ETV Bharat / state

300 ଲୋକଙ୍କ ଶେଷ ଭରସା ଦୂଷିତ ଚୂଆ ପାଣି, ଶୁଣୁନି ପ୍ରଶାସନ

author img

By

Published : Mar 14, 2023, 4:57 PM IST

ମାଲକାନଗିରିର ପାପରମେଟଲା ପଞ୍ଚାୟତର ତୋଟାଗୁଡା ଗ୍ରାମବାସୀଙ୍କ ପିଇବା ପାଣି ସମସ୍ୟା । ଦୂଷିତ ଚୂଆ ପାଣି ହିଁ ସେମାନଙ୍କ ଏକମାତ୍ର ସାହା ଭରସା । ଅଧିକ ପଢନ୍ତୁ

ଖରା ଆରମ୍ଭରୁ ଜଳ କଷ୍ଟ
drinking water problem

ଖରା ଆରମ୍ଭରୁ ଜଳ କଷ୍ଟ

ମାଲକାନଗିରି: ଘରେଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ପୁଳାପୁଳା ଯୋଜନା । ହେଲେ ବାସ୍ତବରେ ଏହି ଯୋଜନା ଲୋକଙ୍କ କାମରେ ଆସୁନି । ଖରାଦିନ ଆସିଲେ ଅନେକ ସ୍ଥାନରେ ଦେଖାଦିଏ ଜଳ ଯନ୍ତ୍ରଣା। ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ସ୍ଵାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତର ତୋଟାଗୁଡା ଗ୍ରାମବାସୀଙ୍କୁ ପିଇବା ପାଇଁ ବିଶୁଦ୍ଧ ପାଣି ମୁନ୍ଦାଏ ମିଳି ପାରୁନି । ଫଳରେ ବାଧ୍ୟ ହୋଇ ଏମାନେ ଦୂଷିତ ଚୂଆ ପାଣି ପିଉଛନ୍ତି ।

ଗାଁରେ ୩୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗାଁରେ ରହିଛି ୩ଟି ନଳକୂପ ଓ ଗାଁ ସ୍କୁଲରେ ଗୋଟିଏ ସୋଲାର ବୋରୱେଲ୍ ପାଣିଟାଙ୍କି ।ହେଲେ ସେଥିମଧ୍ୟରେ ଦୁଇଟି ନଳକୂପରେ ପାଣି ନଥିବାରୁ ଅଚଳ ହୋଇ ପଡିରହିଛି । ସେହିପରି ଅନ୍ୟ ବୋରିଙ୍ଗରେ ଗୋଳିଆ ପାଣି ବାହାରୁଛି , ଆଉ ରହିଲା ସ୍କୁଲରେ ଥିବା ସୋଲାର ବୋରୱେଲ୍ ପାଣିଟାଙ୍କି ସେଠି ଯଦି ସ୍କୁଲ ପ୍ରଧାନ ଶିକ୍ଷକ ରୁହନ୍ତି ତାହା ହେଲେ ବେଳେବେଳେ କିଛିଲୋକ ଭଲ ପାଣି ମୁନ୍ଦେ ପାଇଯାନ୍ତି। ଏଣୁ ତୋଟାଗୁଡା ଗ୍ରାମର ଲୋକମାନେ ପାଣି ପାଇଁ ଗାଁ ମୁଣ୍ଡରେ ଥିବା ଚୁଆ ଉପରେ ଭରସା କରିଛନ୍ତି ଏବଂ ସେହି ପାଣି ନେଇ ପିଉଛନ୍ତି ।

ଖରା ହେଉ କି ବର୍ଷା ରାତି ପାହିଲେ ପ୍ରଥମେ ଚିନ୍ତା କରିବାକୁ ପଡେ ପାନୀୟ ଜଳ ପାଇଁ । ଏଣୁ ପାନୀୟ ଜଳ ଅଭାବରୁ ଗୋଳିଆ ଚୁଆଁ ପାଣି ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ସେହିପରି ଯଦି ସଖାଳୁ କିଏ ଯାଇ ଚୂଆ ନିକଟରେ ପହଞ୍ଚେ ତ ସେ କିଛି ସଫା ପାଣି ପାଇଯାଏ । କିନ୍ତୁ ଚୂଆ ନିକଟରେ ମହିଳା ମାନଙ୍କ ଭିଡ ହେବା ପରେ ଚୂଆ ରୁ ପାଣି କାଢିବା ସମୟରେ ପାଣି ଗୋଳିଆ ହୋଇ ଯାଏ ଓ ଦୂଷିତ ହୋଇ ଯାଏ । ଯାହା ଫଳରେ ମହିଳାଙ୍କ ମଧ୍ଯରେ ଝଗଡା ହେବାର ନଜରକୁ ଆସିଛି । ଫଳରେ ଶେଷରେ ସେହି ପାଣିକୁ ଘରକୁ ନେଇ ରୋଷେଇ ବାସ କରିବା ସହ ସେହି ପାଣିକୁ ପିଉଛନ୍ତି ଗ୍ରାମବାସୀ । ଯାହାଦ୍ବାରା ସେମାନଙ୍କ ଦେହ ଖରାପ ହେଉଛି ବୋଲି ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ-କମୁଛି ପ୍ରପାତ ସୁନ୍ଦରୀର ଜଳ ଧାରଣ କ୍ଷମତା, ଜଳକଷ୍ଟ ଭୋଗୁଛନ୍ତି ଦେବଗଡବାସୀ

ତେବେ ଖରାଦିନ ପୁର୍ବରୁ ପାଣିର ସମସ୍ୟା ଦେଖା ଦେଉଥିବା ବେଳେ ଖରା ହେଲେ ପିଇବା ପାଣି ମିଳିବା ବହୁ କଷ୍ଟ । ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଓ ଚିତ୍ରକୁଣ୍ଡା ବିଡିଓ ଙ୍କୁ ବାରମ୍ବାର ଜଣାଇଲେ ମଧ୍ଯ ସେମାନଙ୍କ କଥାକୁ କେହି ବି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମବାସୀଙ୍କ ପିଇବା ପାଣିର ସମସ୍ୟା ଅଭିଯୋଗ ପରେ ଗ୍ରାମ୍ଯ ଜଳଯୋଗାଣ ଓ ପରିମଳ ବିଭାଗ ମାଲକାନଗିରି ନିର୍ବାହି ଯନ୍ତ୍ରୀଙ୍କୁ ପଚାରି ଆଲୋଚନା କରିଥିଲୁ । ଏନେଇ ସେ କହିଛନ୍ତି ଖରାପ ବୋରିଙ୍ଗ ଗୁଡିକ ମରାମତି କାମ ଆରମ୍ଭ କରାଯାଇଛି । ଏଥି ସହ ଯେଉଁ ଜାଗାରେ ସମସ୍ୟା ରହିଛି କାମ ଆରମ୍ଭ ନେଇ ତଳ ଶ୍ରେଣୀର କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.