ETV Bharat / state

5T ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ଶିକ୍ଷକ ଆହତ ହେବା ଘଟଣା; ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ

author img

By

Published : Jul 24, 2023, 9:39 PM IST

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ 5T ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠରେ ଛାତ ଭୁଶୁଡି ଶିକ୍ଷୟତ୍ରୀ ଓ ସିଆର୍‌ସିସି ଆହତ ହେବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । କାର୍ଯ୍ୟରେ ଅନିୟମିତତା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ
ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ବର/ପୁରୀ: ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବାପାଇଁ 5T ଅଧୀନରେ ବିଭିନ୍ନ ସ୍କୁଲ ରୂପାନ୍ତରଣ କରୁଛନ୍ତି ସରାକର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡ଼ିକୁ ରୂପାନ୍ତର କରାଯାଉଥିଲେ ମଧ୍ୟ ଏଥିରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି । ଏପରିକି ସ୍କୁଲ ରୂପାନ୍ତର ହେବାର ଅଳ୍ପଦିନ ମଧ୍ୟରେ କାନ୍ଥ ଓ ଛାତରୁ ପ୍ଲାଷ୍ଟର ଖସିବା, ପାଣି ଗଳିବା ଭଳି ସମସ୍ୟା ଦେଖାଯାଉଛି । ତେବେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତର 5T ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠରେ ଛାତ ଭୁଶୁଡିବା ପରେ ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି କାର୍ଯ୍ୟରେ ଅନିୟମିତତା ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ ।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି, "ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡ଼ିକୁ 5T ଆଧାରରେ ରୂପାନ୍ତର କରିବା ପାଇଁ ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି, ଏହା କେବଳ ତାଙ୍କ ଦଳର ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମୀମାନଙ୍କୁ ପୋଷିବାର ଏକ ମସୁଧା । ବିଭିନ୍ନ ସ୍ଥାନରେ ନିମ୍ନମାନର କାମ କରାଯାଇଛି । ସେହି ବିଦ୍ୟାଳୟଗୁଡ଼ିକ ଏବେ ଅସୁରକ୍ଷିତ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତର ପଢ଼ିଆରୀ ବିଦ୍ୟାପୀଠର ସ୍ମାର୍ଟ ବିଦ୍ୟାଳୟ ପାଇଁ 5T ଭିତ୍ତିଭୂମିରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ୨୦୨୧ ମସିହାରେ କାର୍ଯ୍ୟଟି ବ୍ଲକ ପ୍ରଶାସନ ଅଧିନରେ ଥିବାବେଳେ ପ୍ରଶାସନର ସମ୍ପର୍କୀୟ ଠିକାଦାରଙ୍କୁ କାର୍ଯ୍ୟଭାର ଦିଆଯାଇଥିଲା । କିନ୍ତୁ ଦୁଃର୍ଭାଗ୍ୟର କଥା, ଏଠାରେ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏହି ରୂପାନ୍ତରିତ କାର୍ଯ୍ୟକୁ ୨ ବର୍ଷ ପୂରିନି, ଗତ ଜୁଲାଇ ୧୯ ତାରିଖ ଦିନ ଛାତରୁ ପଲସ୍ତରା ଖସିଲା । ଫଳରେ ସ୍କୁଲର ସିଆର୍‌ସିସି ଓ ଶିକ୍ଷୟତ୍ରୀ ଗୁରୁତର ଆହତ ହେଲେ । ସ୍ଥାନୀୟ ଅଞ୍ଚଳ ଲୋକ ଏହାର ପ୍ରତିବାଦ କଲେ ସୁଦ୍ଧା ଏହାକୁ ପ୍ରଶାସନ ପକ୍ଷରୁ ଏଡାଇ ଦିଆଯାଇଛି ।" ତେବେ ଏଥିପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ବିଦ୍ୟାଳୟର ଛାତରୁ ଖସିଲା ପ୍ଲାଷ୍ଟର, ଶିକ୍ଷୟିତ୍ରୀ ଓ ସିଆରସିସି ଆହତ

ଏବେ ସୁଦ୍ଧା ଘଟଣାସ୍ଥଳକୁ ସ୍ଥାନୀୟ ବିଧାୟକ କି ବିଡିଓ ଯାଇ ନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନେତା କହିଛନ୍ତି, "ପରବର୍ତ୍ତୀ ସମୟରେ କୁହାଗଲା ପଲସ୍ତରା ଭୁଶୁଡ଼ିଥିବା ଗୃହ ରୂପାନ୍ତରିତ ଅଧିନରେ ନାହିଁ । ତାହେଲେ ଏଠି ପ୍ରଶ୍ନ ଉଠୁଛି, ଯଦି ନାହିଁ, ତେବେ 5T କାମରେ ଏହି କାର୍ଯ୍ୟାଳୟ ରଙ୍ଗ, ପ୍ଲାଷ୍ଟର, ନୂଆ ଚଉକି ଟେବୁଲ, ଝରକା, ବିଦ୍ୟୁତ ଉପକରଣ ଲାଗିଲା କାହିଁକି ? ବିଡିଓ ଏହାର ତୁରନ୍ତ ଜବାବ ଦିଅନ୍ତୁ । ନୂତନ ବିଲ୍ଡିଂ ଛାତରେ ବର୍ଷାପାଣି ଜମୁଛି । କେଉଁ ମୁହୂର୍ତ୍ତରେ ଏହା ଭୁଷୁଡ଼ିବ କହି ହେବନାହିଁ । ଆରମ୍ଭରୁ ନିମ୍ନମାନର କାମ ଚାଲୁଥିବା ଅଭିଯୋଗ ଆସିବା ପରେ ସ୍ଥାନୀୟ ବ୍ଲକ କଂଗ୍ରେସ ପ୍ରତିନିଧି ଏହାର ଦୃଢ଼ ପ୍ରତିବାଦ କରିବା ସହ ସଠିକ୍ ଭାବରେ କାର୍ଯ୍ୟ କରାଯିବାକୁ ପ୍ରଶାସନକୁ ଚେତାବନୀ ଦେଇଥିଲେ । ଗଣମାଧ୍ୟମରେ ଏହା ମଧ୍ୟ ବାରମ୍ବାର ପ୍ରସାରିତ ହୋଇଥିଲା । ବିଡିଓ କହିଥିଲେ ଯଦି କାମ ଉପରେ କିଛି ଅସୁବିଧା ହୁଏ, ସେଥିପାଇଁ ସେ ସମ୍ପୂର୍ଣ୍ଣ ଦାୟୀ ରହିବେ । ତେବେ ବିଡିଓ ଏବେ କୁହନ୍ତୁ ଦାୟୀ କିଏ । ସରକାରଙ୍କ ଚାପରେ ଏହି ଘଟଣାକୁ ପ୍ରଶାସନ ତରଫରୁ ଚାପି ଦିଆଯାଉଛି ।" ସତ ଘଟଣା ବାହାରକୁ ଆସିଲେ 5Tର ମୁଖା ଖୋଲିଯିବା ଭୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧମକ ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.