରୁଛି । ରେଢ଼ାଖୋଲର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲାର ପୂର୍ବତନ ଯୁବ ସଭାପତି ଆସଫ ଅଲ୍ଲୀ ଖାଁ ନୂତନ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେବାପରେ ଏବେ ଦଳ ପୁନର୍ସଂଗଠିତ ହେବାକୁ ଚେଷ୍ଟା କରୁଛି । ତୃଣମୂଳସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ବାସ ପରିଲକ୍ଷିତ ହୋଇଛି । ଦଳ ଭିତରେ ଥିବା ପୁରୁଣା ରାଗ ରୋଷ ଓ ଗୋଷ୍ଠୀ କନ୍ଦଳ ଭୁଲି ଦଳକୁ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି ନୂତନ ଜିଲ୍ଲା ସଭାପତି ଆସଫ ଅଲ୍ଲୀ ଖାଁ ।

୨୦୦୦ ମସିହାରୁ କଂଗ୍ରେସ ହାତରୁ ଖସିଛି ଗଡ଼: ନବେ ଦଶକରେ ସମ୍ବଲପୁର ବିଧାନସଭା ସିଟରେ କଂଗ୍ରେସର କବ୍‌ଜା ଥିଲା । ୧୯୯୦ ଓ ୧୯୯୫ ଲଗାତାର ୨ ଥର ସମ୍ବଲପୁର ବିଧାନସଭା ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ଦୁର୍ଗା ଶଙ୍କର ପଟ୍ଟନାୟକ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ବିଜେଡି ଓ ବିଜେପି ମେଣ୍ଟ ହେବାପରେ ସମ୍ବଲପୁର ସିଟ୍‌ଟି ବିଜେପି ପାଇଥିଲା । ବିଜେପିରୁ ଜୟନାରାୟଣ ମିଶ୍ର ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ବିଜେପିର ଜୟନାରାୟଣ ମିଶ୍ର ବିଜୟୀ ହୋଇଛନ୍ତି । ଏହାରି ଭିତରେ ୨୦୦୯ରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗିବା ପରେ କେବଳ ୨୦୧୪ରେ ବିଜେଡିର ଡା ରାସେଶ୍ବରୀ ପାଣିଗ୍ରାହୀ ବିଜୟୀ ହୋଇଥିଲେ । ତେବେ ୨୦୧୪- ୧୫ ପରେ ପରେ ସମ୍ବଲପୁର ଜିଲ୍ଲାରେ କଂଗ୍ରେସର ସ୍ଥିତି ବହୁତ ଦୁର୍ବଳ ହୋଇଗଲା । ମୁଖ୍ୟତଃ ଜିଲ୍ଲାରେ ଦୁର୍ବଳ ନେତୃତ୍ବ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । ତେବେ ବର୍ତ୍ତମାନ ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାଁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେବାପରେ ଏବେ କଂଗ୍ରେସର ସ୍ଥିତି ସୁଦୃଢ ହେବ ବୋଲି କର୍ମୀ ଆଶା ରଖିଛନ୍ତି ।

ସ୍ଥିତି ସୁଧାରିବେ ନୂଆ ସଭାପତି !: ସମ୍ବଲପୁର ଜିଲ୍ଲା କଂଗ୍ରେସର ନିକଟ ଇତିହାସ ଉପରେ ନଜର ପକେଇଲେ, ୨୦୧୪ ପର୍ଯ୍ୟନ୍ତ ଜିଲ୍ଲାରେ କଂଗ୍ରେସର ସ୍ଥିତି ଭଲ ଥିଲା । ୨୦୦୯ ମସିହାରେ ଜିଲ୍ଲାର ରେଙ୍ଗାଲି ଓ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯଥାକ୍ରମେ ଦୁର୍ଯ୍ୟୋଧନ ଗରଡିଆ ଓ ରାଜେନ୍ଦ୍ର ଛତରିଆଙ୍କ ପରି କଂଗ୍ରେସ ବିଧାୟକ ଥିବାବେଳେ ଏହି ସମୟରେ ସମ୍ବଲପୁର ଲୋକସଭା ଆସନରେ କଂଗ୍ରେସର ଅମରନାଥ ପ୍ରଧାନ ସାଂସଦ ଥିଲେ । ତେବେ ୨୦୧୪ ପରବର୍ତ୍ତୀ ସମୟରେ କଂଗ୍ରେସର ସ୍ଥିତି ବଗିଡ଼ିବାକୁ ଲାଗିଲା, ଆଉ ବର୍ତ୍ତମାନ ସ୍ଥିତିରେ କଂଗ୍ରେସ ତାର ସତ୍ତା ହରେଇବାକୁ ବସିଥିଲା । କଂଗ୍ରେସ କର୍ମୀ ଓ ନେତା ଶୀର୍ଷ ନେତୃତ୍ବଙ୍କ ସମ୍ବଲପୁର ଜିଲ୍ଲା ପ୍ରତି ଥିବା ଆଭିମୁଖ୍ୟ ଯୋଗୁଁ ଆଶା ହରେଇ ବସିଥିଲେ । ଜିଲ୍ଲାରେ କଂଗ୍ରେସର କୌଣସି କାର୍ଯ୍ୟକ୍ରମ ହେଲେ ନେତାଙ୍କ ମଧ୍ୟରେ ତାଳମେଳ ନଥିବା ବେଳେ କୌଣସି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଲୋକ ହେଉନଥିଲେ । ବର୍ତ୍ତମାନ ନୂତନ ଜିଲ୍ଲା ସଭାପତି ଆସଫ ଅଲ୍ଲୀ ଖାଁ ଆସିବା ପରେ ଦଳର ପୁରୁଣା ନେତା, କର୍ମୀ ଓ ଯୁବନେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ଦଳକୁ ଆଗକୁ ବଢ଼ାଯିବ ବୋଲି କର୍ମୀ ଓ ନେତା କହିଛନ୍ତି । ମୁଖ୍ୟତଃ ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ଆଗାମୀ ଦିନରେ କଂଗ୍ରେସ ଲୋକଙ୍କ ସହ ରହି ଲଢେଇ କରିବ ବୋଲି କଂଗ୍ରେସ ନେତା ଓ କର୍ମୀ କହିଛନ୍ତି । ଅନ୍ୟପଟେ ନୂତନ ଜିଲ୍ଲା ସଭାପତି ଆସଫ ଅଲ୍ଲୀ ଖାଁ ଜଣେ ଭଲ ସଂଗଠକ ହୋଇଥିବା ବେଳେ ରେଢ଼ାଖୋଲରେ ମଧ୍ୟ ତାଙ୍କର ଭଲ ଦବଦବା ରହିଛି । ତେଣୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଜିଲ୍ଲାରେ କଂଗ୍ରେସର ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି କର୍ମୀ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.