ETV Bharat / state

ମୟୂରଭଞ୍ଜରେ ପକ୍ଷୀ ଗଣନା ଆରମ୍ଭ, ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ

author img

By ETV Bharat Odisha Team

Published : Jan 11, 2024, 8:14 AM IST

Migratory bird census: ଆଜିଠାରୁ ମୟୂରଭଞ୍ଜ ଜିଲ୍ଲାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି । ବନଖଣ୍ଡର ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ପକ୍ଷୀ ଗଣନା କରାଯାଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ପକ୍ଷୀଗଣନା
ପକ୍ଷୀଗଣନା

ପକ୍ଷୀଗଣନା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ବୁଧବାରଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆ ସମେତ ଏହି ଚାରି ଗୋଟି ବନଖଣ୍ଡ ଅଧିନସ୍ଥ ସମସ୍ତ ବଡ଼ ବଡ଼ ଜଳଭଣ୍ଡାର ଓ ଆଦ୍ର ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ କରାଯାଇଛି । ପ୍ରାୟ ୧୦୦ରୁ ଅଧିକ ସ୍ଥାନରେ ଗଣନା କାର୍ଯ୍ୟ ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ଶୀତ ଋତୁ ଚାଲୁଥିବା କାରଣରୁ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବାର ଦେଖାଯାଇଛି । ପ୍ରବଳ ବରଫପାତ ଯୋଗୁଁ ସାଇବେରିଆନ ଅଞ୍ଚଳରେ ଥିବା ପକ୍ଷୀ ସବୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି । ଏହିସବୁ ବିଦେଶୀ ପକ୍ଷୀ ମୟୂରଭଞ୍ଜ ଜିଲ୍ଲାର ବାଙ୍କବଳ, ସୁଲେଇପାଟ, ରାଜାବନ୍ଧ, ଜମ୍ଭୀରା, ହଳଦିଆ, ବଡ଼ଯୋଡ, ନେସା ଓ କାଳ ଡ଼୍ୟାମ ଭଳି ବୃହତ ଜଳାଶୟଗୁଡିକରେ ଖାଦ୍ୟ ଅନ୍ବେଷଣରେ ଆସି ଆଶ୍ରୟ ନେଇଥାନ୍ତି । ଏହି ବୃହତ ଜଳାଶୟ ଗୁଡିକରେ ଲିଟିଲ କାର୍ବୋରେଣ୍ଟ, ଗଡ଼ୱାଲ, ହୁଇସିଲ ବାର୍ଡ ଓ ଲଫାଙ୍ଗ ପରି ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ସବୁ ଦେଖିବାକୁ ମିଳିଥାଏ ।

ଏଥି ସହିତ ବିଭିନ୍ନ ପ୍ରଜାତିର ଘରୋଇ ପକ୍ଷୀ ମଧ୍ୟ ଶହ ଶହ ସଂଖ୍ୟାରେ ଦେଖିବାକୁ ମିଳିଥାଏ । ସମସ୍ତ ପ୍ରଜାତିର ପକ୍ଷୀମାନଙ୍କ ଗତିବିଧି ଉପରେ ନଜର ରଖିବା ସହିତ କେତେ ସଂଖ୍ୟାରେ ପକ୍ଷୀ ଆସିଛନ୍ତି ସେ ସବୁର ଗଣନା କାର୍ଯ୍ୟ ବନ ବିଭାଗ ପକ୍ଷରୁ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ପକ୍ଷୀ ଗଣନା, ୩ଟି ବ୍ଲକରେ ୨୦ ଟିମ୍ ନିୟୋଜିତ

ବନ ବିଭାଗର ବନାଞ୍ଚଳ ଅଧିକାରୀ, ଫରେଷ୍ଟର, ପକ୍ଷୀ ଗବେଷକ ଓ ସ୍ବତନ୍ତ୍ର ତାଲିମ ପ୍ରାପ୍ତ ବନ ବିଭାଗର କର୍ମଚାରୀଙ୍କ ସହ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୱାଇଲ୍ଡ଼ ଲାଇଫ ବିଭାଗର ଛାତ୍ରଛାତ୍ରୀ ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ପକ୍ଷୀ ଗଣନା କାର୍ଯ୍ୟ ପାଇଁ ବନ ବିଭାଗ ପକ୍ଷରୁ ଜିପିଏସ କ୍ୟାମେରା ଓ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି ।

ବୁଧବାର ପ୍ରଥମ ଦିନରେ ପକ୍ଷୀ ଗଣନା କାର୍ଯ୍ୟ ସମାପନ ପରେ ୧୨୦୦ରୁ ଅଧିକ ପକ୍ଷୀ ଦେଖିବାକୁ ମିଳିଥିଲା । ଯାହାର ସୂଚନା ଦେଇଛନ୍ତି ବାରିପଦା ବନ ବିଭାଗର ଏସିଏଫ ରବି ନାରାୟଣ ମହାନ୍ତି । ସେପଟେ ଆସନ୍ତାକାଲି ମଧ୍ୟ ୧୫୦ରୁ ଊର୍ଦ୍ଧ୍ବ ବନ ବିଭାଗ କର୍ମଚାରୀ ଜିଲ୍ଲାର ଉଦଳା, ବେତନଟୀ, ବାଙ୍ଗିରିପୋଷି ଓ ଦେଉଳୀ ଅଞ୍ଚଳରେ ଥିବା ବୃହତ ଜଳାଶୟ ଓ ଆଦ୍ରସ୍ଥାନ ଗୁଡିକରେ ପକ୍ଷୀ ଗଣନା କରିବେ ବୋଲି ବାରିପଦା ବନଖଣ୍ଡର ଡିଏଫଓ ସନ୍ତୋଷ କୁମାର ଯୋଶୀଙ୍କ ଠାରୁ ସୂଚନା ମିଳିଛି । ତେବେ ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବିଦେଶୀ ପକ୍ଷୀ ଆସିଥିବାର କହିଛି ବନ ବିଭାଗ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.