ଭିନ୍ନକ୍ଷମ ହୋଇ ଶଯ୍ୟାଶାୟୀ ୩ ବଢିଲା ଝିଅ, ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଅସହାୟ ବାପାମାଆ

author img

By

Published : Nov 22, 2022, 9:45 PM IST

ଭିନ୍ନକ୍ଷମ ହୋଇ ବିଞ୍ଛଣାରେ ପଡ଼ିଛନ୍ତି ୩ ଭଉଣୀ, ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଅସହାୟ ବାପା ମାଆ

କ୍ରମାଗତ ଭାବେ ଭିନ୍ନକ୍ଷମ ହୋଇଗଲେ ୩ ଭଉଣୀ । ବଢ଼ିଲା ଝିଅଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ନୂଆପଡ଼ାରେ ତିନି ଭିନ୍ନକ୍ଷମ ଭଉଣୀଙ୍କ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଅସହାୟ ବାପା ମାଆ । ଅଧିକ ପଢ଼ନ୍ତୁ

ନୂଆପଡ଼ା: ଖଡ଼ିଆଳ ବ୍ଲକ ଘରଧରା ଗାଁର ଅସହାୟ ଉପେନ୍ଦ୍ର କୁମାର ବନିଛୋରଙ୍କ ପରିବାର ଉପରେ ଘୋଟିଛି କଳା ବାଦଲ । ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ବନିଛୋରଙ୍କ କୋଳରେ ୪ କନ୍ୟା ସନ୍ତାନ ଓ ୨ ପୁତ୍ର ସନ୍ତାନ ପରେ ଭାଙ୍ଗିଛି ଦୁଃଖର ପାହାଡ଼ । ମାଟ୍ରିକ ବୋର୍ଡ ପରୀକ୍ଷା ପରେ ପର୍ଯ୍ୟାୟକ୍ରମେ ୩ ଝିଅ ଭିନ୍ନକ୍ଷମ ହୋଇଛନ୍ତି । ବଢ଼ିଲା ଝିଅଙ୍କ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଗରୀବ ଅସହାୟ ବାପା ମାଆ ।

ଭିନ୍ନକ୍ଷମ ହୋଇ ବିଞ୍ଛଣାରେ ପଡ଼ିଛନ୍ତି ୩ ଭଉଣୀ, ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ଅସହାୟ ବାପା ମାଆ

ଜନ୍ମରୁ ସବୁକିଛି ଠିକ୍‌ ଥିଲା

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ଦୀର୍ଘ ୭୦ କିଲୋମିଟର ଦୂରରେ ଅବସ୍ଥିତ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଘରଧରା ଗାଁ । ଗାଁରେ ଉପେନ୍ଦ୍ର କୁମାର ବନିଛୋର ଓ ସ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ବନିଛୋରଙ୍କ ୪ ଝିଅ ଗାୟତ୍ରୀ, ଗୌତମି, ଚମ୍ପାକଳି ଓ ଦୁଲ୍ଲବି ଏବଂ ୨ ପୁଅ ବିଭୁତି ଓ ଚୌଧୁରୀ । ଏଭଳି 8 ଜଣ ସଦସ୍ୟକୁ ନେଇ ଉପେନ୍ଦ୍ରଙ୍କ ପରିବାର । ଏହି ହସଖୁସିର ପରିବାର ପ୍ରତି ଦଇବ ସାଧିଲା ଦାଉ । ଜନ୍ମରୁ ସବୁ ଠିକଠାକ ଥିଲା । ପର୍ଯ୍ୟାୟକ୍ରମେ ସବୁ ପିଲାଙ୍କର ପାଠ ପଢା ମଧ୍ୟ ଆରମ୍ଭ ହୋଇଥିଲା । ୨୦୧୦ ମସିହାରୁ କ୍ରମାଗତ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇ ଭଲ ନମ୍ବର ରଖି ପାସ କଲେ ସବୁ ଝିଅ । ଏହାପରେ ପିଲାମାନେ ଚାକିରୀ କରିବେ ଓ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆସିବ ବୋଲି ଆଶା ବାନ୍ଧିଥିଲେ ଉପେନ୍ଦ୍ର ଓ ଅର୍ଣ୍ଣପୂର୍ଣ୍ଣା ।

