ETV Bharat / state

୧୮ରେ ଶ୍ରୀଜିଉଙ୍କ ଓଢଣ ଷଷ୍ଠୀ ପର୍ବ, ଶୀତ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ

author img

By ETV Bharat Odisha Team

Published : Dec 15, 2023, 6:38 PM IST

Ghodalagi ritual: ଆସନ୍ତା ୧୮ ତାରିଖ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘୋଡଲାଗି ନୀତି ବା ଓଢଣ ଷଷ୍ଠୀ ପର୍ବ। ବିଭିନ୍ନ ବାରରେ ବିଭିନ୍ନ ପ୍ରକାରର ଶୀତ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ। ଅଧିକ ପଢନ୍ତୁ

ghodalagi rituals of trinity
ଶ୍ରୀଜିଉଙ୍କ ଓଢଣ ଷଷ୍ଠୀ ପର୍ବ

ଶ୍ରୀଜିଉଙ୍କ ଓଢଣ ଷଷ୍ଠୀ ପର୍ବ

ପୁରୀ: ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘୋଡଲାଗି ନୀତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ । ଏନେଇ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତଙ୍କ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୧୮ ତାରିଖ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘୋଡଲାଗି ନୀତି ବା ଓଢଣ ଷଷ୍ଠୀ ପର୍ବ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ବାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ତେବେ ଘୋଡ ଲାଗି ଅବସରରେ ଶ୍ରୀଜିଉମାନେ ବିଭିନ୍ନ ବାରରେ ବିଭିନ୍ନ ପ୍ରକାରର ଘୋଡ ପରିଧାନ କରିଥାନ୍ତି ବୋଲି କହିଛନ୍ତି ସେବାୟତ।

ପରମ୍ପରା ଅନୁଯାୟୀ, ଓଢଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସହ ମଇଲମ ବଢିବା ପରେ ଠାକୁରମାନଙ୍କୁ ପାଗ ଓ ଘୋଡ଼ ଲାଗି କରାଯିବା ପରେ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥାଏ । ପରେ ପ୍ରସାଦ ଲାଗି ସହ ତିନି ବାଡ଼ରେ ବନ୍ଦାପନା ମଧ୍ୟ କରାଯାଇଥାଏ। ବିଭିନ୍ନ ବାର ଅନୁସାରେ ଶ୍ରୀଜିଉମାନେ ଏହି ଘୋଡ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ତେଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତ ମାନେ ବେଶ ନିଷ୍ଠା ଓ ଭକ୍ତିର ସହ ମହାପ୍ରଭୁଙ୍କ ଏହି ଘୋଡ ବା ଶୀତବସ୍ତ୍ର ପ୍ରସ୍ତୁତ କରିଛନ୍ତି । ଏଥିରେ ୨୨ ହାତିଆ ସୂତାପୁଟା, ପତନୀ ଓ ଗୀତଗୋବିନ୍ଦ ପାଟରେ ଠାକୁରଙ୍କ ନୂତନ ଶୀତବସ୍ତ୍ର ସହ ଘୋଡ ଲାଗି ବେଶ କରାଯିବ । ଏଥିପାଇଁ ଖଟ ପାଛୁଡି, ତୂଳିପଟା, ଥୋଡ ପାହାଡିଆ, ଫୁଲଛେଦା ଆଦି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦରଜୀ ସେବାୟତମାନେ ଜିମା ଦେବା ପରେ ଶ୍ରୀଜିଉମାନେ ଏହି ଶୀତବସ୍ତ୍ର ପରିଧାନ କରିଥାନ୍ତି ବୋଲି ଦରଜୀ ସର୍ଦ୍ଦାର କହିଛନ୍ତି।

ଏହାସହ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ପାର୍ଶ୍ଵ ଦେବାଦେବୀ ମଦନମୋହନ, ସୁଦର୍ଶନ, ଗରୁଡ, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀ ଓ କାକୁଡିଖାଇ ଠାକୁରାଣୀ ମଧ୍ୟ ଶୀତବସ୍ତ୍ର ପରିଧାନ କରିଥାନ୍ତି । ତେବେ ସୋମବାର ଓଢ଼ଣ ଷଷ୍ଠୀ ଅବସରରେ ଶ୍ରୀଜିଉମାନେ କଳାଛିଟା ମିଶା ଶୁକ୍ଳ ରଙ୍ଗ, ମଙ୍ଗଳବାରରେ ବାରପଟିଆ ବା ପଞ୍ଚରଙ୍ଗ, ବୁଧବାରରେ ନୀଳରଙ୍ଗ, ଗୁରୁବାରରେ ହଳଦିଆ ରଙ୍ଗ, ଶୁକ୍ରବାର ଦିନ ଧଳା ରଙ୍ଗ, ଶନିବାର କଳା ଓ ରବିବାରରେ ଲାଲ୍ ରଙ୍ଗର ଘୋଡ ପରିଧାନ କରିଥାନ୍ତି।

ଏହା ବି ପଢନ୍ତୁ...ନୂଆବର୍ଷକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି, ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଆଇଜି

"ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳା କ୍ରମରେ ଶ୍ରୀଜିଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି। ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। ଏହି ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଲାଭ ମିଳିଥାଏ" ବୋଲି ସେବାୟତ କହିଛନ୍ତି। ପରମ୍ପରା ଅନୁଯାୟୀ, ସରସ୍ବତୀ ପୂଜା ପୂର୍ବଦିନ ଯାଏଁ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି। ତେବେ ଓଢ଼ଣ ଷଷ୍ଠୀଠାରୁ ଶୀତର ପ୍ରକୋପ ବଢ଼ିଥାଏ ବୋଲି କୁହାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.