ETV Bharat / state

ପ୍ରାକୃତିକ ରଙ୍ଗ ଭରା ହସ୍ତତନ୍ତ ବସ୍ତ୍ର ହବ୍‌ ସାଜିବ କୋରାପୁଟ, ସ୍ବାବଲମ୍ବୀ ହେବେ ଆଦିବାସୀ ଯୁବତୀ

author img

By

Published : Aug 7, 2023, 9:26 PM IST

କଫି ପରେ ଏବେ ହସ୍ତତନ୍ତ ବସ୍ତ୍ରର ହବ୍‌ ପାଲଟିବ କୋରାପୁଟ । ଏହାସହ ସ୍ବାବଲମ୍ବୀ ହେବେ କୋରାପୁଟର ଆଦିବାସୀ ଯୁବତୀ । ଏନେଇ ଆରମ୍ଭ ହୋଇଛି ତାଲିମ ପ୍ରକ୍ରିୟା । ଦେଖନ୍ତୁ ଏହି ରିପୋର୍ଟ

natural colour fabric hub
natural colour fabric hub

ପ୍ରାକୃତିକ ରଙ୍ଗ ଭରା ହସ୍ତତନ୍ତ ବସ୍ତ୍ର ହବ୍‌ ସାଜିବ କୋରାପୁଟ

କୋରାପୁଟ: କଫି ପରେ ଏବେ ହସ୍ତତନ୍ତ ବସ୍ତ୍ରର ହବ୍‌ ପାଲଟିବ କୋରାପୁଟ । ପ୍ରାକୃତିକ ରଙ୍ଗ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଖ୍ୟାତି ଅର୍ଜନ କରିବ । ଅବିଭକ୍ତ ଜିଲ୍ଲାର ହସ୍ତତନ୍ତ ଓ କାରିଗରୀକୁ ଫେରାଇ ଆଣିବା ଲାଗି ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଅଣ୍ଟା ଭିଡିଛି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ପ୍ରେଡ । ଲମତାପୁଟ ଓ ବୈପାରିଗୁଡା ବ୍ଳକର 28 ଜଣ ଆଦିବାସୀ ଯୁବତୀଙ୍କୁ ଦିଆଯାଉଛି ହସ୍ତତନ୍ତ ବସ୍ତ୍ର ବୁଣାଯିବାର ତାଲିମ । ସେପଟେ ଫୋକ୍‌ ଭାଇବ୍ସ ପକ୍ଷରୁ କିଛି ମହିଳାଙ୍କୁ ହସ୍ତତନ୍ତ ଶାଢୀରେ ବ୍ୟବହାର ହେଉଥିବା ପ୍ରାକୃତିକ ରଙ୍ଗ ଉତ୍ପାଦନର ତାଲିମ ଦିଆଯାଉଛି । ଏହାରି ସହିତ କୋରାପୁଟରେ ଆଦିବାସୀ ଯୁବତୀଙ୍କ ଦ୍ବାରା ବୁଣାଯାଇଥିବା ଶିଳ୍ପ ଆଗାମୀ ଦିନରେ ବିଶ୍ବ ବଜାରରେ ପହଞ୍ଚିବାକୁ ଯାଉଛି ।

ଜାତିର ପିତା ମହାତ୍ମାଗାନ୍ଧୀ ଚରଖାରେ ସୂତା କାଟିବାକୁ ସ୍ବାଧୀନତା ସଂଗ୍ରାମର ଏକ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିଥିବା ବେଳେ ସ୍ବାଧୀନତାର ଅନେକ ବର୍ଷ ପରେ ବି ଏହା ଲୋକଙ୍କୁ ସ୍ବାଧୀନତା ଓ ସ୍ୱାବଲମ୍ବୀ ହେବାର ବାର୍ତ୍ତାକୁ ନେଇ ପ୍ରଭାବିତ କରୁଛି । ମହାତ୍ମାଗାନ୍ଧୀଙ୍କ 'କୁଟି ଖାଅ, କାଟି ପିନ୍ଧ'ର ଡାକରାକୁ ଅନୁସରଣ କରିଛନ୍ତି ଜିଲ୍ଲାର କିଛି ଆଦିବାସୀ ଯୁବତୀ । । ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ପ୍ରେଡ଼ ଦ୍ୱାରା କୋରାପୁଟ ସହର ଉପକଣ୍ଠରେ ସଂସ୍ଥାର ତାଲିମ କେନ୍ଦ୍ରରେ ଚରଖା, ଅରଟ ଓ ତନ୍ତକୁ ବ୍ୟବହାର କରି କିପରି ଉନ୍ନତମାନର ହସ୍ତତନ୍ତ ବସ୍ତ୍ର ବୁଣାଯାଇପାରିବ ସେ ନେଇ ତାଲିମ ଚାଲିଛି । ଆସନ୍ତା ୧୫ ଦିନ ଧରି ଚାଲିବାକୁ ଥିବା ଏହି ତାଲିମ ଶିବିରରେ ଲମତାପୁଟ ଓ ବୈପାରିଗୁଡା ବ୍ଳକର 28 ଜଣ ଆଦିବାସୀ ଯୁବତୀ ଯୋଗ ଦେଇଥିବା ସ୍ପ୍ରେଡ ସଂସ୍ଥାର ସମ୍ପାଦକ ବିଦ୍ୟୁତ ମହାନ୍ତି ସୂଚନା ଦେଇଛନ୍ତି ।

