ETV Bharat / state

ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ, ଶ୍ରୀମନ୍ଦିର ପ୍ରଶାସନ ଓ ASI ମଧ୍ୟରେ ବସିଲା ବୈଠକ

author img

By ETV Bharat Odisha Team

Published : Nov 30, 2023, 4:49 PM IST

Updated : Nov 30, 2023, 5:06 PM IST

Ratna Bhandar laser scanning: ଗତ ୨ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ପାର୍ଶ୍ବରେ ଚାଲିଥିବା ଲେଜର ସ୍କାନିଂ ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ବସିଲା ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର ବୈଠକ । ଅଧିକ ପଢନ୍ତୁ

Sri Mandir Administration and ASI hold meeting
Sri Mandir Administration and ASI hold meeting

ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ, ଶ୍ରୀମନ୍ଦିର ପ୍ରଶାସନ ଓ ASI ମଧ୍ୟରେ ବସିଲା ବୈଠକ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସମ୍ପୂର୍ଣ୍ଣ ହୋଇଛି । ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ଉତ୍ତର ପୂର୍ବ, ଉତ୍ତର ପଶ୍ଚିମ ଓ ଉତ୍ତର ଭାଗର ୫ ଡିଗ୍ରୀ କୋଣରେ ୪୫ଟି ପଏଣ୍ଟ ସହ ଯୋଡେଇ ସ୍ଥାନରେ ଏଏସଆଇ ପକ୍ଷରୁ ସରିଛି ଲେଜର ସ୍କାନିଂ। ଗତ ୨ ଦିନ ଧରି ଏଏସଆଇ ପକ୍ଷରୁ ଚାଲିଥିଲା ଲେଜର ସ୍କାନିଂ। ତେବେ ଆଜି (ଗୁରୁବାର) ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧୀକ୍ଷକ ଏବଂ ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଏଏସଆଇ ପକ୍ଷରୁ ହୋଇଥିବା ରତ୍ନଭଣ୍ଡାର ବାହାର ପାର୍ଶ୍ବର ଲେଜର ସ୍କାନିଂ ସମ୍ପର୍କରେ ତଥ୍ୟ ଦେବା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଏସଆଇ ସୁପରିଟେଣ୍ଡେଣ୍ଟ ଡଃ ଡି.ବି ଗଡ଼ନାୟକଙ୍କ ସୂଚନା ଅନୁସାରେ ରତ୍ନଭଣ୍ଡାରର ଲେଜର ସ୍କାନିଂକୁ ଡାଟା ପ୍ରୋସେସିଂ କରାଯାଇ ଡକ୍ୟୁମେଣ୍ଟେସନ କରାଯିବ । ପରେ ଏହାକୁ ଅନୁଧ୍ୟାନ କରାଯାଇ ଯେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବ ତାହାର ମରାମତି ପାଇଁ ପଦକ୍ଷେପ ନିଆଯିବ । ସେହିପରି ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରର ମଧ୍ୟ ଖୁବଶୀଘ୍ର ଲେଜର ସ୍କାନିଂ କରାଯିବ । ଏହାଦ୍ବାରା ପାର୍ଶ୍ଵ ଦେବାଦେବୀ ମନ୍ଦିରର ସମ୍ପୂର୍ଣ୍ଣ ସ୍ଥିତି କିଭଳି ରହିଛି ତା'ର ତଥ୍ୟ ହାସଲ ହୋଇପାରିବ । ଫଳରେ ଆଗାମୀ ଦିନରେ ଏହି ତଥ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରର ସଂରକ୍ଷଣ କାର୍ଯ୍ୟରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ।

ଏହା ବି ପଢନ୍ତୁ- ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ: ଫଟୋ ଯାଞ୍ଚ୍ ପରେ ମରାମତି

ସେହିପରି କାର୍ତ୍ତିକ ମାସ ଯୋଗୁଁ ପ୍ରବଳ ଭକ୍ତଙ୍କ ଗହଳି ପାଇଁ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଧୀର ଗତିରେ ଚାଲିଥିଲା । ତେଣୁ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ କିଭଳି କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଜି ଆଲୋଚନା ହୋଇଥିବା ଏଏସଆଇ ଅଧୀକ୍ଷକ କହିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥର ଲେଜର ସ୍କାନିଂ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ମିଳିଲେ ଭିତର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡଣ୍ଟ । ସେପଟେ ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ସହ ନାଟମଣ୍ଡପ ଛାତ ଅନ୍ୟ ବିମ୍ ଏବଂ କଲମଗୁଡ଼ିକର ମଧ୍ୟ ସ୍ଥିତି ଅନୁଧ୍ୟାନ ପାଇଁ ଏଏସଆଇକୁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏଥିସହ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିରର ଲେଜର ସ୍କାନିଂ କରାଯାଇ ଏହାର ସ୍ଥିତି ସମ୍ପର୍କରେ ତଥ୍ୟ ଦେବା ପାଇଁ ମଧ୍ୟ ଏଏସଆଇକୁ କୁହାଯାଇଛି । ତେବେ ରତ୍ନଭଣ୍ଡାରର ବାହାର କାନ୍ଥର ଲେଜର ସ୍କାନିଂ ରିପୋର୍ଟ ଏଏସଆଇ ଦେବା ପରେ ଏହାକୁ ଅନୁଧ୍ୟାନ କରାଯାଇ ସଂରକ୍ଷଣ ଏବଂ ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି । ଭିତର ରତ୍ନଭଣ୍ଡାର କେବେ ଲେଜର ସ୍କାନିଂ କରାଯିବ ତା'କୁ ନେଇ ବର୍ତ୍ତମାନ କିଛି କହିବା ସମ୍ଭବ ନୁହେଁ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାରର ମରାମତି ଦିଗରେ ସବୁ ପଦକ୍ଷେପ ନେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

ଏହା ବି ପଢନ୍ତୁ- ରତ୍ନଭଣ୍ଡାର ଲେଜର ସ୍କାନିଂ: ପ୍ରଥମ ଦିନ ୪ ଘଣ୍ଟାରେ ୩୭ଟି ପଏଣ୍ଟରେ ସ୍କାନିଂ

ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ଏହା ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ନେଇ ଏଏସଆଇକୁ କୁହାଯାଇଥିବା ବେଳେ ରତ୍ନଭଣ୍ଡାରର ବାହାର ପାର୍ଶ୍ବରେ ଲେଜର ସ୍କାନିଂ କାର୍ଯ୍ୟ ଶେଷ କରିଛି ଏଏସଆଇ । ଲେଜର ସ୍କାନିଂରୁ ତଥ୍ୟ ଆସିବା ପରେ ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ସାର୍ବଜନୀନ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ଇଟିଭି ଭାରତ, ପୁରୀ

Last Updated : Nov 30, 2023, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.