ETV Bharat / state

୩୦ ଫୁଟ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍; ୧୫ ଆହତ

author img

By

Published : Jul 11, 2023, 12:17 PM IST

Updated : Jul 11, 2023, 2:08 PM IST

ଟ୍ରକ ସହ ଧକ୍କା ହୋଇ ୩୦ ଫୁଟ ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍ । ୧୫ ଜଣ ଆହତ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ବସ୍ ଦୁର୍ଘଟଣା
ମୟୂରଭଞ୍ଜରେ ବସ୍ ଦୁର୍ଘଟଣା

ମୟୂରଭଞ୍ଜରେ ବସ୍ ଦୁର୍ଘଟଣା

ରାଇରଙ୍ଗପୁର: ମୟୂରଭଞ୍ଜରେ ବସ୍ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ଫଳରେ ଭାରସାମ୍ୟ ହରାଇ ଘାଟିରୁ ୩୦ ଫୁଟ ତଳକୁ ଖସି ପଡ଼ିଲା ବସ୍ । ଆଜି ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ଅନ୍ତର୍ଗତ କରଞ୍ଜିଆ-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଭୁବନେଶ୍ବରକୁ ଯାଉଥିଲା ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ଯାମଦା ବସଷ୍ଟାଣ୍ଡରୁ ସାଇ ଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍ ଗତକାଲି ରାତିରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ବସ୍ ମହୁଲଡିହା ଥାନା ପାରି ହେବା ପରେ ୫୩ ନଂ ରାଜ୍ୟ ରାଜପଥ କରଞ୍ଜିଆ-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟି ଦେଇ ଆଗକୁ ବଢୁଥିଲା । ହେଲେ ଗତକାଲି ବିଳମ୍ବିତ ରାତି ପାଖାପାଖି ୧.୩୦ ସମୟରେ ପଛ ପଟୁ ଏକ ଚାଉଳ ବୋଝେଇ ଟ୍ରକ୍‌ ବସକୁ ଧକ୍କା ଦେଇଥିଲା । ଯାହାଫଳରେ ଟ୍ରକ୍‌ ଘାଟିରେ ରାସ୍ତା କଡ଼କୁ ଖସି ପଡ଼ିଥିବା ବେଳେ ସାଇ ଶଙ୍କର ବସ୍ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଓଲଟି ପଡିଥିଲା ।

ଏହାମଧ୍ୟ ପଢନ୍ତୁ: କେନାଲକୁ ଖସିଲା ବରଯାତ୍ରୀ ବସ୍: ୭ ଜଣଙ୍କ ପ୍ରାଣହାନି, ଏକାଧିକ ଗୁରୁତର

ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଏ ସମ୍ପର୍କରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ସମସ୍ତ ଗୁରୁତର ଓ ଆହତମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲକୁ ଅଣା ଯାଇଥିଲା । ସମସ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗୁରୁତରଙ୍କ ମଧ୍ୟରୁ ଜଣକୁ କଟକ ସ୍ଥାନାନ୍ତରିତ କରାଯାଇଛି । ସୌଭାଗ୍ୟବଶତଃ କାହାର ପ୍ରାଣହାନି ହୋଇନି । ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ଲିଭିଲା 6 ଜୀବନ ଦୀପ

ପ୍ରକାଶ ଥାଉକି, କିଛି ଦିନ ହେଲା ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ତିନି ଦିନ ତଳେ ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଗୋଟିଏ ବସ୍ ଭାରସାମ୍ୟ ହରାଇ ରେଳ ଲାଇନକୁ ମାଡ଼ି ଯାଇଥିଲା । ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ଜଣେ ଯାତ୍ରୀ ଆହତ ହୋଇଥିଲେ । ଏହାର କିଛି ଦିନ ପୂର୍ବରୁ ବାଲେଶ୍ବରର ତାମୂଳିଆ ଓଭରବ୍ରିଜରେ ଦୁଇଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ଉଭୟ ବସର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jul 11, 2023, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.