ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର

author img

By

Published : Sep 16, 2022, 11:52 AM IST

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର

କୋରାପୁଟ ରିଡାଲ ଗାଁରେ ସଡ଼କ ଦୁର୍ଘଟଣା । ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା କୋରାପୁଟ ରିଡାଲ ଗାଁରେ ଘଟିଛି । ଅଧିକ ପଢନ୍ତୁ

କୋରାପୁଟ: ଦୁଇଟି ମଟର ସାଇକେଲ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଅଘଟଣ ଘଟିଛି କୋରାପୁଟ ରିଡାଲ ଗାଁରେ । ମୃତବ୍ୟକ୍ତି ଜଣକ ହେଲେ ଗାଦବାପଡା ଗ୍ରାମର ଜଗନ୍ନାଥ ଖିଲ । ଅନ୍ୟ ତିନିଜଣ ଗୁରୁତରଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଲାମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାନୁସାରେ ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକର ବାଲିକୁଣ୍ଡା ଗ୍ରାମର ବିବେକ ମୁଦୁଲି ଅନକାଡେଲିରେ ହାଟ ସାରି ଘରକୁ ଫେରୁଥିଲେ । ସେହି ସମୟରେ ବିପରୀତ ଦିଗରୁ ଜଗନ୍ନାଥ ତାଙ୍କ ୪ ବର୍ଷର ଝିଅ ଏବଂ ସମ୍ପର୍କୀୟ ବାବୁଲା ହଞ୍ଜରିଆ, ଗୋପୀ ଖିଲ ସହ ଆସୁଥିବା ସମୟରେ ରିଡାଲ ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ତେବେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ଜଗନ୍ନାଥ ବହୁ ଦୂରକୁ ଛିଟିକି ହୋଇ ପଡ଼ିଥିଲେ । ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲେ ଲୋକେ । ଏହାପରେ ଜଗନ୍ନାଥ ଓ ତାଙ୍କ ଝିଅ ଏବଂ ସମ୍ପର୍କୀୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲା କୁନି ଝିଅ ଏବଂ ସମ୍ପର୍କୀୟ । ଏମାନଙ୍କୁ ଅନକାଡେଲିରେ ପ୍ରାଥମିକ ଚିକିତ୍ସା ପରେ ଲମତାପୁଟ ସ୍ଥାନାନ୍ତରିତ କରାଯାଇଛି । ସ୍ବାମୀକୁ ହରାଇ ଧର୍ଯ୍ୟହରା ହୋଇ ପଡ଼ିଛି ସ୍ତ୍ରୀ । ଘରେ ଏକମାତ୍ର ରୋଜଗାରିଆ ଲୋକ ଥିଲେ ଜଗନ୍ନାଥ । ପରିବାରର ବୋଝ ବୋହୁଥିଲେ । ହେଲେ ଏବେ ବେସାହାରା ହୋଇଯାଇଛି ପୁରା ପରିବାର ।

ସେପଟେ ଝିଅକୁ ଗୁରୁତର ଅବସ୍ଥାରେ ଦେଖି ମାଆ ଚେତା ହରାଇ ପଡୁଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ । ସକାଳୁ ଘରୁ ବାପ, ଝିଅ ଭଲରେ ଯାଇଥିଲେ । ହେଲେ ଘରକୁ ଫେରିଲା ସ୍ବାମୀର ମୃତଦେହ । ସ୍ବାମୀକୁ ହରାଇ ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । ମୁଣ୍ଡ ଉପରେ ଛିଡି ପଡିଛି କଳାବାଦଲ । କିଏ ବା ଜାଣିଥିଲା ଆଜି ଜଗନ୍ନାଥ ଆଉ ଘରକୁ ଫେରିବେନି ବୋଲି । ସବୁ କିଛି ବୁଝିବା ଆଗରୁ ସ୍ତବ୍ଦ ହୋଇଯାଇଛି ଅଞ୍ଚଳ । ଅନ୍ୟପକ୍ଷରେ ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିଛି । ଏହାସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.