ETV Bharat / state

ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

author img

By ETV Bharat Odisha Team

Published : Jan 17, 2024, 1:33 PM IST

Updated : Jan 17, 2024, 2:16 PM IST

Srimandir Parikrama Project Inauguration: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଏହାପରେ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କଲେ ଗଜପତି । ଅଧିକ ପଢନ୍ତୁ

Srimandir Parikrama Project  Inauguration
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ସବୁ ପ୍ରତୀକ୍ଷାର ହେଲା ଅନ୍ତ । ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ଗଗନ ପବନ । ଭକ୍ତିରସରେ ଭିଜୁଛନ୍ତି ଭକ୍ତ । ଉତ୍ସବମୁଖର ଶ୍ରୀକ୍ଷେତ୍ର, ଆଚାର୍ଯ୍ୟ ବ୍ରାହ୍ମଣଙ୍କ ମନ୍ତ୍ର ବେଦପାଠରେ ପ୍ରକମ୍ପିତ ହେଉଛି ପରିବେଶ । ସକାଳୁ ପ୍ରଥମେ ସୂର୍ଯ୍ୟପୂଜା, ମହାଯଜ୍ଞ, ବେଦ ପାରାୟଣ ପରେ ପ୍ରକଳ୍ପର ଲୋକାର୍ପଣ ହୋଇଛି । ଏହି ଭବ୍ୟ ଅବସରର ସାକ୍ଷୀ ପାଲଟିଛନ୍ତି ନିମନ୍ତ୍ରିତ ଶତାଧିକ ଅତିଥିବୃନ୍ଦ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଯଜ୍ଞ ପୂର୍ଣ୍ଣାହୁତିରେ ଯୋଗ ଦେଇଛନ୍ତି । ଗଜପତି ମହାରାଜା ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଗତ 15 ତାରିଖରୁ ମହାଯଜ୍ଞ ଚାଲିଛି । ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଲୋକାର୍ପଣ ପାଇଁ ଆଜି ସକାଳୁ ପ୍ରଥମେ ସୂର୍ଯ୍ୟପୂଜା ପରେ ମହାଯଜ୍ଞ, ବେଦ ପାରାୟଣ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚି ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ଏହି ବିଶାଳ ସମାରୋହ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମଗ୍ର ଉତ୍ସବ ସ୍ଥଳୀ ସହିତ ପୁରୀ ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛି । ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୨୫୦ ଜଣ ସବ୍ ଇନ୍ସପେକ୍ଟର, ଚାରୋଟି ବୋମା ନିଷ୍କ୍ରିୟକାରୀ ଟିମ୍, ତିନୋଟି ଅତ୍ୟାଧୁନିକ K9 ସିକ୍ୟୁରିଟି ଟିମ୍, ସାଧା ପୋଷାକଧାରୀ ପୋଲିସ୍ ସହ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀକ୍ଷେତ୍ରରେ ଝିପିଝିପି ବର୍ଷା, ଜୟ ଜଗନ୍ନାଥ ଧ୍ବନିରେ ମୁଖରିତ ଗଗନ ପବନ

ଏହା ମଧ୍ୟ ପଢନ୍ତୁ: ବେଦପାଠରେ କମ୍ପୁଛି ଶ୍ରୀକ୍ଷେତ୍ର, ଭକ୍ତିରସରେ ଭିଜୁଛି ଭକ୍ତ

ସଭାସ୍ଥଳକୁ ଏବଂ ଯଜ୍ଞ ସ୍ଥଳୀକୁ କେବଳ ପାସ୍ ଧାରି ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି । ଯଜ୍ଞ ସ୍ଥଳୀକୁ କେବଳ ପୂଜାରେ ନିୟୋଜିତ ଥିବା ପୂଜକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରବେଶ ପାଇଁ ଅନୁମତି ରହିଛି । ପୋଲିସ ଡ଼ିଜି ଅରୁଣ ଷଡଙ୍ଗୀ ହେଲିପ୍ୟାଡ୍, ଶ୍ରୀସେତୁ, ସମଙ୍ଗ ପାର୍କିଂ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର, ଶ୍ରୀମାର୍ଗ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅଭ୍ୟର୍ଥନା କେନ୍ଦ୍ର ସହ ଶ୍ରୀମନ୍ଦିର ଚାରିପାଖର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jan 17, 2024, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.