କ୍ରମାଗତ ଭାବେ ଭିନ୍ନକ୍ଷମ ହୋଇଗଲେ ୩ ଭଉଣୀ

ଉପେନ୍ଦ୍ରଙ୍କ ଆଶା, ଆଶାରେ ହିଁ ରହିଗଲା । କାରଣ ଈଶ୍ଵରଙ୍କ ବିଚାର କିଛି ଅଲଗା ଥିଲା । ପ୍ରଥମ ଝିଅ ଗାୟତ୍ରୀ ୨୦୧୦ ମସିହାରେ, ଦ୍ବିତୀୟ ଝିଅ ଗୌତମି ୨୦୧୧ ମସିହାରେ ଏବଂ ତୃତୀୟ ଝିଅ ଚମ୍ପାକଳି ୨୦୧୨ ମସିହାରେ ପର୍ଯ୍ୟାୟକ୍ରମେ ଭିନ୍ନକ୍ଷମ ପାଲଟିଗଲେ । ଅଣ୍ଟା ହାତ ଗୋଡ଼ ଆଉ କାମ କଲାନାହିଁ । ଫଳରେ ଦୀର୍ଘ ୧୨ ବର୍ଷ ହେବ ଖଟିଆରେ ପଡି ଛଟପଟ ହେଉଥିବାବେଳେ, କେବଳ ହ୍ବିଲ ଚେୟାର ହିଁ ସାହା ଭରସା ସାଜିଛି ।

ବଢ଼ିଲା ଝିଅଙ୍କ ସେବା କରୁଛି ମାଆ

ଖେଳାବୁଲା କରି ଉଚ୍ଚଶିକ୍ଷା ଗ୍ରହଣ କରିବା ବୟସରେ ଦାରୁଣ ଦୁଃଖ ଦେଇଛି ବିଧାତା । ଚାଲିବା ତ ଦୂରର କଥା କାହାର ସାହାରା ବିନା ଛିଡ଼ା ମଧ୍ୟ ହୋଇ ପାରୁନାହାନ୍ତି ଭିନ୍ନକ୍ଷମ ଝିଅ । ବଢ଼ିଲା ଝିଅମାନଙ୍କ ଖାଇବା ପିଇବାଠାରୁ ଆରମ୍ଭ କରି ଗାଧୋଇବା ଶୌଚ କରିବା ଆଦି ସମସ୍ତ କାମ ମାଆ ଅର୍ଣ୍ଣପୂର୍ଣ୍ଣାଙ୍କୁ କରିବାକୁ ପଡିଥାଏ । ତେବେ ଚିକିତ୍ସା ପାଇଁ ଟଙ୍କା ନାହିଁ ବୋଲି ଦିବ୍ୟାଙ୍ଗ ଝିଅ ଗୌତମି କ୍ୟାମେରା ସମ୍ମୁଖରେ ପ୍ରକାଶ କରିଛନ୍ତି ।

ସରକାରୀ ସହାୟତାକୁ ଅପେକ୍ଷା

ବହୁବର୍ଷ ପୂର୍ବେ ଚିକିତ୍ସା ପାଇଁ କିଛି ସହାୟତା କରିଥିଲା ଜିଲ୍ଲା ପ୍ରଶାସନ । କିନ୍ତୁ ୩ ଝିଅଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ତାହା ସମୁଦ୍ରକୁ ଶଙ୍ଖେ ଭଳି ଥିଲା । ପ୍ରଥମେ ନୂଆପଡା, ବୁର୍ଲା ଏବଂ ପରେ ଓଲଟପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ପରେ ଅର୍ଥ ଅଭାବରୁ ଘରକୁ ନେଇ ଆସିଥିବା କହିଛନ୍ତି ବାପା ଉପେନ୍ଦ୍ର କୁମାର ବନିଛୋର । ତେବେ ଏନେଇ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ଏନେଇ ପୂର୍ବରୁ କିଛି ସହାୟତା କରାଯାଇଥିଲା । ସେମାନଙ୍କୁ ସବୁଦିନିଆ ଫିଜିଓଥେରାପି ଆବଶ୍ୟକ । ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବି । ଚିକିତ୍ସା ପାଇଁ ସେ ଯାହା ନିର୍ଦ୍ଦେଶ ଦେବେ ଆମେ କରିବୁ ।"

ବଢ଼ିଲା ଝିଅଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ବଡ଼ ହସ୍ପିଟାଲ ନେଇ ବିଶେଷଜ୍ଞ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଲେ ଝିଅମାନେ ଭଲ ହୋଇଯିବେ ବୋଲି ଆଶା ବାନ୍ଧିଛନ୍ତି ବାପା ମାଆ । ତେବେ ଏହି ଅସହାୟ ପରିବାରର ନିବେଦନ କେବେ ସରାକାରଙ୍କ କାନରେ ପଡ଼ୁଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.