ETV Bharat / state

5T ସ୍କୁଲ ଆଳରେ ବିଜେଡି ଦଳୀୟ ନେତା ଓ ଠିକାଦାରଙ୍କୁ ପୋଷୁଛି: କଂଗ୍ରେସ

author img

By

Published : Aug 2, 2023, 12:25 PM IST

ଫାଇଭ-ଟି ସ୍କୁଲ ନିର୍ମାଣ ଆଳରେ ବିଜେଡି ଦଳୀୟ ନେତା, କର୍ମୀ ଓ ଠିକାଦାରଙ୍କୁ ପୋଷୁଥିବା ଅଭିଯୋଗ ଆଣିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଅଧିକ ପଢନ୍ତୁ

କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ପ୍ରେସମିଟ
କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ପ୍ରେସମିଟ

5ଟି ସ୍କୁଲକୁ ନେଇ ବିଜେଡିକୁ କଂଗ୍ରେସର ଟାର୍ଗେଟ

ପୁରୀ: ପ୍ରଦେଶ କଂଗ୍ରେସ କମିଟିର ଏକ ଟିମ୍ ମଙ୍ଗଳବାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତରେ ଥିବା ପଢ଼ିଆରୀ ବିଦ୍ୟାପୀଠ ପରିଦର୍ଶନ କରିଛନ୍ତି । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଟିମ୍ ବିଦ୍ୟାଳୟର ସ୍ଥିତି ଓ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାରଙ୍କ ଫାଇଭ-ଟି ଯୋଜନାକୁ କଡା ସମାଲୋଚନା କରିଛି । ଫାଇଭ-ଟି ସ୍କୁଲ ଆଳରେ ବିଜେଡି ଦଳୀୟ ନେତା ଓ ଠିକାଦାରଙ୍କୁ ପୋଷୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । କିଛି ଦିନ ତଳେ ଫାଇଭ-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଏହି ସ୍କୁଲର ଛାତରୁ ସିଲିଂ ଖସି ଜଣେ ଶିକ୍ଷୟିତ୍ରୀ ଓ ଦୁଇ ଶିକ୍ଷକ ଆହତ ହୋଇଥିଲେ ।

ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଅଘଟଣ ଘଟିଥିବାର ଅଭିଯୋଗ ହୋଇଥିଲା । ଏହାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ନିମ୍ନମାନର କାର୍ଯ୍ୟ ପାଇଁ ସମ୍ପୃକ୍ତ ବ୍ୟକ୍ତି ଓ ବ୍ଳକ ପ୍ରଶାସନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବିଦ୍ୟାପୀଠରେ ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଥିଲା । ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟି ଟିମ୍ ସ୍ଥିତି ଅନୁଧ୍ୟାନ କରି ପରେ କାକଟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଫାଇଭ-ଟି ରୂପାନ୍ତରିତ ମାଧ୍ୟମରେ ବିଦ୍ୟାଳୟକୁ ଯେଉଁ ଅର୍ଥ ପ୍ରଦାନ କରାଯାଇଥିଲା ସେଥିରେ ଉକ୍ତ ବିଦ୍ୟାଳୟର ଭିତ୍ତିଭୂମି ଓ ମୌଳିକ ଆବଶ୍ୟକତା ଦୂର କରାଯାଇ ପାରିନାହିଁ ।

ଏହାମଧ୍ୟ ପଢନ୍ତୁ: ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର, ଶିକ୍ଷୟିତ୍ରୀ ଓ ସିଆରସିସି ଆହତ

ବିଦ୍ୟାଳୟରେ ୪ଟି ନୂତନ ଶ୍ରେଣୀଗୃହର ଆବଶ୍ୟକତା ଥିଲେ ମଧ୍ୟ ଏହା କରାନଯାଇ ପୁରୁଣା ବିଲ୍ଡିଂରେ କେବଳ ଚୂନ ମାରି ଟଙ୍କା ହରିଲୁଟ କରାଯାଇଛି । ତାହା ପୁଣି ବିଜୁ ଜନତା ଦଳର ସ୍ଥାନୀୟ କର୍ମୀ, ନେତା ଏବଂ ବ୍ଲକ ପ୍ରଶାସନର ମିଲି ଭଗତରେ । ଆଜି ମଧ୍ୟ ସ୍ଥିତି ଅନୁଧ୍ୟାନ ସମୟରେ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ସୃଷ୍ଟି ଫାଟ ସୂଚାଇ ଦେଉଥିଲା ଯେ ଏଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ସୁରକ୍ଷିତ ନୁହନ୍ତି ।

କଂଗ୍ରେସ ନେତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ ଥିବା ଇ-ଲାଇବ୍ରେରୀରେ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ । ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି । ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରିତ ନାମରେ ଓଡ଼ିଶାବାସୀଙ୍କ ଶହ ଶହ କୋଟି ଟଙ୍କା ଲୁଟ କରାଯାଇ ଦଳୀୟ କର୍ମୀଙ୍କୁ ଲାଭ ଦେଇ ନିର୍ବାଚନ ଲଢ଼ିବା ପାଇଁ ପାଣ୍ଠି ସଂଗ୍ରହ କରୁଛି ସରକାରୀ ଦଳ । ଏହା ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଆଗାମୀ ଦିନରେ କଂଗ୍ରେସ ଦଳ ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିର କରିବା ବୋଲି ସେ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଧ୍ୟାନ କମିଟିର ସଦସ୍ୟ ପୂର୍ବତନ ସାଂସଦ ନକୁଳ ନାୟକ, ଉପସଭାପତି ବିଶ୍ବ ଭୂଷଣ ଦାସ, ସାଧାରଣ ସମ୍ପାଦିକା ରଶ୍ମୀ ମହାପାତ୍ର, କୃଷକ ସେଲ ସଭାପତି ଅମିୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.