ETV Bharat / state

ପିଛା ଛାଡୁନି ଦାଦନ ଦୁଃଖ, ଆଖି ବୁଜିଲେ ଦୁଇ ସମ୍ପର୍କୀୟ ଭାଇ

author img

By ETV Bharat Odisha Team

Published : Dec 11, 2023, 9:50 PM IST

Updated : Dec 12, 2023, 12:40 PM IST

Rayagada based Two migrant workers died: ରାୟଗଡ଼ା ଜିଲ୍ଲାରେ ପିଛା ଛାଡୁନି ଦାଦନ ସମସ୍ୟା । ବାହାର ରାଜ୍ୟକୁ ଖଟିବାକୁ ଯାଇ ଆଖି ବୁଜିଲେ ଦୁଇ ସମ୍ପର୍କୀୟ ଭାଇ । ଅଧିକ ପଢନ୍ତୁ

Odisha migrant workers died in Andhra Pradesh
Odisha migrant workers died in Andhra Pradesh

Odisha migrant workers died in Andhra Pradesh

ରାୟଗଡ଼ା: ଜିଲ୍ଲାରେ ପିଛା ଛାଡ଼ୁନି ଦାଦନ ଦୁଃଖ । ଦିନକୁ ଦିନ ଜିଲ୍ଲାରେ ଦାଦନକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଶିଳ୍ପ ସମୃଦ୍ଧ ଥାଇ ମଧ୍ୟ ନିଜ ଅଞ୍ଚଳରେ କାମ ନ ପାଇ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି ଅନେକ ଯୁବକ ଯୁବତୀ । ଜିଲ୍ଲାର କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ମକାପଦର ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । କାମ ପାଇଁ ଯାଇ ରୋଗାକ୍ରାନ୍ତ ହୋଇ ଚିକିତ୍ସା ନପାଇ ଶେଷରେ ମୃତ୍ୟୁବରଣ କରିଛନ୍ତି । ଜିଲ୍ଲାରେ ରାଜ୍ୟ ଶ୍ରମ ବିଭାଗର କାର୍ଯ୍ୟାଳୟ ଥିବା ବେଳେ ବାହାର ରାଜ୍ୟକୁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ବାହାରକୁ ଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ମୃତକ ଦ୍ବୟ ହେଉଛନ୍ତି କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ମକାପଦର ଗ୍ରାମର ଦୁଇ ଭାଇ ମହେଶ୍ବର ମାଝି(୨୦) ଏବଂ ନାବାଳକ ରଙ୍ଗାଧର ମାଝି(୧୭) । ଦୁଇ ଭାଇ ଗତ ୪ ମାସ ତଳେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲ୍ଲା ପାଲମନପେଟା ସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିଲେ । ସେଠାରେ କାମ କରୁଥିବା ସମୟରେ ନଭେମ୍ବର ମାସରେ ରଙ୍ଗାଧରଙ୍କୁ ଜ୍ବର ହୋଇଥିଲା । ତେବେ ସମ୍ପୃକ୍ତ ଫ୍ୟାକ୍ଟ୍ରି ମାଲିକ ତାଙ୍କୁ କୌଣସି ଚିକିତ୍ସା ସୁବିଧା ଯୋଗାଇବା ବଦଳରେ ବରଂ ଚିଙ୍ଗୁଡି ସଂରକ୍ଷଣ ଆଇସ୍‌ ଚାମ୍ବରରେ କାମ କରାଇଥିଲେ । ସାନ ଭାଇ ଜ୍ବରରେ ପୀଡ଼ିତ ହୋଇ କାମ କରିବା ବେଳେ ବଡ଼ ଭାଇ ମହେଶ୍ବର ମଧ୍ୟ ପରବର୍ତ୍ତୀ ସମୟରେ ଜ୍ବରରେ ପୀଡ଼ିତ ହୋଇଥିଲା ।

ଏହା ବି ପଢନ୍ତୁ- ଦାଦନ ଖଟିବାକୁ ଯାଇ ଗଲା ଜୀବନ, ଅସହାୟ ପରିବାର ମାଗୁଛି ସହାୟତା

ଉପଯୁକ୍ତ ଚିକିତ୍ସା ନପାଇ ଜ୍ବରରେ କାମ କରିବା ପରେ ଦୁଇ ଭାଇଙ୍କ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଲା । ଜ୍ବର ଅସହ୍ୟ ହେବାରୁ ଶେଷରେ ଦୁଇ ଭାଇ ଶନିବାର ଦିନ ଲୁଚି ବିଶାଖାପାଟଣା ଆସି ଟ୍ରେନରେ ରାୟଗଡ଼ା ପହଞ୍ଚିଥିଲେ । ରାୟଗଡ଼ାରେ ସାନ ଭାଇ ରଙ୍ଗାଧରଙ୍କୁ ଗୁରୁତର ହେବାରୁ ଦୁଇ ଭାଇ ଶନିବାର ରାତି ୧୨ଟା ୪୫ମିନିଟ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଏହାର ୧୫ ମିନିଟ ପରେ ନାବାଳକ ରଙ୍ଗାଧରଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ବଡ଼ ଭାଇ ମହେଶ୍ବରଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ତେବେ ବାଟରେ ନେବା ବେଳେ ମୋହନା ନିକଟରେ ମହେଶ୍ବରଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।

ଏନେଇ ପରିବାରବର୍ଗଙ୍କ କହିବାନୁସାରେ ପାଲମନପେଟା ସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଠିକ ସମୟରେ ଖାଇବାକୁ ମିଳୁନଥିଲା କି ଦରମା ମଧ୍ୟ ସମୟରେ ଦିଆଯାଉନଥିଲା । ତେଣୁ ସେମାନେ ସେଠାରୁ ଲୁଚି ପଳାଇ ଆସିଥିଲେ । ରଙ୍ଗାଧର ତାଙ୍କ ପରିବାର ଏକମାତ୍ର ରୋଜାଗରିଆ ଥିବା ବେଳେ ବର୍ତ୍ତମାନ ସେମାନେ କାହା ଭରସାରେ ବଞ୍ଚିବେ ସେନେଇ ଚିନ୍ତିତ ହୋଇପଡିଛି ପରିବାର । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଜିଲ୍ଲାରେ ଶ୍ରମ ବିଭାଗ କାର୍ଯ୍ୟାଳୟ ଓ ଅଧିକାରୀ ରହିଥିଲେ ମଧ୍ୟ ଅଞ୍ଚଳର ଯୁବକ ଯୁବତୀ ବାହାରକୁ ଦାଦନ ଖଟିବାକୁ ଗଲେ ବିଭାଗରେ କୌଣସି ସୂଚନା ରହୁନାହିଁ ।

ଏହା ବି ପଢନ୍ତୁ- ବଲାଙ୍ଗୀରରୁ 14 ଦାଦନ ଶ୍ରମିକ ଉଦ୍ଧାର, 2 ଦଲାଲ ଗିରଫ

ଏପରିକି ନାବାଳକ ବାହାର ରାଜ୍ୟକୁ ଯାଇ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ମଧ୍ୟ ବିଭାଗ ନିକଟରେ କୌଣସି ସୂଚନା ରହୁନାହିଁ । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ରଙ୍ଗାଧର ମାଝିଙ୍କ ମୃତଦେହ ରାୟଗଡାରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ମହେଶ୍ବରଙ୍କ ମର ଶରୀରକୁ ମୋହନାରେ ବ୍ୟବଚ୍ଛେଦ କରି ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ରାୟଗଡ଼ା

Last Updated : Dec 12, 2023, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.