ETV Bharat / state

ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍: ୫୦ କୋଟି ଜବତ ! ଟଙ୍କା ଗଣିଗଣି ଥକିଲେ ଅଧିକାରୀ

author img

By ETV Bharat Odisha Team

Published : Dec 8, 2023, 1:16 PM IST

Updated : Dec 8, 2023, 3:05 PM IST

Odisha Income Tax Raid: ସମ୍ବଲପୁର ମଦ ଭାଟି ମ୍ୟାନେଜରଙ୍କ ଘରେ ଆୟକର ଚଢ଼ାଉ । ୨ଟି ଗାଡ଼ିରେ ବୁହା ହେଲା ବସ୍ତା ବସ୍ତା ଟଙ୍କା । ଅଧିକ ପଢନ୍ତୁ

ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍
ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍

ମଦଭାଟି ମ୍ୟାନେଜରଙ୍କ ଘରେ ଆଇଟି ରେଡ୍

ସମ୍ବଲପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆୟକର ରେଡ୍ । ଯେତେ ଖୋଳତାଡ଼ ହେଉଛି, ପ୍ରତିଦିନ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏତେ ଟଙ୍କା ମିଳୁଛି ଯେ, ବସ୍ତା ବସ୍ତା ହୋଇ ଟ୍ରକରେ ବୁହାହେଉଛି । ଟଙ୍କା ଗଣି ଗଣି ଟଙ୍କାଗଣା ମେସିନ ବି ଥକି ପଡୁଛି । ଗତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଏହି ଚଢାଉ ଜାରି ରହିଥିବା ବେଳେ ଗତକାଲିଠୁ ଆୟକର ଟିମ୍ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ ବଜାର ସ୍ଥିତ ଏକ ଦେଶୀ ମଦଭାଟିର ମ୍ୟାନେଜର ବିଜୟ ଶ୍ରୀବାସ୍ତବଙ୍କ ଘର, ଅଫିସ ଓ ଧନୁପାଲି ମଦଭାଟିରେ ଚଢ଼ାଉ ଜାରି ରଖିଛି । ମଦ ପ୍ରସ୍ତୁତକାରୀ କମ୍ପାନୀ ବଳଦେବ ସାହୁ ଆଣ୍ଡ ସନ୍ସ ଲିଙ୍କ୍‌ରେ ଏହି ଚଢ଼ାଉ ହେଉଛି । ଗତକାଲି ଏହି ବଡ଼ ବଜାର ସ୍ଥିତ ମଦଭାଟି କାର୍ଯ୍ୟାଳୟରୁ ୩୦ ବସ୍ତା ଟଙ୍କା ଜବତ କରାଯାଇଥିଲା । ଏହି ଟଙ୍କା ବସ୍ତାକୁ ୨ଟି ଗାଡ଼ିରେ ଭର୍ତ୍ତି କରାଯାଇ ସମ୍ବଲପୁର ଏସ୍‌ବିଆଇ ମୁଖ୍ୟ ବ୍ରାଞ୍ଚକୁ ଅଣାଯାଇଛି ।

