ETV Bharat / state

ଆଜି ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ହେବ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଜନ୍ମନୀତି

author img

By

Published : Mar 30, 2023, 12:09 PM IST

ପବିତ୍ର ରାମନବମୀରେ ଶ୍ରୀମନ୍ଦିରରେ ରାମଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ଅଧିକ ପଢନ୍ତୁ

ଆଜି ପବିତ୍ର ଶ୍ରୀରାମ ନବମୀ
ଆଜି ପବିତ୍ର ଶ୍ରୀରାମ ନବମୀ

ଆଜି ପବିତ୍ର ଶ୍ରୀରାମ ନବମୀ

ପୁରୀ: ଆଜି ପବିତ୍ର ରାମନବମୀ । ଆଜି ପ୍ରଭୁ ଶ୍ରୀମ ଚନ୍ଦ୍ରଙ୍କ ଜନ୍ମଦିନ । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମ ଦେବେ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ନବମୀ ଦିନ ଠାକୁର ମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ଏନେଇ ଦୁଇ ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ ।

ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତୀ ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି । ତେବେ ପବିତ୍ର ରାମ ନବମୀ ତିଥିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆଜି ଶ୍ରୀ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ସେପଟେ ପରମ୍ପରା ଅନୁଯାୟୀ ଆଜି ପବିତ୍ର ରାମ ନବମୀ ତିଥିରେ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ଆଜି ରଥ କାଠ ଚିରଟ ଶୁଭାରମ୍ଭ ହୋଇଥାଏ । କଟକ ଖପୁରିଆରେ ଥିବା ସରକାରୀ କରତ କଳରେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଥାଏ । ତେବେ ପାରମ୍ପାରିକ ପୂଜାର୍ଚ୍ଚନା ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଥାଏ । ପୁରୀରୁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ କଟକ ଯାଇଥାନ୍ତି । ଏହି ଟିମରେ ଭୋଇ ସେବକ, ରଥ ଅମିନ, ଶ୍ରୀ ମନ୍ଦିର ପ୍ରଶାସନର ଅଧିକାରୀ ରହିଥାନ୍ତି ।

ଶ୍ରୀ ମନ୍ଦିରରୁ ମହାପ୍ରଭୁଙ୍କ ମହାପ୍ରସାଦ, ମାଳ, ଫୁଲ, ବିଭିନ୍ନ ପୂଜାର୍ଚ୍ଚନା ସାମଗ୍ରୀ ଧରି ଏହି ଟିମ୍ ଗସ୍ତ କରିଥାଏ । ଏହି ପୂଜା ସାମଗ୍ରୀକୁ ନିଆଯାଇ ଖପୁରିଆ କରତ କଳରେ ପୂଜାର୍ଚ୍ଚନା ସହ କୀର୍ତ୍ତନ ଅନୁଷ୍ଠିତ ହୋଇଥାଏ । ପରେ ପ୍ରଥମେ 3 ଖଣ୍ଡ 12 ଫୁଟିଆ ଧଉରା କାଠ ଚିରଟ ହୋଇଥାଏ । ରଥ ଚକର ଅର ପାଇଁ ଏହି କାଠ ବ୍ୟବହାର ହୋଇଥାଏ । ଏହି ଭଳି ପର୍ଯ୍ୟାୟକ୍ରମେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଚିରଟ ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.