ଅବକାରୀ ବିଭାଗର ଉପ ଅଧିକ୍ଷକ ନିନା ବେଉରା ଗିରଫ, ୬ଲକ୍ଷ ଟଙ୍କା ଜବତ

author img

By

Published : May 14, 2022, 10:17 PM IST

୬ ଲକ୍ଷ ଟଙ୍କା ନଗଦ ସହିତ ଅବକାରୀ ବିଭାଗର ଉପ ଅଧିକ୍ଷକ ନିନା ବେଉରା ଗିରଫ

ରାୟଗଡ଼ା ଅବକାରୀ ବିଭାଗର ଉପ-ଅଧିକ୍ଷକ ନିନା ବେଉରା ୬ ଲକ୍ଷ ଟଙ୍କା ନଗଦ ସହ ଭିଜିଲାନ୍ସ ଦ୍ବାରା ଗିରଫ ହେବା ସବୁଠାରୁ ବଡ଼ ପ୍ରମାଣ । ଏତେ ପରିମାଣର ଟଙ୍କା କେଉଁଠାରୁ ସେ ଆଣିଲେ ତାହାର ସୂଚନା ଭିଜିଲାନ୍ସକୁ ପ୍ରଦାନ କରିପାରିନାହାନ୍ତି । ଅଧିକ ପଢନ୍ତୁ

ରାୟଗଡ଼ା: ଗତ କିଛି ବର୍ଷ ହେବ ରାୟଗଡ଼ା ଅବକାରୀ ବିଭାଗ ନିଜର କଳାକାରନାମା ପାଇଁ ବଦନାମ ହେବାରେ ଲାଗିଛି । ବିଭାଗର ମୁଖିଆ ମାନେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାରେ ଜଡ଼ିତ ହେବା ସହ ବଦନାମ ହେବାର ନଜିର ରହିଛି । ଆଉ ଆଜି(ଶନିବାର) ଅଧିକ୍ଷକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିବା ଉପ-ଅଧିକ୍ଷକ ନିନା ବେଉରା ୬ ଲକ୍ଷ ଟଙ୍କା ନଗଦ ସହ ଭିଜିଲାନ୍ସ ଦ୍ବାରା ଗିରଫ ହେବା ସବୁଠାରୁ ବଡ଼ ପ୍ରମାଣ । ଏତେ ପରିମାଣର ଟଙ୍କା କେଉଁଠାରୁ ସେ ଆଣିଲେ ତାହାର ସୂଚନା ଭିଜିଲାନ୍ସକୁ ପ୍ରଦାନ କରିପାରିନାହାନ୍ତି ।

୬ ଲକ୍ଷ ଟଙ୍କା ନଗଦ ସହିତ ଅବକାରୀ ବିଭାଗର ଉପ ଅଧିକ୍ଷକ ନିନା ବେଉରା ଗିରଫ

ହେଲେ ଏହି ଟଙ୍କା ନିଶ୍ଚିତ ଭାବେ ଭିନ୍ନଭିନ୍ନ ବାଟରେ ତାଙ୍କ ନିକଟରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଗତ କିଛି ବର୍ଷ ହେବ ଜିଲ୍ଳା ଅବକାରୀ ବିଭାଗରେ ନାନା କେଳେଙ୍କାରୀ ଲାଗିରହିଛି । ଏଥିପୂର୍ବରୁ ଗତ ଅଗଷ୍ଟ ମାସରେ ତତ୍କାଳୀନ ଅଧିକ୍ଷକ ପ୍ରସନ୍ନ କୁମାର ନାୟକଙ୍କୁ ସରକାର ନିଲମ୍ବନ କରିଥିଲେ । ଟଙ୍କା ନେଣଦେଣ ସମ୍ବନ୍ଧୀୟ ନାୟକଙ୍କ ଏକ ଭିଡ଼ିଓ ଭାଇରାଲ ହେବା ପରେ ସରକାର କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରି ନିଲମ୍ବନ କରିଥିଲେ । ଏହାପରେ ଅନୁଗୋଳ ଜିଲ୍ଳାରେ ଉପ ଅଧିକ୍ଷକ ଦାୟିତ୍ବରେ ଥିବା ନିନା ବେଉରାଙ୍କୁ ରାୟଗଡ଼ା ବଦଳି କରାଯିବା ସହ ତାଙ୍କୁ ଅଧିକ୍ଷକ ଦାୟିତ୍ବ ଅତିରିକ୍ତ ଭାବେ ପ୍ରଦାନ କରାଯାଇଥିଲା ।

ତେବେ ନିନାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ ପରେ ସରକାର ରାୟଗଡ଼ା ଠାରେ ଜଣେ ସ୍ଥାୟୀ ଅଧିକ୍ଷକ ନିଯୁକ୍ତି ନେଇ ଭୁଲିଯାଇଥିଲେ । ଗତ ୮ ମାସରୁ ଅଧିକ ସମୟ ହେବ ନିନା ହିଁ ଅଧିକ୍ଷକ ଦାୟିତ୍ବ ତୁଲାଇ ଆସୁଥିଲେ । ତେବେ କେଉଁ କାରଣରୁ ଏକ ସମ୍ବେଦନଶୀଳ ଜିଲ୍ଲାରେ ସରକାର ସ୍ଥାୟୀ ଅଧିକ୍ଷକ ନିଯୁକ୍ତି କଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଏହା ପଛର ରହସ୍ୟ ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । କେବଳ ନାୟକ କିମ୍ବା ବେଉରା ନୁହଁନ୍ତି ଏହି ବିଭାଗରେ ଗତ ୧୦ ବର୍ଷ ହେବ କାର୍ଯ୍ୟ କରିଆସୁଥିବା ଅଧିକ୍ଷକ ଏବଂ ଉପ ଅଧିକ୍ଷକମାନେ ନାନା ଅନିୟମିତତାରେ ଜଡ଼ିତ ହୋଇ ବିବାଦୀୟ ହେବା ପରେ ସରକାର ସେମାନଙ୍କୁ ସ୍ଥାନାନ୍ତର କରିଛନ୍ତି ।

ରାଜ୍ୟ ସରକାର କେବଳ ବଦଳି କରି ନିଜର ଦାୟିତ୍ବ ସାରିଦେଇଥିବା ବେଳେ ସମାଧାନର ବାଟ କେବେ ମଧ୍ୟ ଖୋଜି ନାହାନ୍ତି । ଗୋଟିଏ ପଟେ ବିଭାଗ ଅଧିକ୍ଷକମାନେ ବିଭିନ୍ନ ଦୁର୍ନୀତି ଓ ଅନିୟମିତତାରେ ଛନ୍ଦି ହେଉଥିବା ବେଳେ ପ୍ରତିବର୍ଷ ଜଣକ ପରେ ଜଣେ ବିଭିନ୍ନ କାରଣରୁ ବିବାଦୀୟ ହେଉଛନ୍ତି । ତେଣୁ, ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ବିଭାଗକୁ ସଜାଡ଼ିବା ଜରୁରୀ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.