ETV Bharat / state

ନବରଙ୍ଗପୁରରେ ସକ୍ରିୟ ନକଲି ସୁନାଶଙ୍ଖ ରାକେଟ୍: ଗ୍ୟାଙ୍ଗର ଜଣେ ଗିରଫ, 4 ଅଭିଯୁକ୍ତ ଫେରାର

author img

By ETV Bharat Odisha Team

Published : Sep 14, 2023, 1:46 PM IST

ମହଙ୍ଗା ପଡ଼ିଛି ନକଲି ସୁନା ଶଙ୍ଖ କାରବାର । ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ଜଣେ ଗିରଫ ହୋଇଥିବାବେଳେ ଅନ୍ୟ ୪ ଅଭିଯୁକ୍ତ ଫେରାର ଅଛନ୍ତି । ଅଧିକ ପଢନ୍ତୁ

fake gold conch trade in nabarangpur
ନକଲି ସୁନାଶଙ୍ଖ ରାକେଟ୍

ନକଲି ସୁନାଶଙ୍ଖ ରାକେଟ୍

ନବରଙ୍ଗପୁର: ଉପାନ୍ତ ଜିଲ୍ଲାରେ ପୁଣି କାୟା ମେଲାଇଛି ନକଲି ସୁନା ଶଙ୍ଖ କାରବାର । ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଅନ୍ୟ ୪ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ପାପଡାହାଣ୍ଡି ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ପାପଡାହାଣ୍ଡି ପୋଲିସ ନକଲି ସୁନାଶଙ୍ଖ କାରବାର କରୁଥିବା ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିଛି । ତେବେ ଅଭିଯୁକ୍ତ ନିକଟରୁ ୮୧ ହଜାର ଟଙ୍କା ଜବତ ହୋଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ।

ରାତି ଅଧିଆ ଧନୀ ହେବାର ନିଶା ସାଜିଲା କାଳ । ମହଙ୍ଗା ପଡ଼ିଛି ନକଲି ସୁନା ଶଙ୍ଖ କାରବାର । ଏସଡିପିଓଙ୍କ ସୂଚନା ଅନୁସାରେ, "ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟନଗରମର ଶୁକଦାସ ଗଙ୍ଗା ସାଗର ନାମକ ଜଣେ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ସ୍ଥିତ ତାଙ୍କୁ ମାମୁଁଘରକୁ ଆସିଥିଲେ । ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବାମୁଣୀ ଗ୍ରାମରେ ଶୁକଦାସ ଗଙ୍ଗାଙ୍କ ମାମୁଁ ଘର ହୋଇଥିବାବେଳେ ସେହି ଗାଁର ମନ ବିଷୋୟୀ ନାମକ ଜଣେ ଯୁବକଙ୍କ ସମେତ ଅନ୍ୟ 4 ଜଣଙ୍କ ସହ ସାକ୍ଷାତ ହୋଇଥିଲା ।"

ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ କହିଛନ୍ତି, "ଏହି 5 ଜଣ ଶୁକଦାସଙ୍କୁ ସୁନାଶଙ୍ଖ ଥିବା କଥା ଫୋନ ମାଧ୍ୟମରେ ଜଣାଇଥିଲେ । ଏହି ସୁନାଶଙ୍ଖକୁ କମ୍ ଦରରେ କିଣି ତାକୁ ଚଢା ଦରରେ ବିକ୍ରି କରି ଆର୍ଥିକ କ୍ଷେତ୍ରରେ ବେଶ ଲାଭବାନ ହେବ ବୋଲି ପ୍ରଲୋଭନ ଦେଖାଇଥିଲେ । ଏହା ପରେ ଶୁକଦାସ ପ୍ରଲୋଭନର ଶିକାର ହୋଇ ମନ ବିଷୋୟୀ ଏବଂ ଅନ୍ୟ ଚାରିଜଣଙ୍କୁ ୫ ଲକ୍ଷ ଟଙ୍କା ବିନିମୟରେ ସୁନାଶଙ୍ଖକୁ କିଣି ନିଜ ଆନ୍ଧ୍ରପ୍ରଦେଶ ନେଇଥିଲେ । ସେଠାରେ ବିକ୍ରି କରିବା ସମୟରେ ଏହି ସୁନାଶଙ୍ଖ ନକଲି ବୋଲି ସେ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶୁକ ଦାସ ।"

ଏହା ବି ପଢନ୍ତୁ...୭ ଲକ୍ଷ ଟଙ୍କାର ସୁନା ଶଙ୍ଖ ଠକେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମାମଲା ରୁଜୁ ପରେ ନବରଙ୍ଗପୁର ଜିଲ୍ଲା ଏସପି ଏସ. ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ SDPO ଆଦିତ୍ୟ କୁମାର ସେନ, ପାପଡାହାଣ୍ଡି ଆଇଆଇସି ଦୀପକ କୁମାର ଜେନା ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ପୋଲିସର ଏହି ସ୍ୱତନ୍ତ୍ର ଟିମ ସେହି ଗ୍ରାମକୁ ଯାଇ ମନ ବିଷୋୟୀଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଠାରୁ ପୋଲିସ ୮୧ ହଜାର ଟଙ୍କା ଜବତ କରିଛି । ଏଥିରେ ସମ୍ପୃକ୍ତ ଅନ୍ୟ 4 ଅଭିଯୁକ୍ତ ଫେରାର ଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ସେପଟେ ମନ ବିଷୋୟୀକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ସୁନା ଶଙ୍ଖ କାରବାରର ଚେର କେତେ ଦୂର ଲମ୍ବିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଜିଲ୍ଲାରେ ଏଭଳି ସୁନା ଶଙ୍ଖ ବିକ୍ରି ଘଟଣାର ପର୍ଦ୍ଦାଫାସ କରି ବହୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତଥାପି ନକଲି ସୁନାଶଙ୍ଖ କାରବାରରେ ରୋକ୍ ଲାଗୁନି।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.