ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

author img

By

Published : Sep 16, 2022, 7:53 AM IST

Updated : Sep 16, 2022, 1:16 PM IST

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

୨୫ ଜଣ ଯାତ୍ରୀ ସାପ୍ତାହିକ ହାଟକୁ ଯାଉଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫସିଲା ଲଞ୍ଚ । ସମସ୍ତଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ । ଅଧିକ ପଢନ୍ତୁ

ନବରଙ୍ଗପୁର: ଇନ୍ଦ୍ରାବତୀରେ ଫସିଲା ଲଞ୍ଚ(Launch Got Stuck In Indravati Reservoir) । ଗୁରୁବାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ଯାତ୍ରୀବାହୀ ଲଞ୍ଚ ଫସି ଯାଇଥିଲା । ଲଞ୍ଚରେ ମୋଟ ୨୫ ଜଣ ଯାତ୍ରୀ ଥିଲେ । ଗୁଞ୍ଜମାଲି ଗ୍ରାମରୁ ଏହି ଲୋକମାନେ ଖାତିଗୁଡା ସ୍ଥିତ ଲୋମତାଗୁଡା ସାପ୍ତାହିକ ବଜାରକୁ ଆସୁଥିଲେ l ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚ ଜଳଭଣ୍ଡାର ମଝିରେ ଅଟକି ଯାଇଥିଲା । ଏହାପରେ ଲଞ୍ଚ ଯାତ୍ରୀ ପୋଡ଼ାଗଡ଼ ଠାରେ ଥିବା ୧୦୮ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ବୋଟ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି ।

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଞ୍ଜମାଲି ଗ୍ରାମର ୧୫ ଜଣ ମହିଳା, ୬ ଜଣ ପୁରୁଷ ଓ ୪ ଜଣ ଛୋଟ ପିଲା ସକାଳୁ ସକାଳୁ ସାପ୍ତାହିକ ହାଟ ପାଇଁ ବାହାରି ଥିଲେ । ସେମାନେ ଲଞ୍ଚରେ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ନିଜ ଗ୍ରାମରୁ ବାରିଆଘାଟ ଅଭିମୁଖେ ଆସୁଥିଲେ l ହେଲେ କିଛି ସମୟ ଚାଲିବା ପରେ ହଠାତ୍ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ଅଚଳ ଲଞ୍ଚ ମଧ୍ୟକୁ ପାଣି ପଶିବାକୁ ଲାଗିଥିଲା । ଯେଉଁ କାରଣରୁ ଲଞ୍ଚ ଧୀରେ ଧୀରେ ଭାରସାମ୍ୟ ହରାଇଥିଲା । ହେଲେ ଲଞ୍ଚ ଚାଳକ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ବାରିଆଘାଟରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସର ଡ୍ରାଇଭରକୁ ଫୋନ କରିଥିଲେ । ଏହାପରେ ବୋଟ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷା ଭାବେ ଉଦ୍ଧାର କରିଛି ।

ଏହାମଧ୍ୟ ପଢନ୍ତୁ: ଝିଅକୁ କମେଣ୍ଟ କରୁଥିଲେ, ବିରୋଧ କରିବାରୁ ପରିବାରକୁ ମରଣାନ୍ତକ ଆକ୍ରମଣ

ଲଞ୍ଚ ଡ୍ରାଇଭର, ଇଏମଟି ଓ ସହାୟକ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ସେମାନେ ଯାତ୍ରୀଙ୍କ ସମେତ ବଜାରକୁ ବିକ୍ରି ପାଇଁ ନେଉଥିବା ସଉଦା ପତ୍ର ଉଦ୍ଧାର କରି ସମସ୍ତଙ୍କୁ ବାରିଆଘାଟରେ ଆଣି ଛାଡିଥିଲେ । ଯାହାଫଳରେ ଏକ ବଡ ଧରଣର ବିପଦରୁ ସମସ୍ତେ ବର୍ତ୍ତି ଯାଇଛନ୍ତି । ଯଦି ବୋଟ ଆମ୍ବୁଲାନ୍ସ ସଠିକ୍ ସମୟରେ ପହଞ୍ଚି ପାରି ନଥାନ୍ତା ତାହାହେଲେ ଡଙ୍ଗାରେ ଥିବା ୨୫ ଜଣଯାକ ନିଶ୍ଚିତ ବିପଦ ମୁଖରେ ପଡିଥାନ୍ତେ ବୋଲି ଉଦ୍ଧାର ହୋଇଥିବା ଯାତ୍ରୀ କହିଛନ୍ତି ଏବଂ ଏଥିପାଇଁ ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Sep 16, 2022, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.