ଆୟକର ବିଭାଗ ସମ୍ପୃକ୍ତ ମଦଭାଟି ମ୍ୟାନେଜରଙ୍କୁ ପଚରାଉଚରା କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରାଯାଇଛି l ବିଶେଷ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ ଏହି ସବୁ ଜବତ ଟଙ୍କାରେ 50, 100, 200, 500 ଟଙ୍କିଆ ନୋଟ ରହିଛି l ସେହିପରି କିଛି ପୁରୁଣା ନୋଟ୍ ମଧ୍ୟ ଥିବାର ସୂଚନା ମିଳୁଛି । ଏସବୁ ଟଙ୍କା ଆୟକର ବିଭାଗ ଆକାଉଣ୍ଟରେ ଡିପୋଜିଟ କରାଯିବ l ଏହାପୂର୍ବରୁ ଏଥିରେ ନକଲି, ଫଟା ଚିରା ନୋଟ ଅଛି ନା ନାହିଁ ତାହାର ଯାଞ୍ଚ କରାଯିବ l ଯେକୌଣସି ଗ୍ରାହକର ଟଙ୍କା ଜମା କରାଗଲେ ଯେଉଁ ସବୁ ପ୍ରକ୍ରିୟା ହୋଇଥାଏ ସେହି ପ୍ରକ୍ରିୟାରେ ଆୟକର ବିଭାଗର ଆକାଉଣ୍ଟରେ ଟଙ୍କା ଜମା ହେବ l ତେବେ ଏତେ ପରିମାଣର ଟଙ୍କା ଜବତ ହୋଇଛି ଯେ ଏହାକୁ ଗଣତି କରିବାକୁ ବ୍ୟାଙ୍କର ୬ ଜଣ କର୍ମଚାରୀ ଏବଂ ଏକାଧିକ ମେସିନ ନିୟୋଜିତ ହୋଇଛନ୍ତି । ତଥାପି ସବୁତକ ଗଣିବାକୁ ଆହୁରି ୫ ଦିନ ଲାଗିପାରେ ବୋଲି ସୂଚନା ମିଳିଛି l ଗତକାଲିଠୁ ୧୧ କୋଟି ଟଙ୍କା ପର୍ଯ୍ୟନ୍ତ ଗଣତି ହୋଇସାରିଛି l ଯେଉଁମାନେ ଟଙ୍କା ଗଣତି କରୁଛନ୍ତି ସେମାନଙ୍କୁ ମୋବାଇଲ ବ୍ୟବହାର ମନା କରାଯାଇଛି l

ସେହିପରି ବଳଦେବ ସାହୁ ଆଣ୍ଡ ସନ୍ସ କମ୍ପାନିର ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ଓ ମଦଭାଟିରେ ଆୟକର ବିଭାଗର ପକ୍ଷରୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଚଢ଼ାଉ ଆଜି ବି ଜାରି ରହିଛି l ଏଠାରୁ ଜବତ ଟଙ୍କା ପାଖାପାଖି ୫୦ କୋଟି ହୋଇଯିବ ବୋଲି ଅନୁମାନ କରାଯାଉଛି । ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଘର, କାର୍ଯ୍ୟଳୟ, ଭାଟିରେ ଚଢ଼ଉ ଚାଲିଛି ।

ସୂଚନାଯୋଗ୍ୟ, ସମ୍ବଲପୁରରେ ବଳଦେବ ସାହୁ ଆଣ୍ଡ୍‌ ସନ୍ସ କମ୍ପାନିର ଧନୁପାଲି ସ୍ଥିତ ମହାବୀରପଡ଼ାର ମୁଖ୍ୟ ମଦଭାଟିରେ ପ୍ରଥମେ ଚଢ଼ାଉ ହୋଇଥିଲା । ଏହି ମହାବୀରପଡ଼ା ମୁଖ୍ୟ ମଦଭାଟିରୁ SBI ମୁଖ୍ୟ ଶାଖାକୁ ୩ଟି ବ୍ୟାଗରେ ଟଙ୍କା ଆସିଥିବା ସୂଚନା ମିଳିଛି l ସମ୍ବଲପୁର, ବଡ଼ ବଜାର ସ୍ଥିତ ଭାଟି କାର୍ଯ୍ୟାଳୟରେ ଏତେ ଟଙ୍କା ଥିଲା ଯେ, ଆୟକର ବିଭାଗର ଅଧିକାରୀମାନେ ସେଠାରେ ଟଙ୍କା ଗଣିବା ସମ୍ଭବ ହୋଇନଥିଲା l ଏହାପରେ SBIର କ୍ୟାସ ଭ୍ୟାନ ମଗାଇ ସେଠାରୁ ଟଙ୍କା ନିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧରେ ବଡ଼ଧରଣର ଆଇଟି ରେଡ୍, ବ୍ୟବସାୟୀ ପ୍ରତିଷ୍ଠାନ ଭିତରେ କୋକୁଆ ଭୟ

