ETV Bharat / state

ଜବର ଦଖଲ ଉଚ୍ଛେଦରେ ପାତର ଅନ୍ତର କରୁଛି ପ୍ରଶାସନ, ବିଜେପି ଆଣିଲା ଅଭିଯୋଗ

author img

By

Published : Jun 10, 2023, 1:55 PM IST

ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ପାତର ଅନ୍ତର କରୁଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ପ୍ରତିବାଦ । ଅଧିକ ପଢନ୍ତୁ

bjp workers protest in front of collector offi
bjp workers protest in front of collector offi

ଜବର ଦଖଲ ଉଚ୍ଛେଦରେ ପାତର ଅନ୍ତର

ସମ୍ବଲପୁର: ପ୍ରଶାସନର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କରିଛି ସମ୍ବଲପୁର ଜିଲ୍ଲା ବିଜେପି । ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛି ବିଜେପି । ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛି l

ବିଜେପି ଅଭିଯୋଗ କରିଛି ଯେ, ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରାରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ପଥର ମାଡ଼ କରିଥିଲେ। ଏଥିରେ ଜଣେ ଗୁରୁତର ଆହତ ହୋଇଥିଲେ । ଏହାପରେ ସମ୍ବଲପୁରର ଟିନା ବାଡ଼ି ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଲୋକ ହତ୍ୟା କରିଥିଲେ । ଏହି ଘଟଣା ନେଇ ବିଜେପିର ଏକ କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସମ୍ବଲପୁର ଆସି ହିଂସା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା ହୋଇଥିଲା l ସେହି ସମୟରେ ହିଂସାରେ ସମ୍ପୃକ୍ତ ଓ ପଥର ମାଡ଼ ହୋଇଥିବା ଅଞ୍ଚଳରେ ଜବର ଦଖଲ କରି ରହିଥିବା ଅସାମାଜିକ ଲୋକଙ୍କ ଘର ଉଚ୍ଛେଦ କରିବାକୁ ବିଜେପି ପ୍ରତିନିଧି ଦଳ ଦାବି ରଖିଥିଲେ l

ଏହାସହ ସହରର ଯେଉଁ ସ୍ଥାନ ଗୁଡ଼ିକରେ ବେଆଇନ ଗୋହତ୍ୟା ଓ ଗୋଚାଲାଣ କରାଯାଉଛି ସେହି ସ୍ଥାନ ଗୁଡିକରେ ମଧ୍ୟ ଉଚ୍ଛେଦ କରିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଥିଲା l ତେବେ ସହରର କେବଳ ସାହୁ କଲୋନୀ ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ କରା ଯାଉଥିବା ବେଳେ ବାକି କୌଣସି ସ୍ଥାନରେ ଉଚ୍ଛେଦ କାର୍ଯ୍ୟ କାହିଁକି କରାଯାଉନାହିଁ । 2 ମାସ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିଜ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ କରୁନଥିବା ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ଅଭିଯୋଗ କରିଛନ୍ତି । ତେଣୁ ଏହି ସମସ୍ୟା ନେଇ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି ବିଜେପି କହିଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ବୋଲି ବିଜେପି ଚେତାବନୀ ଦେଇଛି ।

ସମ୍ବଲପୁରରେ ହନୁମାନ ଜୟନ୍ତୀରେ ବାଇକ ଶୋଭାଯାତ୍ରାରେ ପଥର ମାଡ଼ ହୋଇଥିଲା । ଏହି ଘଟଣା ପରେ ଟିନାବାଡ଼ି ଅଞ୍ଚଳରେ ବେଆଇନ ଭାବେ ଜମି କବଜା କରି ରହୁଥିବା ଲୋକଙ୍କ ଘର ଉଚ୍ଛେଦ କରାଯିବ ବୋଲି ଜିଲ୍ଲା ପ୍ରଶାସନକୁ ଦାବି କରିଥିଲା ବିଜେପି । ଏହାପରେ ଜିଲ୍ଲା ପ୍ରଶାସନ ସାହୁ କଲୋନୀରେ ଉଚ୍ଛେଦ କରୁଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ ହୋଇଥିବା ଜବର ଦଖଲକୁ ଉଚ୍ଛେଦ କରୁନଥିବା ଅଭିଯୋଗ ଆଣିଛି ସମ୍ବଲପୁର ଜିଲ୍ଲା ବିଜେପି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.