ETV Bharat / state

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସମଲେଶ୍ବରୀ

author img

By ETV Bharat Odisha Team

Published : Oct 14, 2023, 11:52 AM IST

Updated : Oct 14, 2023, 1:54 PM IST

ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା' ସମଲେଶ୍ବରୀ l ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଅଧିକ ପଢନ୍ତୁ

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମାଆ ସମଲେଶ୍ବରୀ
dhabalamukhi besha of samalei

dhabalamukhi besha of samalei

ସମ୍ବଲପୁର: ଆଜି(ଶନିବାର) ପବିତ୍ର ମହାଳୟା । ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା' ସମଲେଶ୍ବରୀ । ବର୍ଷ ତମାମ ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମା' ସମଲେଶ୍ୱରୀ ଆଜି ପବିତ୍ର ମହାଳୟାରେ ଗଙ୍ଗା ବେଶ ଧାରଣ କରିଛନ୍ତି l ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମାଆଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଆସିଛି l ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି l

ଏହା ମଧ୍ୟ ପଢନ୍ତୁ-ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ସମଲେଶ୍ବରୀ, ଭକ୍ତଙ୍କ ପାଇଁ ଆସିଲା ଗାଇଡଲାଇନ

ମା'ଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଇଥାଏ l ତେବେ ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ଆଜି ସକାଳୁ ସନ୍ଧ୍ୟା ଯାଏଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିବ l ଆଜି ଭୋରୁ ନିୟମିତ ସମୟର ଏକ ଘଣ୍ଟା ପୂର୍ବରୁ ମା'ଙ୍କର ପହୁଡ ଖୋଲାଯାଇ ସ୍ନାନ କରାଯିବା ପରେ ଧଳା ପାଟ ବସ୍ତ୍ର ପରିଧାନ କରାଯାଇଥିଲା । ଧବଳମୁଖୀ ବେଶ ପାଇଁ ମା'ଙ୍କୁ ସଜ୍ଜିତ କରିଥିଲେ ମନ୍ଦିରର ସମସ୍ତ ପୂଜକ l ତେବେ ଆଜି ମାଆଙ୍କୁ କୌଣସି ଅଳଙ୍କାର ପିନ୍ଧା ଯାଇନଥାଏ l ଏଥିସହ ମାଆଙ୍କ ନିକଟରେ ଆଜି ଏକ ସ୍ବତନ୍ତ୍ର ଭୋଗ ମଧ୍ୟ ଲଗାଯାଇଥାଏ l ଯାହା ବର୍ଷର ଅନ୍ୟ କୌଣସି ଦିନରେ ଅପର୍ଣ କରାଯାଏ ନାହିଁ l

ମନ୍ଦିର ପରିସରରେ ମା' ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ଅପରପକ୍ଷରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ ବ୍ୟବସ୍ଥା କରାଯାଇ ଧାଡି ଦର୍ଶନ ବ୍ୟବସ୍ଥା କରିଛି ମନ୍ଦିର ଟ୍ରଷ୍ଟ ବୋର୍ଡ l ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ ମଧ୍ୟ କରାଯାଇଛି l ଦୁଇ ଦିନ ଧରି ଏହି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମା' l

ଭକ୍ତ ମାନଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭୋଗ ମନ୍ଦିର ଭିତରକୁ ନେବାକୁ ବାରଣ କରାଯାଇଛି l ପବିତ୍ର ମହାଳୟା ପାଇଁ ସମଲେଶ୍ୱରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଗତକାଲି ଜାରି କରାଯାଇଥିଲା । ବର୍ଷ ତମାମ ମା' ସମଲେଶ୍ୱରୀ ସିନ୍ଦୁର ମୁହିଁ ବେଶରେ ଦର୍ଶନ ଦେଉଥିବା ବେଳେ କେବଳ ମହାଳୟା ତିଥିରେ ମା' ସମଲେଶ୍ୱରୀ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦିଅନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated :Oct 14, 2023, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.