ଏହି ତାଲିମରେ ଯୋଗ ଦେବା ପୂର୍ବରୁ ଏହି ଯୁବତୀମାନେ ବୈପାରିଗୁଡ଼ାର ରାମଗିରିଠାରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ଓ ସୂତାରେ ରଙ୍ଗ ଦେବାର ତାଲିମ ନେଇସାରିଥିବା ଯୋଗୁଁ ଭବିଷ୍ୟତରେ ହସ୍ତତନ୍ତ ବୁଣି କୋରାପୁଟ ଜିଲ୍ଲାର ଆଦିବାସୀ ଯୁବତୀ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଜାମିନି ପୂଜାରୀ ଆଶାପୋଷଣ କରିଛନ୍ତି । ଜିଲ୍ଲା ଏବେ ପ୍ରାକୃତିକ ରଙ୍ଗ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଖ୍ୟାତି ଅର୍ଜନ କରିବ ବୋଲି ଫୋକ ଭାଇବ୍ସର ନିର୍ଦ୍ଦେଶକ କେ. ଅନୁରାଧା ଆଶା ପୋଷଣ କରିଛନ୍ତି । ବୈପାରିଗୁଡାର ରାମଗିରି ଜଙ୍ଗଲ ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ ସମେତ ବୈପାରିଗୁଡା, ଲସତାପୁଟ, ନନ୍ଦପୁର ଓ କୋରାପୁଟ ବ୍ଲକର 65 ଜଣ ମହିଳାଙ୍କୁ ଏ ନେଇ ପ୍ରତ୍ୟକ୍ଷ ଅନୁଭୂତି ଦିଆଯିବା ସହ ଅନୁଷ୍ଠାନ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ- National Handloom Day: ସାରା ବିଶ୍ବରେ ଚମକୁଛି ଓଡ଼ିଶାର ହସ୍ତତନ୍ତ

ମହିଳାମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ବୃକ୍ଷର ଛାଲି, ପତ୍ର, ଫଳ ଓ ଫୁଲକୁ ସଂଗ୍ରହ କରିବା ସହିତ ସେଗୁଡିକୁ ନେଇ କିପରି ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିହେବ ସେ ସଂକ୍ରାନ୍ତରେ ତାଲିମ ଗ୍ରହଣ କରିଛନ୍ତି । ଏନେଇ ଫୋକ ଭାଇବ୍ସର ନିର୍ଦ୍ଦେଶିକା ଡ. ଅନୁରାଧା କହିଛନ୍ତି, "ଏ ପର୍ଯ୍ୟନ୍ତ କେବଳ ଆଲ ଗଛର ଚେରରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି କୋଟପାଡ଼ ଅଞ୍ଚଳର ବୁଣାକାର ଅନ୍ତର୍ଜାତୀୟ ସ୍ତରରେ ବସ୍ତ୍ର ପ୍ରସ୍ତୁତ କରିବାରେ ସକ୍ଷମ ହୋଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ଆଲ ଚେର ମିଳିବା ଏକ ସମସ୍ୟା ହୋଇଛି । ଅନେକ ସମୟରେ ଏହି ଶିଳ୍ପରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ବଣ ଜଙ୍ଗଲରେ ସାଧାରଣ ଭାବେ ଦେଖାଯାଉଥିବା ଆମ୍ବ, ବିଜା, ସିନ୍ଦୂର ଭଳି ଗଛର ବିଭିନ୍ନ ଅଂଶରୁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରାଯାଇ ପାରୁଥିବା ଯୋଗୁଁ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି କ୍ଷେତ୍ରରେ କୋରାପୁଟ ଜିଲ୍ଲା ରାଜ୍ୟରେ ଅଗ୍ରଣୀ ସ୍ଥାନ ଅଧିକାର କରିବ ।"

