ETV Bharat / state

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ, 4 ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Nov 26, 2023, 9:55 AM IST

Updated : Nov 26, 2023, 10:01 AM IST

ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ଜାମଦା ପୋଲିସ । ଚାରି ଅଭିଯୁକ୍ତ ଗିରଫ । ଅଧିକ ପଢ଼ନ୍ତୁ

ଚାରି ଅଭିଯୁକ୍ତ ଗିରଫ
ଚାରି ଅଭିଯୁକ୍ତ ଗିରଫ

4 ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ଜାମଦା ପୋଲିସ । ଘଟଣାରେ ସମ୍ପୃକ୍ତ 4 ଅଭିଯୁକ୍ତ ଗିରଫ । ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଗତ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର କରା ଯାଇଥିଲା । ତଦନ୍ତରୁ ମୃତ ମହିଳା ଜଣକ ଜାମଦା ଥାନା ରୁମାପାହାଡି ଗ୍ରାମର ସ୍ବର୍ଗତ ଗଣେଶ୍ୱର ମହାନ୍ତଙ୍କ ସ୍ତ୍ରୀ ତଅପୋଇ ମହାନ୍ତ ବୋଲି ପରିଚୟ ମିଳି ପାରିଥିଲା । ଏନେଇ ରାଇରଙ୍ଗପୁର ଏସଡିପିଓ ଓ ଜାମଦା ଥାନା ଅଧିକାରିଣୀ ମିନତୀ ନାଏକ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲେ ।

ତେବେ ଘଟଣାସ୍ଥଳରୁ ଜୋତା, ଶାଢ଼ୀ, ଚୁଡ଼ି ଜବତ କରିଥିଲା ପୋଲିସ । ପୋଲିସ ଏହି ହତ୍ୟା ଘଟଣାର ତଦନ୍ତ ଚଳାଇଥିବା ବେଳେ କୁଦାହାନସା ଗ୍ରାମର ବିଶେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତି ମୃତ ମହିଳା ତଅପୋଇଙ୍କ ଘରକୁ ଦୀର୍ଘ ବର୍ଷ ଧରି ଯିବା ଆସିବା କରୁଥିବା ଗାଁ ସାହି ପଡିଶାଙ୍କ ନିକଟରୁ ଜାଣିବାକୁ ପାଇଥିଲା ପୋଲିସ । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ କୁଦାହାନସା ଗ୍ରାମର ବିଶେଶ୍ୱର ବେହେରା ଓ ତାଙ୍କ ପୁଅ ରାକେଶର ହାତ ଥିବା ସନ୍ଦେହ କରି ଉଭୟ ବାପ ଓ ପୁଅକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିଲା ।

ଏହାମଧ୍ୟ ପଢନ୍ତୁ.. ମା’ ଝିଅ ମୃତ୍ୟୁର ଖୋଲିଲା ରହସ୍ୟ, ନାଗସାପ ଛାଡି ହତ୍ୟା କରିଥିଲା ସ୍ବାମୀ

ତେବେ ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ହତ୍ୟା କରା ଯାଇଥିବା ପୋଲିସ ସୂଚନା ଦେଇଛି । ବିଶେଶ୍ବର ବେହେରା ତଅପୋଇ ମହାନ୍ତଙ୍କ ଠାରୁ ବିଭିନ୍ନ ସମୟରେ ବାରମ୍ବାର ଟଙ୍କା ମାଗି ନେଉଥିଲେ। ତେବେ ଟଙ୍କା ଦେବାକୁ ମନା କରିବାରୁ ତଅପୋଇ ଜୀବନରୁ ମାରି ଦେବାକୁ ବିଶେଶ୍ବର ଯୋଜନା କରିଥିଲା । ଯୋଜନା ମୁତାବକ ନଭେମ୍ବର ୧୦ ତାରିଖ ଶୁକ୍ରବାର ଦିନ ତଅପୋଇ ରାଇରଙ୍ଗପୁର ସ୍ଥିତ ସାପ୍ତାହିକ ହାଟକୁ ଆସିଥିବା ବେଳେ ସନ୍ଧ୍ୟା ସମୟରେ ତାଙ୍କୁ ସେଠାରୁ ଡାକି ନେଇଥିଲେ ବିଶେଶ୍ବର ।

ଏହାପରେ ବିଶେଶ୍ବର ଓ ତାଙ୍କ ପୁଅ ଅନ୍ୟ ଦୁଇ ଜଣ ଯୁବକଙ୍କ ସହଯୋଗରେ ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରେ ତଅପୋଇଙ୍କ ତଣ୍ଟିକୁ ଏକ ଗାମୁଛା ସାହାଯ୍ୟରେ ଚିପି ହତ୍ୟା କରିଥିଲେ । ଓ ପରିଚୟ ନଷ୍ଟ କରିବାକୁ ପଥର ସାହାଯ୍ୟରେ ତପୋଇଙ୍କ ମୁହଁକୁ ଛେଚି ଛେଚି ବିଗାଡି ଦେଇ ଜଙ୍ଗଲରେ ଫୋପାଡି ଦେଇଥିଲେ ।

ପଚରାଉଚରା ବେଳେ ଉଭୟ ବାପ ଓ ପୁଅ ଏହା ପୋଲିସ ନିକଟରେ ସ୍ବୀକାର କରିବା ପରେ ହତ୍ୟା ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ସହଯୋଗୀଙ୍କୁ ଜାମଦା ଥାନା ଅଧିକାରିଣୀ ମିନତୀ ନାଏକ ଗିରଫ କରିଛନ୍ତି। ତେବେ ଗିରଫ ହୋଇଥିବା ସମସ୍ତ ଚାରିଜଣ ଅଭିଯୁକ୍ତ ହେଲେ ଜାମଦା ଥାନା କୁଦାହାନସା ଗ୍ରାମର ବିଶେଶ୍ୱର ବେହେରା ଓ ତାଙ୍କ ପୁଅ ରାକେଶ ବେହେରା ଏବଂ ସେମାନଙ୍କ ସହଯୋଗୀ ରାଜେଶ ଦାସ ଓ ଲାଲଟୁ ଦାସ । ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରୁ ସମସ୍ତଙ୍କୁ ରାଇରଙ୍ଗପୁର ଉପକାରାଗାରକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Nov 26, 2023, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.