ETV Bharat / state

ପୁରୀରେ ସକ୍ରିୟ ଦଲାଲ, ସରକାରୀ ହବିଷ୍ଯାଳୀ ଶିବିରରେ ରଖାଇ ଦେବାକୁ କହି ଲୁଟ ଉଦ୍ୟମ

author img

By ETV Bharat Odisha Team

Published : Nov 1, 2023, 8:58 AM IST

Updated : Nov 1, 2023, 2:02 PM IST

ସରକାରୀ ହବିଷ୍ଯାଳୀ ଶିବିରରେ ରଖାଇ ଦେବା କହି ଟଙ୍କା ଲୁଟ ଉଦ୍ୟମ ।ଅଭିଯୁକ୍ତକୁ କାବୁ କଲା ପୋଲିସ । ତଦନ୍ତ ଜାରି । ଆଗକୁ ପଢନ୍ତୁ

ପୁରୀରେ ସକ୍ରିୟ ଦଲାଲ
ପୁରୀରେ ସକ୍ରିୟ ଦଲାଲ

ପୁରୀରେ ସକ୍ରିୟ ଦଲାଲ

ପୁରୀ: ପୁରୀରେ ସକ୍ରିୟ ଦଲାଲ । ସରକାରୀ ହବିଷ୍ଯାଳୀ ଶିବିରରେ ରଖାଇ ଦେବା କହି ଟଙ୍କା ଲୁଟ ଉଦ୍ୟମ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସର ଆକ୍ସନ । ସ୍ଥାନୀୟ ଲୋକଙ୍କ ସହ ମିଶି ଅଭିଯୁକ୍ତକୁ ଧରିଲା ପୁରୀ ପୋଲିସ । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।

ପୁରୀରେ ସରକାରୀ ହବିଷ୍ଯାଳୀ ଶିବିରରେ ରଖାଇ ଦେବା କହି ହଜାର ହଜାର ଟଙ୍କା ଲୁଟୁଛନ୍ତି ଦଲାଲ । ଅନଲାଇନ ପଞ୍ଜୀକୃତ କରି ନଆସିଥିବା ହବିଷ୍ୟାଳୀଙ୍କୁ ଶିକାର କରୁଛନ୍ତି ଏହି ଦୁର୍ବୃତ୍ତମାନେ । 12 ହଜାର ଟଙ୍କା ଦେଲେ ସରକାରୀ ହବିଷ୍ୟାଳୀ ଶିବିରରେ ରଖାଇଦେବା କହି ଲୁଟ ଉଦ୍ୟମ । ତେବେ ପୁରୀ ଜିଲ୍ଲା ଅକ୍ଷୟ ପାତ୍ର ସରକାରୀ ହବିଷ୍ଯାଳୀ ଶିବିରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..ହବିଷ୍ୟାଳିଙ୍କ ଶିବିରର ଶୁଭାରମ୍ଭ, ସମସ୍ତ ସୁବିଧା ଯୋଗାଇବ ପୁରୀ ଜିଲ୍ଲା ପ୍ରଶାସନ

ସୂଚନା ଅନୁଯାୟୀ ଖୋର୍ଦ୍ଧା ବାଣପୁର ଅଞ୍ଚଳରୁ ଆଠଜଣ ହବିଷ୍ଯାଳୀ ହବିଷ କରିବାକୁ ପୁରୀ ଆସିଥିଲେ। ହେଲେ ସେମାନେ ଅନଲାଇନ ପଞ୍ଜିକରଣ କରିନଥିଲେ। ସରକାରୀ ଶିବିରରେ ରହିବା ପାଇଁ କିଛି ଲୋକଙ୍କୁ ପଚରାଉଚରା କରିବା ସମୟରେ କିଛି ଦଲାଲ ପହଞ୍ଚି ୧୨ହଜାର ଦେଲେ ସରକାରୀ ଶିବିରରେ ରଖାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଦଲାଲମାନେ ସେମାନଙ୍କୁ ବ୍ରହ୍ମଗିରି ଅଞ୍ଚଳର ପରିଚୟ ଦେଇ ଟଙ୍କା ଲୁଟିବାକୁ ଉଦ୍ଯମ କରିଥିଲେ । ସେମାନଙ୍କ ଫୋନ୍‌ ନମ୍ବର ନେଇଯାଇଥିଲେ । ଏନେଇ ପୋଲିସ ଖବର ପାଇବା ପରେ ସେମାନଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ।

ଏହାମଧ୍ୟ ପଢନ୍ତୁ..କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପହଞ୍ଚିଲେ ହବିଷ୍ୟାଳୀ, ୫ଟି ଶିବିରରେ ରହଣି ବ୍ୟବସ୍ଥା

ମଙ୍ଗଳବାର ଦିନ ଦଲାଲମାନଙ୍କୁ ହବିଷ୍ୟାଳୀମାନେ ପଇସା ଦେଉଥିବା ସମୟରେ ଜଣେ ଦଲାଲକୁ କାବୁ କରିଥିଲେ ପୁଲିସ ଓ ସ୍ଥାନୀୟ ଲୋକେ । ଆଉ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ପୁଲିସ ଜଣେ ଦଲାଲକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାପଡିଛି । ବାଣପୁର ଖଜୁରୀଆର ହବିଷ୍ଯାଳୀ କୈଳାସ ପ୍ରଧାନଙ୍କ ଏତଲା ଆଧାରରେ ମାମଲା ଦାଏର କରାଯାଇଛି । ସଂପୃକ୍ତ ଦଲାଲର ମୋଟରସାଇକେଲ ଜବତ ହୋଇଛି । ପୋଲିସ ଘଟଣାର ଛାନବିନ ଆରମ୍ଭ କରିଛି । ତେବେ ସରକାରୀ ଶିବିରରେ ରହି ହବିଷ କରିବାକୁ ଆସିଥିବା ହବିଷ୍ଯାଳୀମାନେ ଠକାମୀର ଶିକାର ହେଉଥିବା ଜଣାପଡ଼ିବା ପରେ ଏବେ ସକ୍ରିୟ ହୋଇପଡିଛି ପୁରୀ ପୋଲିସ । ପ୍ରତି ସରକାରୀ ହବିଷ୍ଯାଳୀ ସେଣ୍ଟର ଅଞ୍ଚଳରେ ପୋଲିସ ସହିତ ସାଧା ପୋଷାକଧାରୀ ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 1, 2023, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.