ନୟାଗଡ ନାବାଳିକା ଅପହରଣ ଘଟଣାକୁ ବର୍ଷେ, ନ୍ୟାୟ ଅପେକ୍ଷାରେ ବାପା ମା’

author img

By

Published : Jul 14, 2021, 11:00 PM IST

Updated : Jul 15, 2021, 12:04 PM IST

ଯଦୁପୁର ନାବାଳିକା ହତ୍ୟା ଘଟଣାକୁ ବର୍ଷେ, ନ୍ୟାୟ ଅପେକ୍ଷାରେ ବାପାମାଆ

ବହୁଚର୍ଚ୍ଚିତ ନୟାଗଡ ନାବାଳିକା ଅପହରଣ ଘଟଣାକୁ ପୁରିଲା ବର୍ଷେ । 2020 ମସିହା ଆଜିର ଦିନରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନାବାଳିକା ହଠାତ୍ ନିଖୋଜ ହୋଇଯାଇଥିଲା ଏବଂ ସପ୍ତାହ ପରେ ତାର ଦେହାବଶେଷ ମିଳିଥିଲା । ଅଧିକ ପଢନ୍ତୁ...

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ଅପହରଣ ଘଟଣାକୁ ପୁରିଲା ବର୍ଷେ । ଗତବର୍ଷ ଜୁଲାଇ 14 ତାରିଖ ଅର୍ଥାତ୍ ଆଜିରେ ଦିନରେ ନାବାଳିକାଟି ଗାଁ ଦାଣ୍ଡରେ ଖେଳୁଥିବାବେଳେ ଅପହରଣ ହୋଇଥିଲା । ଅପହରଣର ସପ୍ତାହ ପରେ ତାର ଦେହାବଶେଷ ମିଳିଥିଲା । ତେବେ ଏହି ଘଟଣାର ଅଭିଯୁକ୍ତ ନାବାଳକ ନୟାଗଡ ବାଳ ସୁଧାର ଗୃହରେ ବର୍ତ୍ତମାନ ଅଛି । ହେଲେ ଏହାସତ୍ତ୍ବେ ବି ଝିଅଙ୍କୁ ଉପଯୁକ୍ତ ନ୍ୟାୟ ମିଳିନଥିବା କହିଛନ୍ତି ନାବାଳିକାର ବାପାମାଆ । ଏଥିସହ ଘଟଣାରେ ସିବିଆଇ ତଦନ୍ତ ପାଇଁ ଦାବି କରିବା ସହ ଝିଅକୁ ନ୍ୟାୟ ଦେବାକୁ ଲଢେଇ ଜାରି ରହିବ ବୋଲି କହିଛନ୍ତି ।

ନୟାଗଡ ନାବାଳିକା ଅପହରଣ ଘଟଣାକୁ ବର୍ଷେ, ନ୍ୟାୟ ଅପେକ୍ଷାରେ ବାପା ମା’

ସୂଚନାଥାଉ କି, 2020 ମସିହା ଜୁଲାଇ ମାସ 14 ତାରିଖ । MA ଡିଗ୍ରିଧାରୀ ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀଙ୍କ ଏକମାତ୍ର ଝିଅ ଗାଁ ଦାଣ୍ଡରେ ଖେଳୁଥିଲା । ହେଲେ ଦାଣ୍ଡରୁ ଆଉ ଘରକୁ ଫେରି ନଥିଲା । ବହୁ ଖୋଜାଖୋଜି ପରେ ନିରୂପାୟ ବାପାମାଆ ନୟାଗଡ ସଦର ଥାନାରେ ଝିଅ ନିଖୋଜ ନେଇ ଲିଖିତ ଏତଲା ଦେଇଥିଲେ । ମାତ୍ର ପୋଲିସ ଏକ ମିସିଂ କେସ୍ କରି ଚୁପ୍ ବସି ଯାଇଥିଲା । ଏହାପରେ ନୟାଗଡ ଏସପି ଏବଂ ଜିଲ୍ଲାପାଳଙ୍କ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ତେବେ ଅପହରଣ ସାତ ଦିନ ପରେ ଗାଁକୁ ପୋଲିସର ଡଗ୍ ସ୍କ୍ବାର୍ଡ ଆସିଥିଲା । ହେଲେ କୌଣସି ସନ୍ଧାନ ମିଳି ନଥିଲା ନାବାଳିକା । ତେବେ ଡଗ୍ ସ୍କାର୍ଡ ଯିବାର ପରଦିନ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ ଏକ ବସ୍ତାରେ ବନ୍ଧା ହୋଇ ବାଡି ସଂଲଗ୍ନ ପୋଖରୀ କୂଳରୁ ଅଶୋକଙ୍କ ମିଳିଥିଲା । ମାତ୍ର କିଏ ନାବାଳିକାକୁ ହତ୍ୟା କଲା ସେନେଇ କିଛି ସ୍ପଷ୍ଟ ହୋଇପାରିଲା ନାହିଁ । ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗାମୀ ଯଦୁପୁର ଗାଁର ବିଜେଡି ନେତା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବାବୁଲି ନାୟକ ଏବଂ ତାଙ୍କ ପୁତୁରାଙ୍କ ହାତ ଥିଲା ନାବାଳିକାର ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।

ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଅକ୍ଟୋବର 21 ତାରିଖରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ଅଶୋକ ଏବଂ ସୌଦାମିନୀ । ଯାହାଫଳରେ ଏହା ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଥିଲା । ପରେ ପରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରଲ ହେବା ଘଟଣା ଏବଂ ଅଙ୍ଗତସ୍କରୀ ପାଇଁ ନାବାଳିକାକୁ ହତ୍ୟା କରାଯାଇଥିବା ନେଇ ବାପାମାଆ ଅଭିଯୋଗ ପରେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରି ଥିଲେ । ଏଥିସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିଲା । ଫଳରେ ବିଧାନସଭାକୁ ତରବରିଆ ଭାବେ ବନ୍ଦ କରାଯାଇଥିଲା ଏବଂ SIT ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏହାପରେ ଘଟଣାରେ ତଦନ୍ତ ପାଇଁ IPS ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ SIT ଟିମ ଗଠନ ହୋଇଥିଲା । ତଦନ୍ତ ମଧ୍ୟରେ ଅଶୋକଙ୍କ ପଡୋଶୀ ଅଭିଯୁକ୍ତ ନାବାଳକ ସେଠୀଙ୍କୁ ଅଭିଯୁକ୍ତ ହେବା ପାଇଁ ଅରୁଣ ବୋଥ୍ରା 5 ଲକ୍ଷ ଟଙ୍କା ଯାଚୁ ଥିବା ଅଭିଯୋଗ କରିଥିଲା ଅଭିଯୁକ୍ତ । ତେବେ ଏହି ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସର ସମସ୍ତ ବିଧାୟକ, ମୁଖପାତ୍ରଙ୍କ ଠାରୁ ଆରମ୍ଭ କରି ପ୍ରଭାରୀ ପର୍ଯ୍ୟନ୍ତ ଯଦୁପୁର ଗାଁକୁ ଆସିଥିଲେ । ବିଜେପି ଦୀର୍ଘ 1 ମାସ ଧରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲା । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସଦର ଥାନା ଆଇଆଇସି ରୀନା ରାଣୀ ସାହୁଙ୍କ ନିଲମ୍ବନ ଏବଂ ନୟାଗଡ଼ ଏସଡିପିଓଙ୍କ ବଦଳି ଆଦେଶ ଦେଇଥିଲେ ପୋଲିସ ମୁଖ୍ୟାଳୟ । ପରେ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଥିଲା । ତେବେ ପରିଶେଷରେ ସରୋଜ ସେଠୀକୁ ଉଠାଇ ନେଲା SIT । ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଅଭିଯୁକ୍ତ ନାବାଳକ ହୋଇଥିଲେ ମଧ୍ୟ ସାବାଳକ କରି କୋର୍ଟରେ ହାଜର କରାଇଥିଲା SIT l ପରେ ସରୋଜଙ୍କ ଓକିଲଙ୍କ ଆବେଦନ ପରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ସରୋଜ । ବର୍ତ୍ତମାନ ସରୋଜ ଜେଲରେ ଥିବା ବେଳେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି ଅଶୋକ । ମାତ୍ର ଭୟରେ ଦୀର୍ଘ ବର୍ଷେ ହେବ ଗାଁକୁ ଫେରିପାରି ନାହାନ୍ତି ଅଶୋକ । ଶ୍ୱଶୁର ଘର ଯୋଗିଆ ପଲ୍ଲୀରେ ଆଜି ବି ରହୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁରକ୍ଷାକୁ ହଟାଇ ଦିଆଯାଇଛି ।

ତେବେ ପୂର୍ବଭଳି ଆଉ ଅଶୋକ ଅଟୋ ଚଳାଇବାକୁ ସାହସ କରି ପାରୁନାହାନ୍ତି କି ନିଜ ଗାଁକୁ ମଧ୍ୟ ଫେରି ପାରୁ ନାହାନ୍ତି । ନିଜର ଏକମାତ୍ର ସନ୍ତାନକୁ ହରାଇବା ପରେ ତାର ହତ୍ୟାକାରୀଙ୍କ ବିରୋଧରେ ସ୍ୱର ଉଠାଇ ଏହି ଦମ୍ପତି ନିଜର ଜନ୍ମମାଟି ସହ ସର୍ବସ୍ୱ ହରାଇଛନ୍ତି । ନ୍ୟାୟ ବଦଳରେ ନିଜର ଜୀବନ ଜୀବିକାକୁ ଜଳାଞ୍ଜଳି ଦେଇଛନ୍ତି ତଥାପି ତାଙ୍କ ଝିଅକୁ ନ୍ୟାୟ ମିଳିନଥିବା ସେ କହିଛନ୍ତି ଏବଂ ଶେଷ ନିଶ୍ବାସ ଯାଏଁ ଝିଅକୁ ନ୍ୟାୟ ଦେବାକୁ ଲଢେଇ କରିବେ ବୋଲି ପ୍ରକାଶ କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Jul 15, 2021, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.