ETV Bharat / state

Pakhala Diwas Sand Art: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ପଖାଳ ଦିବସ ଶୁଭେଚ୍ଛା

author img

By

Published : Mar 19, 2023, 9:35 PM IST

Updated : Mar 19, 2023, 10:26 PM IST

ଆସନ୍ତାକାଲି ବିଶ୍ବ ପଖାଳ ଦିବସ ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଅପୂର୍ବ କଳାକୃତି । ନିଜ କଳା ମାଧ୍ୟମରେ ଓଡ଼ିଆଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Pakhala Diwas Sand Art
Pakhala Diwas Sand Art

Pakhala Diwas Sand Art: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ପଖାଳ ଦିବସ ଶୁଭେଚ୍ଛା

ପୁରୀ: ପଖାଳ....ପ୍ରତି ଓଡ଼ିଆଙ୍କ ପ୍ରାଣ, ପରିଚୟ ଓ ଖୁସିର କାରଣ । ଯେତେ ଯାହା ହେଲେ ବି ପଖାଳ ଦିଟା ଖାଇଦେଲେ ପ୍ରତି ଓଡ଼ିଆଙ୍କ ମନକୁ ଶାନ୍ତି ଓ ତୃପ୍ତି ମିଳେ । ପଖାଳ ହେଉଛି ପାଣିରେ ମିଶାଯାଉଥିବା ଏକପ୍ରକାର ଖାଦ୍ୟ । ସେ ଭେଜ୍‌ ହେଉ କି ନନ୍‌ ଭେଜ୍‌, ପଖାଳ ସହିତ ସବୁ ଚଳିଯାଏ । ଓଡ଼ିଆଙ୍କ ସବୁଠୁ ପ୍ରିୟ ଏହି ପଖାଳ ପାଇଁ କାଲି ଦିନ ଟିଏ । ଆସନ୍ତାକାଲି ବିଶ୍ବବ୍ୟାପୀ ପାଳିତ ହେବ ପଖାଳ ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରତିବର୍ଷ ମାର୍ଚ୍ଚ 20 ତାରିଖକୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଏ । ଓଡି଼ଆଟିଏ ଯେଉଁଠି ଥାଉ ନା କାହିଁକି ଏହି ଦିନଟିକୁ ସେ ବେଶ ଖୁସିର ସହିତ ପାଳନ କରେ । ଓଡ଼ିଆଙ୍କ ପାଇଁ ପ୍ରତିଟି ଦିନ ପଖାଳ ଦିବସ ହୋଇଥିବା ବେଳେ ଏହି ଦିନଟି କିନ୍ତୁ ଟିକେ ନିଆରା । ଓଡ଼ିଆଙ୍କ ଏହି ପ୍ରାଣ ଖାଦ୍ୟର ମହତ୍ବକୁ ବୁଝି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ନିଜ କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବିଚ୍‌ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ବିଶ୍ଵ ପଖାଳ ଦିବସର ଶୁଭେଛା ଦେଇଛନ୍ତି ।

ଏହା ବି ପଢନ୍ତୁ-Pakhala Dibasa: ପଖାଳ ଦିବସର ଇତିହାସ ଓ ବିଶେଷତ୍ୱ, ଅମରେଶ ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

ପ୍ରତ୍ୟେକ ଓଡିଆ ଏହାକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି । ବାଲିରେ ଅତି ଚମତ୍କାର କଳାକୃତି କରିଛନ୍ତି ସୁଦର୍ଶନ । ବାଲିରେ ପଖାଳ, ଦହି ପଖାଳ, ବଡି ଚୁରା, ବାଇଗଣ ପୋଡ଼ା, ଆଳୁ ଭର୍ତ୍ତା, ଶାଗକୁ ସେ ନିଜ ନିଖୁଣ କଳାକୃତିରେ ଏକ ସୁନ୍ଦର ରୂପ ଦେଇଛନ୍ତି । ଯାହାକୁ ଦେଖି ସମସ୍ତେ ଅଭିଭୂତ ହୋଇଛନ୍ତି । ପ୍ରତିବର୍ଷ ବିଶ୍ଵ ପଖାଳ ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଦେଇଥାନ୍ତି । ତେବେ ଗତ କିଛି ବର୍ଷ ହେବ ସୋସିଆଲ ମିଡିଆରେ ମାର୍ଚ୍ଚ ୨୦ ତାରିଖକୁ ବିଶ୍ଵ ପଖାଳ ଦିବସ ନେଇ ଟ୍ରେଣ୍ଡ କରିବା ପରେ ଏହା ଧୀରେ ଧୀରେ ଆଦୃତ ହେବାରେ ଲାଗିଛି ।

ଓଡ଼ିଶାର ଏକ ପ୍ରମୁଖ ଖାଦ୍ୟକୁ ସାରା ବିଶ୍ବରେ ପରିଚିତ କରାଇବା ପାଇଁ କିଛି ଅନୁଷ୍ଠାନ ଗତ କିଛି ବର୍ଷ ହେବ ବିଶ୍ବ ପଖାଳ ଦିବସ ଆୟୋଜନ କରି ଏହାକୁ ପାଳନ କରୁଛନ୍ତି । ଏବେ ଏହାକୁ ଅନୁସରଣ କରି ବିଭିନ୍ନ ହୋଟେଲ୍ ଗୁଡିକରେ ପଖାଳ ଦିବସ ଅବସରରେ ଭଳିକି ଭଳି ସ୍ଵାଦିଷ୍ଟ ବ୍ୟଞ୍ଜନ କରି ପଖାଳ ଗ୍ରାହକଙ୍କୁ ପରସା ଯାଉଛି । ଲୋକମାନେ ମଧ୍ୟ ହୋଟେଲରେ ପଖାଳ ଖାଇବା ଲାଗି ଭିଡ଼ ଜମାଉଥିବା ଦେଖିବାକୁ ମିଳିଥାଏ ।

ଇଟିଭି ଭାରତ, ପୁରୀ

Last Updated :Mar 19, 2023, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.