ETV Bharat / state

ବୁର୍ଲା ଭୀମସାରରେ କେନ୍ଦ୍ରୀୟ ଟିମ, ସ୍କ୍ରବ ଟାଇଫସ ସ୍ଥିତିକୁ ନେଇ କଲେ ଅନୁଧ୍ୟାନ

author img

By ETV Bharat Odisha Team

Published : Oct 2, 2023, 10:28 PM IST

ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସ୍କ୍ରବ ଟାଇଫସ ସଂକ୍ରମଣ । ସ୍ଥିତି ଅନୁଧ୍ୟାନ ପାଇଁ 4 ଜଣିଆ କେନ୍ଦ୍ରୀୟ ମେଡିକାଲ ଟିମ ସମ୍ବଲପୁର ସ୍ଥିତ ବୁର୍ଲା ଭୀମସାର ମେଡିକାଲକୁ ଆସି ଏନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

ବୁର୍ଲା ଭୀମସାରରେ କେନ୍ଦ୍ରୀୟ ମେଡିକାଲ ଟିମ
ବୁର୍ଲା ଭୀମସାରରେ କେନ୍ଦ୍ରୀୟ ମେଡିକାଲ ଟିମ

ବୁର୍ଲା ଭୀମସାରରେ କେନ୍ଦ୍ରୀୟ ମେଡିକାଲ ଟିମ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସ୍କ୍ରବ ଟାଇଫସ ସଂକ୍ରମଣ । ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଏହି ରୋଗ ବ୍ୟାପୁଥିବା ବେଳେ କେତେକ ରୋଗୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏହି ସ୍ଥିତି ଅନୁଧ୍ୟାନ ପାଇଁ 4 ଜଣିଆ କେନ୍ଦ୍ରୀୟ ମେଡିକାଲ ଟିମ ସମ୍ବଲପୁର ସ୍ଥିତ ବୁର୍ଲା ଭୀମସାର ମେଡିକାଲକୁ ଆସି ଏନେଇ ବିସ୍ତୃତ ଆଲୋଚନା କରିଛନ୍ତି । ମୁଖ୍ୟତଃ ଭୀମସାର ମେଡିକାଲରେ ସ୍କ୍ରଵ ଟାଇଫସ ଚିକିତ୍ସାରେ କଣ ସବୁ ସୁବିଧା ଓ ଅସୁବିଧା ରହିଛି, କେତେ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି ସେନେଇ ଆଲୋଚନା ହୋଇଥିଲା । ତେବେ ଏଠାରେ ଥିବା ଲାବ୍ରୋଟାରୀ ଇଂଭେଷ୍ଟିକେସନରେ କମ ସୁବିଧା ଥିବା କେନ୍ଦ୍ରୀୟ ମେଡିକାଲ ଟିମ କହିଛି । ତେଣୁ ଏହାକୁ 7 ଦିନ ଭିତରେ ସୁଧୁରି ଯିବା ନେଇ କହିଛନ୍ତି ଭୀମସାର ଅଧିକ୍ଷକ l

ତେବେ ଦିଲ୍ଲୀରୁ ଆସିଥିବା ଏହି ଟିମରେ ଜଣେ ଲେଖାଏଁ ମେଡ଼ିସିନ ପ୍ରଫେସର, ମାଇକ୍ରୋଵାୟୋଲୋଜିଷ୍ଟ, ଭେକ୍ଟରବଣ୍ଡ ଡିଜିଜର ବିଶେଷଜ୍ଞ ଥିବା ଜଣାପଡିଛି । ଆଜି ଏହି ଆଲେଚନାରେ ରାଜ୍ୟ ସରକାରଙ୍କ ଆରଆରଟି ( Rapid Response Teams) ର ଡ଼. ସୁରଜିତ, ଭୀମସାରର ଅଧିକ୍ଷକ ଲାଲ ମୋହନ ନାଏକ, ସମ୍ବଲପୁର ADMO ଅଶୋକ ଦାସ, ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ, ଡ.ସଞ୍ଜୀବ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ସ୍କ୍ରଵ ଟାଇଫସ ରୋଗ ଏତେ ବିପଦଜନକ ହୋଇ ନଥିବା ବେଳେ କାହିଁକି ରୋଗୀଙ୍କ ମୃତ୍ୟୁ ହେଉଛି ସେନେଇ ଏହି ଟିମ ଆଲୋଚନା କରିଛି ।

ଏହା ମଧ୍ୟ ପଢ଼ନ୍ତୁ....ଝାରସୁଗୁଡ଼ାରେ ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ମେଡ଼ିକାଲ ଟିମ୍

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ସ୍କ୍ରବ ଟାଇଫସର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେପ୍ଟେମ୍ବର ୨୨ ତାରିଖରେ କେନ୍ଦ୍ରୀୟ ମେଡିକାଲ ଟିମ୍ ପଠାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମ୍ ଓଡ଼ିଶାରେ ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରିବାକୁ ଆସିଛନ୍ତି l ରାଜ୍ୟର ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ସମେତ ପାଖାପାଖି ଜିଲ୍ଲାରେ ସ୍କ୍ରବ ଟାଇଫସ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଏହି ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ମେଡିକାଲ ସହାୟତା ଯୋଗାଇଦେବାର ନିତ୍ୟାନ୍ତ ଆବଶ୍ୟକ ବୋଲି ପତ୍ର ଲେଖିଥିଲେ ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଗତ ସେପ୍ଚେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍କ୍ରବ ଟାଇଫସ ସଂକ୍ରମଣ ଯୋଗୁଁ କିଛି ଲୋକମାନେ ମୃତ୍ୟୁବରଣ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରେ ସ୍ଥିତି ଅଣାୟତ୍ତ ହୋଇଛି । ଏକାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି । ସୁନ୍ଦରଗଡ଼ରେ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଭାବିତ ଅଞ୍ଚଳରେ ଏହି ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ମେଡିକାଲ ସହାୟତା ଯୋଗାଇଦେବାର ନିତ୍ୟାନ୍ତ ଆବଶ୍ୟକ ରହିଛି । ଏହି ସଂକ୍ରମିତ ରୋଗର ନିରାକରଣ ପାଇଁ ଚିକିତ୍ସା କରୁଥିବା ଅଭିଜ୍ଞ ଡାକ୍ତରୀ ଦଳକୁ ଓଡ଼ିଶାକୁ ଶୀଘ୍ର ପଠାଇବା ଦିଗରେ ବିହିତ ପଦକ୍ଷେପ ନିଆଯାଉ । ଏହାବ୍ୟତୀତ ଔଷଧ ଯୋଗାଣ ସହ ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.