ETV Bharat / state

ପୁଣି ନୟାଗଡ଼ରୁ ବାଘ ଶିକାରୀ ଗିରଫ

author img

By

Published : Oct 30, 2022, 3:57 PM IST

Updated : Oct 30, 2022, 5:06 PM IST

ପୁଣି ନୟାଗଡ଼ରୁ ବାଘ ଶିକାରୀ ଗିରଫ । ନୟାଗଡ଼ ବନାଞ୍ଚଳରୁ ଗୋଟିଏ 7 ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ସହ ଗୁଳି ଜବତ ହୋଇଛି । ଏନେଇ ବାଘ ଛାଲ ସହ ଶିକାରୀକୁ ଗିରଫ କରିଛି ନୟାଗଡ଼ ବନ ବିଭାଗ । ଅଧିକ ପଢନ୍ତୁ

ପୁଣି ନୟାଗଡ଼ରୁ ବାଘ ଶିକାରୀ ଗିରଫ
ପୁଣି ନୟାଗଡ଼ରୁ ବାଘ ଶିକାରୀ ଗିରଫ

ନୟାଗଡ: ନୟାଗଡ଼ରେ ଥମୁନି ବାଘ ଶିକାର l କମୁନି ବାଘ ଛାଲ ବେପାର l ବାଘକୁ ହତ୍ୟା କରି ଶିକାରୀ ମାନେ ଚମଡା, ନଖ ଆଦି ବିକ୍ରି ଉଦ୍ୟମ କରୁଛନ୍ତି l ଏହି ସମୟରେ କେତେବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ତ ପୁଣି କେତେବେଳେ ବନ ବିଭାଗ ଦ୍ବାରା ଗିରଫ ହେଉଛନ୍ତି ଶିକାରୀ l ତେବେ ଗୋଟିଏ ପରେ ଗୋଟିଏ ବାଘ ଛାଲ ଜବତ ସହ ଶିକାରୀ ଗିରଫ ହେବା ଘଟଣାକୁ ନେଇ ଚର୍ଚ୍ଚା ଉଠିଛି l ବାଘ ଶୂନ୍ୟ ହୋଇଯିବ କି ନୟାଗଡ଼ ଜଙ୍ଗଲ ! କାରଣ ପୂର୍ବରୁ ରଣପୁର, ଦଶପଲ୍ଲା ଅଂଚଳରୁ ମଧ୍ୟ ଏସଟିଏଫ ବାଘ ଶିକାରୀଙ୍କୁ ଗିରଫ କରିଥିବା ନଜର ରହିଛି l ଏବେ ପୁଣି କଲରାପତରିଆ ବାଘ ଛାଲ ସହ ଶିକାରୀକୁ ଗିରଫ କରିଛି ନୟାଗଡ଼ ବନ ବିଭାଗ l

ପୁଣି ନୟାଗଡ଼ରୁ ବାଘ ଶିକାରୀ ଗିରଫ

ତେବେ ସୂଚନା ଅନୁଯାୟୀ, ନୟାଗଡ଼ ବନାଞ୍ଚଳରୁ ଗୋଟିଏ 7 ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ସହ ଗୁଳି ଜବତ ହୋଇଛି l ଶିକାରୀ କୃପାସିନ୍ଧୁ ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ କୃପାସିନ୍ଧୁ ବିଶ୍ବାଳ ଘର ନୟାଗଡ଼ ଟାଉନ ଥାନା ଚଣ୍ଡୀବସ୍ତ ଗାଁରେ l 15 ହଜାର ଟଙ୍କାରେ ଛାଲକୁ କୃପାସିନ୍ଧୁ ବିକ୍ରି କରିବା ପାଇଁ ନେବା ବେଳେ ପାଣିପୋଇଲା ଛକ ନିକଟରୁ ବନ ବିଭାଗ ସ୍ଵତନ୍ତ୍ର ଟିମ ହାତରେ ଧରା ପଡିଥିଲା କୃପାସିନ୍ଧୁ l କୃପାସିନ୍ଧୁ ବାଘଟିକୁ ଗଂଜାମ ଜିଲ୍ଲା ଜଙ୍ଗଲରେ ଗୁଳି କରି ଶୀକାର କରିଥିବା DFO ସୂଚନା ଦେଇଛନ୍ତି l

କିଛି ମାସ ମଧ୍ୟରେ ନୟାଗଡ଼ ବନ ବିଭାଗ ଅଧୀନରୁ ଏକାଧିକ ବାଘ ଛାଲ ଜବତ ହେଲାଣି l ଅନେକ ଶିକାରୀ ବାଘ ଛାଲ ବିକ୍ରି କରିବାରେ ସଫଳ ହେଉଛନ୍ତି l ତେବେ ଏତେ ପରିମାଣର ବାଘ ଛାଲ ବିକ୍ରି ଉଦ୍ୟମ ହିଁ ସୂଚାଉଛି ଯେ ନୟାଗଡ଼ ବନଖଣ୍ଡ ଅଧୀନରେ ଅନେକ ବାଘ ରହିଛନ୍ତି l ଯଦି ଏହିପରି ଭାବରେ ବାଘ ଶୀକାର ହୁଏ ତେବେ ନିର୍ଦ୍ବନ୍ଦରେ ନୟାଗଡ଼ ବନଖଣ୍ଡ ଅଧୀନରେ ଥିବା ଜଙ୍ଗଲ ବାଘ ଶୂନ୍ୟ ହୋଇଯିବ l ଜଙ୍ଗଲରେ କେତେ ସୁରକ୍ଷିତ ବାଘ ତାହାକୁ ନେଇ ଉଠିଛି ପ୍ରଶ୍ନ l ତେବେ ବନ ବିଭାଗ ବାଘଙ୍କୁ ସୁରକ୍ଷା ଦେବାକୁ ଏବଂ ଶିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି l ଏ ନେଇ ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ କହିଛନ୍ତି ' ଆମେ ଏ ସବୁ ରୋକିବାକୁ ଉଦ୍ୟମ କରୁଛୁ l ଆମ ଟିମ ଏଥିପାଇଁ କାମ କରୁଛି l ମୁଁ ଥିବା ପର୍ଯ୍ୟନ୍ତ ଏହାକୁ ରୋକିବାକୁ ଉଦ୍ୟମ କରିବି "ବୋଲି ଗଣ ମାଧ୍ୟମରେ କହିଛନ୍ତି l

ଇଟିଭି ଭାରତ, ନୟାଗଡ

Last Updated :Oct 30, 2022, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.