ରଥଯାତ୍ରାରେ ଦର୍ଶନ କରନ୍ତୁ ବିଦେଶୀ, ମନ୍ଦିର ଭିତରକୁ କାହିଁକି କରିବେ ପ୍ରବେଶ: ସେବାୟତ

author img

By

Published : Jan 14, 2023, 8:29 PM IST

entry of foreigner into Srimandir

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବିଦେଶୀଙ୍କୁ ଅନୁମତି ଦିଆଯାଉ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏହି ମତକୁ ନେଇ ପୁରୀରେ ସେବାୟତ ମହଲରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ମତ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି । ବିଦେଶୀଙ୍କ ଦର୍ଶନ ପାଇଁ ମନ୍ଦିରର ପ୍ରବେଶ ପଥରେ ପତିତପାବନ ଅଛନ୍ତି । ବିଦେଶୀ ଭକ୍ତ ତାଙ୍କୁ ସେଠାରେ ଦର୍ଶନ କରିପାରିବେ ବୋଲି ବରିଷ୍ଠ ସେବାୟତ ମତ ରଖିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ବିଦେଶୀଙ୍କ ଦର୍ଶନ ପାଇଁ ରଥଯାତ୍ରା ଅଛି, ମନ୍ଦିର ଭିତରକୁ ପ୍ରବେଶ କାହିଁକି କରିବେ: ସେବାୟତ

ପୁରୀ/ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ଚକାନୟନ ସହିତ ଆଖି ମିଳାଇବା ପାଇଁ ବିଦେଶୀଙ୍କୁ ସୁଯୋଗ ମିଳୁ । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏହି ନିବେଦନକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟପାଳ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଜନ ସାଧାରଣଙ୍କ ଆଗରେ କହିବା ପରିବର୍ତ୍ତେ ମହାରାଜା ଗଜପତି କିମ୍ବା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିବା ଉଚିତ ଥିଲା ବୋଲି ସେବାୟତ ମହଲରେ ମତ ପ୍ରକାଶ ପାଇଛି । ବିଦେଶୀମାନେ ମହାପ୍ରଭୁଙ୍କ ଦର୍ଶନ ଲାଗି ରଥଯାତ୍ରା ହେଉଛି ଏହାସହ ପତିତ ପାବନଙ୍କୁ ମଧ୍ୟ ଅଣହିନ୍ଦୁମାନେ ଦର୍ଶନ କରିପାରିବେ । ଏଥିଲାଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାର ଆବଶ୍ୟକତା ନାହିଁ ବୋଲି ମତ ପ୍ରକାଶ ପାଇଛି ।

ଜଗନ୍ନାଥଙ୍କ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, "କଳିଯୁଗର ଠାକୁର ହେଲେ ଶ୍ରୀଜଗନ୍ନାଥ । ତାଙ୍କର ରହିଛି ସ୍ବତନ୍ତ୍ର ନୀତିକାନ୍ତି । ତେଣୁ ବିଦେଶୀଙ୍କ ଦର୍ଶନ ପାଇଁ ମନ୍ଦିରର ପ୍ରବେଶ ପଥରେ ପତିତପାବନ ଅଛନ୍ତି । ବିଦେଶୀ ଭକ୍ତ ତାଙ୍କୁ ସେଠାରେ ଦର୍ଶନ କରିପାରିବେ । ଏପରିକି ରଥଯାତ୍ରା ସମୟରେ ସବୁଧର୍ମର ଭକ୍ତମାନଙ୍କୁ ଦର୍ଶନ ଦେବାକୁ ମହାପ୍ରଭୁ ବାହାରକୁ ଆସନ୍ତି । ତେଣୁ ସେଠାରେ ମଧ୍ୟ ଦର୍ଶନ କରିବେ ବିଦେଶୀ । ମନ୍ଦିର ଭିତରକୁ ଯିବାର ଅନୁମତି ଦେବା କିଛି ଆବଶ୍ୟକ ନାହିଁ ।"

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ବିଦେଶୀ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ: ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ମତ ଗ୍ରହଣୀୟ ନୁହେଁ କହିଲେ ସେବାୟତ

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ସବୁ ଧର୍ମ ପ୍ରତି ଆମର ସମ୍ମାନ ରହିଛି । ପ୍ରତିଟି ଧର୍ମର କିଛି ନିତି ନିୟମ ରହିଛି । ସେହିପରି ଜଗନ୍ନାଥ ଧର୍ମର କିଛି ନିତି ନିୟମ ରହିଛି । ଏହାକୁ ଅବମାନନା କରିବା ଅନୁଚିତ । ରଥଯାତ୍ରା କେଉଁ ସମୟରେ ହେବା କଥା ତାର ମଧ୍ୟ ବିଧି ରହିଛି । କିନ୍ତୁ ଇସକନ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ରଥଯାତ୍ରା କରାଯାଉଛି । ଏହା କେବଳ ଟଙ୍କା ରୋଜଗାର ପାଇଁ । ବିଦେଶୀମାନଙ୍କୁ ମନ୍ଦିର ଭିତରକୁ ଯିବାର କୌଣସି ଆବଶ୍ୟକତା ନାହିଁ । ସେମାନେ ବାହାରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ରାଜ୍ୟପାଳ ଦୟାକରି ଏପରି ନିବେଦନ କରନ୍ତୁ ନାହିଁ," ବୋଲି ସେ କହିଛନ୍ତି ।

ଉତ୍କଳ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ ରଥ କହିଛନ୍ତି, "ସର୍ବୋଚ୍ଚ ପଦବୀରେ ଅଛନ୍ତି ମହାମହିମ । ଯଦି ତାଙ୍କ ମନକୁ ଏପରି ଚିନ୍ତାଧାରା ଆସିଛି ସେ ଗଜପତିଙ୍କୁ ଭେଟି ଆଲୋଚନା କରିପାରିଥାନ୍ତେ କିମ୍ବା ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ବିଚାର ବିମର୍ଶ କରିପାରିଥାନ୍ତେ । କିନ୍ତୁ ଏପରି ପବ୍ଲିକ ଫୋରମରେ ଖୋଲାଖୋଲି ବିଦେଶୀଙ୍କ ମନ୍ଦିର ପ୍ରବେଶ ନେଇ ମତ ରଖିବା ଠିକ ହୋଇନାହିଁ ।"



ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ ଯେତେବେଳେ ବିଦେଶୀ ଭକ୍ତଟିଏ ମହାପ୍ରଭୁଙ୍କ ପ୍ରମୁଖ ସେବକ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କୁ ଭେଟିପାରୁଛି, ତେବେ ମହାପ୍ରଭୁଙ୍କ ନିକଟକୁ ଯାଇ କାହିଁକି ଦର୍ଶନ କରିପାରିବ ନାହିଁ ? ତେବେ ରାଜ୍ୟପାଳଙ୍କ ଏହି ମତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ରାଜ୍ୟପାଳଙ୍କ ଏହି ବୟାନ ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।



ଇଟିଭି ଭାରତ, ପୁରୀ ଓ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.