କେବଳ ଗ୍ରୀଷ୍ମ ସମୟରେ ୪ ମାସ ଆଲ ଚେରରୁ ରଙ୍ଗ ପ୍ରସ୍ତୁତ କରି କୋଟପାଡରେ ଫୋକ ଭିବ୍ସ ସଂସ୍ଥା ସହଯୋଗରେ ମହିଳାମାନେ ଆଲ ରଙ୍ଗରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ଦେଢ଼ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ବର୍ତ୍ତମାନ ବର୍ଷ ତମାମ ବିଭିନ୍ନ ବୃକ୍ଷରୁ ରଙ୍ଗ ପ୍ରସ୍ତୁତ କରି କୋରାପୁଟ ଜିଲ୍ଲାର ମହିଳା ପ୍ରତ୍ୟେକ ୪ରୁ ପାଞ୍ଚ ଲକ୍ଷ ଟଙ୍କାର ଆୟ କରିପାରିବେ ବୋଲି ଡ. ଅନୁରାଧା କହିଛନ୍ତି । ଫୋକ ଭିବ୍ସର ଏହି ଅଭିନଵ ପ୍ରୟାସ ଯୋଗୁଁ ଗାଁ ଗଣ୍ଡାରେ ଏପର୍ଯ୍ୟନ୍ତ ସିଲେଇ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଥିବା ବୈପାରିଗୁଡାର ମହିଳା ପ୍ରାକୃତିକ ରଙ୍ଗ ପ୍ରସ୍ତୁତିର ତାଲିମ ପାଇବା ସହ ବସ୍ତ୍ର ବୁଣିଵାର ତାଲିମ ପାଇବା ପରେ ଉନ୍ନତମାନର ଆୟ ପାଇବା ସମ୍ଭବ ହେବ ବୋଲି ସ୍ବପ୍ନ ଦେଖିଛନ୍ତି ।

ତାଲିମ ପ୍ରାପ୍ତ ମହିଳାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଫୋକ ଭାଇବ୍ସ ସେମାନଙ୍କୁ ସୂତା ଯୋଗାଇ ଦେବା ସହ ଜାତୀୟ ସ୍ତରରେ ବଜାର ଉପଲବ୍ଧ କରାଇବା ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିବା ଡ. ଅନୁରାଧା କହିଛନ୍ତି । ଅରଟ, ଚରଖା ଓ ତନ୍ତକୁ ବ୍ୟବହାର କରି ବସ୍ତ୍ର ବୁଣିବାର କଳାକୁ ଶିଖିବା ପାଇଁ ଆଦିବାସୀ ଯୁବତୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି ବୋଲି ସୋନପୁରରୁ ଆସି ତାଲିମ ଦେଉଥିବା ତାଲିମଦାତା ମୁକୁନ୍ଦ ମେହେର କହିଛନ୍ତି । ହସ୍ତତନ୍ତ ବୁଣି ଆଦିବାସୀ ଯୁବତୀ ସ୍ବାବଲମ୍ବୀ ହେବେ । ଆଉ ଏହା ସହ କାଳ କାଳ ପର୍ଯ୍ୟନ୍ତ ବଞ୍ଚି ରହିବ ଓଡ଼ିଶାର ସମୃଦ୍ଧ ପରମ୍ପରା, କଳା ଓ କାରିଗରୀ ହସ୍ତତନ୍ତ ବୁଣିବାର ତାଲିମ ପୂର୍ବରୁ ଏଥିରେ ବ୍ୟବହୃତ ପ୍ରାକୃତିକ ରଙ୍ଗ ପ୍ରସ୍ତୁତି ଓ ସୂତାରେ ରଙ୍ଗ ଦେବାର ତାଲିମ ମଧ୍ୟ ନେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.