ETV Bharat / state

ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର, କୁଡିଆ ଘରେ ଚାଲିଛି ପାଠପଢା

author img

By

Published : Oct 21, 2022, 10:02 PM IST

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ କ୍ଲଷ୍ଟର ଅନ୍ତର୍ଗତ ଘୁମରାଦୋରା ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ନୂତନ କୋଠା ନିର୍ମାଣ ଶେଷ ହୋଇପାରୁନଥିବାରୁ 6 ବର୍ଷ ବର୍ଷ ଧରି ଝାଟିମାଟି ଘରେ ଚାଲିଛି ପାଠପଢ଼ା । ଅଧିକ ପଢ଼ନ୍ତୁ

study at cottage in ghumuradora school nabarangpur
ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର, କୁଡିଆ ଘରେ ଚାଲିଛି ପାଠପଢ଼ା

ନବରଙ୍ଗପୁର: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳାପୁଳା ଯୋଜନା । ତେବେ ୫ଟି ଉପକ୍ରମରେ ସ୍ମାର୍ଟସ୍କୁଲ୍‌ ରୂପାନ୍ତରୀକରଣ ସହ ସର୍ବଶିକ୍ଷା ଅଭିଯାନରେ ପିଲାଙ୍କୁ ମାଗଣା ସୁବିଧା ଯୋଗାଇ ଦିଆଯାଉଛି । ତେବେ ବାସ୍ତବରେ ଏହା କେତେ ଫଳପ୍ରଦ ହେଉଛି ? ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ କ୍ଲଷ୍ଟର ଅନ୍ତର୍ଗତ ଘୁମରାଦୋରା ସ୍କୁଲ ଅବସ୍ଥା ଦେଖିବା ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ । ଏକାଠି ହୋଇ ବସିଛନ୍ତି ପିଲା, ଶିକ୍ଷକ ବି ଅଛନ୍ତି ଆଉ ପାଠପଢା ବି ଚାଲିଛି । ମୁଣ୍ଡ ଉପରେ ଜରିପାଲର ଛାଉଣି । ଆଉ ବସିବା ପାଇଁ ଗୋବର ଲିପା ହୋଇଛି । ସରକାରଙ୍କ କୋଟିକୋଟି ବ୍ୟୟରେ ତିଆରି ହେଉଥିବା ଯୋଜନାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ।

ଶିକ୍ଷା ବ୍ୟବସ୍ଥାରେ ବିକଳ ଚିତ୍ର

ଘୁମରାଦୋରା ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ପଢ଼ାଇବା ପାଇଁ ଅଛନ୍ତି ୨ ଜଣ ଶିକ୍ଷକ। ୭ ବର୍ଷ ତଳେ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା ଏବଂ ୧୪ ଲକ୍ଷ ଟଙ୍କା ବ୍ୟୟରେ କୋଠା ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ବିଡମ୍ବନାର ବିଷୟ ଯେ ଆଜି ଯାଏ ସ୍କୁଲ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ତେଣୁ ପଲିଥିନ ଟାଙ୍ଗି ବାଉଁଶ ନିର୍ମିତ କୁଡିଆରେ ଚାଲିଛି ଶିକ୍ଷାଦାନ। ଖରା ଓ ଶୀତ ଦିନେ ଯେନତେନ ପ୍ରକାରେ ଶିକ୍ଷାଦାନ ହେଉଥିବା ବେଳେ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପିଇବା ପାଣି ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଗାଁକୁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ। ମଧ୍ୟାହ୍ନ ଭୋଜନ ମଧ୍ୟ ଅନ୍ୟ ଜଣକ ଘରେ ରନ୍ଧା ଯାଇ ପିଲାଙ୍କୁ ଦିଆଯାଉଛି।

ଏହା ମଧ୍ୟ ପଢ଼ନ୍ତୁ: ଗ୍ରାମକୁ ଦୋଷ ଲାଗିଥିବାରୁ ଗଡୁଛି ମୁଣ୍ଡ ! ପ୍ରତିକାର ପାଇଁ ଘୁଷୁରୀ ବଳି

ଉକ୍ତ ଗାଁରେ ଅଙ୍ଗନବାଡି କେନ୍ଦ୍ର ଟିଏ ନଥିବା ଯୋଗୁଁ ୩ କିଲୋମିଟର ଦୂର ଅନ୍ୟ ଏକ ଜାଗାକୁ ପିଲା ଯାଉଥିବାର ଅଭିଯୋଗ ମଧ୍ୟ ହେଉଛି । ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ଯୁଗ୍ମ ଆକାଉଣ୍ଟରେ ଟଙ୍କା ପୈଠ ହୋଇଛି। କିନ୍ତୁ ଆଜିଯାଏ କାହିଁକି କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ ତାହାର ସଠିକ ତଥ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ ।

ଏନେଇ ଶିକ୍ଷା ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, "ସ୍କୁଲର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଖୁବଶୀଘ୍ର ଏହାକ କାମ ଶେଷ ହେବ। ଆଗାମୀ ୭ରୁ 10 ଦିନ ମଧ୍ୟରେ ପିଲାଙ୍କୁ ନୂତନ କୋଠାକୁ ସ୍ଥାନାନ୍ତର କରାଯିବ ।" ଅନ୍ୟପଟେ ଏନେଇ ତେନ୍ତୁଳିଖୁଣ୍ଟି ବିଡ଼ିଓଙ୍କୁ ପଚାରିବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ ସବୁ ବୁଝୁଛି ତଥାପି ସେ ଯନ୍ତ୍ରୀଙ୍କୁ ରିପୋର୍ଟ ମାଗିଛନ୍ତି ବୋଲି କହିଛନ୍ତି । ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ରହିଛି ବିକାଶ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.