ETV Bharat / state

ଯୁବତୀଙ୍କୁ ପ୍ରେମିକ ୩୧ ଖଣ୍ଡ କରିବା ଘଟଣାର ପର୍ଦ୍ଦାଫାସ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Nov 26, 2023, 6:03 PM IST

Updated : Nov 26, 2023, 7:56 PM IST

ନବରଙ୍ଗପୁରରେ ଯୁବତୀଙ୍କୁ ନିର୍ମମ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ବିବାହିତ ପ୍ରେମିକ ଓ ତାର ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

Nabarangpur murder
Nabarangpur murder

ଯୁବତୀଙ୍କୁ ପ୍ରେମିକ ୩୧ ଖଣ୍ଡ କରିବା ଘଟଣାର ପର୍ଦ୍ଦାଫାସ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନବରଙ୍ଗପୁର: ଜିଲ୍ଲାର ରାଇଘର ବ୍ଲକରେ ଯୁବତୀଙ୍କୁ ୩୧ ଖଣ୍ଡ କରିବା ଘଟଣା । ପ୍ରେମିକକୁ ପତ୍ନୀ ଅଧିକାର ମାଗିବାରୁ ଶେଷରେ ରାସ୍ତାରୁ ସବୁଦିନ ପାଇଁ ହଟାଇଲା ଅଭିଯୁକ୍ତ । ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ମାଟିରେ ପୋତିଥିଲା । ତେବେ ଗତକାଲି ପୋଲିସ ଅଭିଯୁକ୍ତ ବିବାହିତ ପ୍ରେମିକ ଚନ୍ଦ୍ର ରାଉତ ଓ ତାର ସହଯୋଗୀ ପତ୍ନୀ ଶୀୟା ରାଉତକୁ ଅଟକ ରଖି ପଚରାଉଚରା କରିବା ପରେ ଆଜି (ରବିବାର) ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସର ସୂଚନା ଅନୁସାରେ ମୃତ ଯୁବତୀ ଜଣକ ବୁଧବାର ସନ୍ଧ୍ୟାଠାରୁ ଘରୁ ବାହାରିଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଅନ୍ୟପଟେ ଗୋନା ପଞ୍ଚାୟତ ମୁରୁମଡ଼ିହି ଗାଁ ଜଙ୍ଗଲରେ ଗୋଟିଏ ତେନ୍ତୁଳି ଗଛ ନିକଟରେ ଜଣେ ଯୁବକ ରକ୍ତ ଛିଟା ଦେଖିଥିଲେ । ଏଭଳି ବିଚଳିତ କରିବା ଭଳି ଦୃଶ୍ୟ ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ତେନ୍ତୁଳିଗଛ ଆଖପାଖ ନିରୀକ୍ଷଣ କରିବାରୁ ମାଟି ତଳେ ମୃତଦେହ ପୋତା ଯାଇଥିବା ଅନୁମାନ କରିଥିଲେ । ୩ ଦିନ ଧରି ନିଖୋଜ ଥିବା ଯୁବତୀଙ୍କ ବାପା ଏହି ସମ୍ପର୍କରେ ଖବର ପାଇବା ପରେ ମୃତଦେହ ଦେଖିବାକୁ ଯାଇଥିଲେ । ତେବେ ଘଟଣା ସ୍ଥଳରେ ରକ୍ତଦାଗ ସହ କିଛି ଦୂରରେ ବାକ୍ସରେ ମଣିଷ ଚମ ଏବଂ ଶରୀରର କିଛି ଅଂଶ ଦେଖି ତୁରନ୍ତ ରାଇଘର ଥାନାରେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ନବରଙ୍ଗପୁରରେ ଜଘନ୍ୟ ହତ୍ୟାକାଣ୍ଡ, ଯୁବତୀଙ୍କୁ ୩୧ ଖଣ୍ଡ କରି ପୋତିଲା ପ୍ରେମିକ !

ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ସହ ପୋଲିସ ପହଞ୍ଚି ମାଟି ଖୋଳିଥିଲା । ଏହାପରେ ମାଟି ତଳୁ ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । ଯୁବତୀଙ୍କ ପିତା ମୃତଦେହ ଦେଖି ନିଜ ଝିଅକୁ ଚିହ୍ନଟ କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରିଛି । ମୁରୁମଡ଼ିହି ଗ୍ରାମର ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀ ଶୀୟାଙ୍କୁ ପୋଲିସ ପଚରାଉଚରା କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା ।

କଣ ଥିଲା ପୁରା ଘଟଣା ? ମୁରମଡିହି ଗ୍ରାମର ବିବାହିତ ଚନ୍ଦ୍ର ରାଉତଙ୍କ ସହ ୨ ବର୍ଷ ହେଲା ଏହି ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା । ବିବାହ ପାଇଁ ଯୁବତୀ ଜଣକ ବାରମ୍ବାର ଚାପ ପକାଉଥିଲେ । ଗତ ବୁଧବାର ରାତିରେ ଘରେ କାହାକୁ କିଛି ନକହି ଯୁବତୀ ନିଜ ଗାଁଠାରୁ ୧୦କିମି ଦୂର ପ୍ରେମିକ ଚନ୍ଦ୍ର ରାଉତ ଘରେ ପହଞ୍ଚିଥିଲେ । ବିବାହ ପାଇଁ ପୁଣି ଚାପ ପକାଇବାରୁ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇ ଥିଲା । ଶେଷରେ ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଚନ୍ଦ୍ର ଯୋଜନା କରିଥିବା ବେଳେ ଏଥିରେ ପତ୍ନୀ ସହଯୋଗ କରିଥିଲେ । ଦୁହେଁ ମିଶି ଯୁବତୀଙ୍କୁ ହତ୍ୟା କରିବା ପରେ ଘରଠାରୁ ପ୍ରାୟ ୩୦୦ ମିଟର ଦୂର ଜଙ୍ଗଲକୁ ମୃତଦେହକୁ ନେଇଥିଲେ।

ଏହାପରେ ପରିଚୟ ଲୁଚାଇବାକୁ ଯୁବତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଥିଲେ । ଏପରିକି ମୃତଦେହକୁ ଶୀଘ୍ର ନଷ୍ଟ କରିବା ଉଦ୍ଦେଶ୍ୟରେ କିଛି ଲୁଣ ମଧ୍ୟ ପକାଇଥିବା ସାଇଣ୍ଟିଫିକ ଟିମ ପ୍ରମାଣ ପାଇଛି । ମୃତଦେହକୁ କାଟିବା ଲାଗି ବ୍ୟବହାର ହୋଇଥିବା ଧାରୁଆ ଅସ୍ତ୍ରକୁ ପୋଲିସ ଘଟଣାସ୍ଥଳରୁ ଜବତ କରିଥିଲା । ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବା ଯୋଗୁଁ ଉଭୟଙ୍କୁ ବିଚାରଧୀନ କଏଦୀ ଭାବେ ଜେଲ ପଠାଇ ଦିଆଯାଇଛି । ଅନ୍ୟପଟେ ବାଗବେଡା ଗ୍ରାମର ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଘର ନିକଟରେ ଯୁବତୀଙ୍କ ଅନ୍ତିମ ସଂସ୍କାର କରିଥିବା ବେଳେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦାବିରେ ରାଇଘର ଘେରାଉ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Nov 26, 2023, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.