ଏହି ମଦ ସଂସ୍ଥାର ମାଲିକ ପ୍ରଥମେ ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ମଦ ବ୍ୟବସାୟ ଆରମ୍ଭ କରିଥିଲେ । ପ୍ରଥମେ ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ ନାମରେ ସଂସ୍ଥା ଆରମ୍ଭ ହୋଇଥିଲା ଓ ପରେ ଫରଚୁନ୍‌ ସ୍ପିରିଟ୍ ନାମରେ ଆଉ ଏକ ସଂସ୍ଥା ଖୋଲାଯାଇଥିଲା । ସେହି ଫରଚୁନ ସ୍ପିରିଟ୍ ନାମରେ କୋଟିକୋଟି ଟଙ୍କାର ଋଣ କରାଯାଇଥିଲା ଓ ସଂସ୍ଥା କ୍ଷତି କରିଥିବା ଦର୍ଶାଯାଇ ଟଙ୍କା ହେର୍‌ଫେର୍ କରାଯାଇଥିଲା । ଏହାପରେ ଏହି ସଂସ୍ଥାର ୩ ମୂଳ ମାଲିକ ଓ ସେମାନଙ୍କର ୭ ପୁଅଙ୍କ ନାମରେ ବୌଦ୍ଧ ଡିଷ୍ଟ୍ରିଲାରୀ(ବିଡିପିଏଲ୍), ରାଣୀସତୀ ପ୍ୟାଡି ପ୍ରୋସେସିଂ ଭଳି ଭିନ୍ନ ଭିନ୍ନ ନାମରେ ସଂସ୍ଥା ଖୋଲାଯାଇ କୋଟିକୋଟି ଟଙ୍କାର ଆୟକର ଫାଙ୍କିଥିବା ଅଭିଯୋଗ ହୋଇଛି । ଏବେ ସେହି କଳା ସାମ୍ରାଜ୍ୟର ରହସ୍ୟ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି । ଆୟକର ବିଭାଗର ୩୬ଟି ଟିମ୍ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୬ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି ।


ସେପଟେ ବଲାଙ୍ଗୀରରେ ମଧ୍ୟ ଆଜି ଦ୍ବିତୀୟ ଦିନରେ ଚଢାଉ ଜାରି ରହିଛି । ଗୋଟିଏ ପଟେ ବ୍ୟାଙ୍କରେ ଜବତ ନଗଦ ଗଣତି ଜାରି ଥିବାବେଳେ ଆଜି ମଦ ବ୍ୟବସାୟୀଙ୍କ ଅନ୍ୟ ଠିକଣାରେ ଚଢାଉ କରାଯାଉଛି । ୪୦ ଜଣିଆ ଟିମ୍ ସହ ନିଜେ ଆୟକର ବିଭାଗର ଅତିରିକ୍ତ ଡିଜି ଗୁରମିତ୍ ସିଂହ ଏହି ଚଢାଉରେ ସାମିଲ ଅଛନ୍ତି । ବଲାଙ୍ଗୀରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ରାଜେଶ୍ ସାହୁ ଓ ଭୋଳା ବାବୁଙ୍କ ଏକାଧିକ ଠିକଣାରେ ଚଢାଉ କରାଯାଉଛି । ଗତାକଲି ଏହି ଦୁଇ ମଦ ବେପାରୀଙ୍କ ମଦଭାଟି ଅଫିସ ଓ ଘର ଉପରେ ଚଢ଼ାଉ ବେଳେ ସେଠାରୁ ୯ଟି ଆଲମିରା ଭର୍ତ୍ତି ଟଙ୍କା ଏବଂ ଏକାଧିକ ଟଙ୍କା ବୋଝେଇ ବ୍ୟାଗ ଜବତ ହୋଇଥିଲା । ଏସବୁକୁ ଏକ ଟ୍ରକ ଯୋଗେ ବଲାଙ୍ଗୀର ଏସବିଆଇ ବ୍ୟାଙ୍କ ମୁଖ୍ୟ ଶାଖାକୁ ଅଣାଯାଇ ତା'ର ଗଣତି ଆରମ୍ଭ ହୋଇଥିଲା ।

ତେବେ ଏତେ ପରିମାଣର ଟଙ୍କା ଥିଲା ଯେ ପ୍ରଥମେ ଚାରୋଟି ଟଙ୍କା ଗଣତି ମେସିନ ଏହାକୁ ଗଣିବାକୁ ଅସମର୍ଥ ହୋଇଥିଲା । ତେଣୁ ଆଉ ୬ଟି ମେସିନ ଏଥିରେ ନିୟୋଜିତ କରାଯାଇଥିଲା । ସେହିପରି ଗତକାଲି ମାତ୍ର ୫୦ କୋଟି ଟଙ୍କା ଗଣତି ହୋଇଥିବାର ଜଣାପଡ଼ିଛି । ଆଜି ରାଜେଶ ସାହୁଙ୍କ ବଲାଙ୍ଗୀର ଦେଓଗାଁ କରୁଆଁଝର ଗ୍ରାମ ସ୍ଥିତ ଫାର୍ମ ହାଉସରେ ଭୋରରୁ ୩୦ ଜଣିଆ ଟିମ ଚଢାଉ ଆରମ୍ଭ କରିଛନ୍ତି । ତେବେ ଏହି ଟିମ୍ ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ଆଜି ପୁଣି କିଛି ନୂଆ ଠିକଣାରେ ଚଢାଉ କରିବା ଦ୍ଵାରା ଆହୁରି ଟଙ୍କା ଜବତ ହୋଇପାରେ ବୋଲି ଆଶଙ୍କା କରାଯାଇଛି ।

ରାଉରକେଲା ସହରର ମଦ ବ୍ୟବସାୟୀ କାମେଶ୍ବର ତିୱାରୀଙ୍କ ବାସଗୃହ ରାଉରକେଲା ସିଭିଲ ଟାଉନସିପରେ ମଧ୍ୟ ଆଜିକୁ ତିନି ଦିନ ହେବ ଚଢ଼ାଉ ଜାରି ରହିଛି । ଏହି ବ୍ୟବସାୟୀ ରାଉରକେଲା, ଝାଡଖଣ୍ଡ, ସୁନ୍ଦରଗଡ ଆଦି ଅଞ୍ଚଳରେ ମଦ ସହ ବିଭିନ୍ନ ବ୍ୟବସାୟ ଚଳାଇଛନ୍ତି । ଏହାସହ ସୁନ୍ଦରଗଡ଼ରେ ଆଉ ଜଣେ ମଦବ୍ୟବସାୟୀ ରାଜକିଶୋର ଜୟଶ୍ବାଲଙ୍କ ଘରେ ବି ଚଢ଼ାଉ ଚାଲିଛି । ତେବେ ରାଜକିଶୋରଙ୍କ ବ୍ୟବସାୟ ସମ୍ବଲପୁର, ବଲାଙ୍ଗୀର ଏବଂ ଝାଡ଼ଖଣ୍ଡ ସହ କୋଲକାତା ଯାଏ ଲମ୍ବିଥିବା ସୂଚନା ରହିଛି । ଏହି ଦୁଇ ବ୍ୟବସାୟୀଙ୍କ ଠିକଣାରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବା ସୂଚନା ରହିଛି ।

ଇଟିଭି ଭାରତ, ସମ୍ବଲପୁର/ବଲାଙ୍ଗୀର

Last Updated :Dec 8, 2023, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.