ETV Bharat / state

ଖାଦ୍ୟରେ ନିଶା ଦେଇ ବୋହୂ ଫେରାର; ପୁଅକୁ ଛାଡ଼ିଦେଇ ଝିଅକୁ ନେଇଗଲେ, ଚିନ୍ତାରେ ପରିବାର

author img

By

Published : Jun 12, 2023, 5:16 PM IST

Updated : Jun 12, 2023, 5:43 PM IST

ଶାଶୁ ଶ୍ୱଶୁରଙ୍କୁ ଖାଦ୍ୟରେ ନିଶା ଦେଇ ଚମ୍ପଟ ମାରିଲା ବୋହୂ । ଘରେ ପୁଅକୁ ଛାଡ଼ି ଯାଇଥିବା ବେଳେ ଝିଅକୁ ନେଇ ଫେରାର ହୋଇଛି । ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ

Woman escaped in Kadaba
Woman escaped in Kadaba

ଖାଦ୍ୟରେ ନିଶା ଦେଇ ବୋହୂ ଫେରାର; ପୁଅକୁ ଛାଡ଼ିଦେଇ ଝିଅକୁ ନେଇଗଲେ, ଚିନ୍ତାରେ ପରିବାର

ଖୋର୍ଦ୍ଧା: ଶାଶୁ ଶ୍ୱଶୁରଙ୍କୁ ଖାଦ୍ୟରେ ନିଶା ଦେଇ ସୁନା ଅଳଙ୍କାର ଓ ଟଙ୍କା ନେଇ ଛୁ ମାରିଛି ବୋହୂ । ଯିବାବେଳେ 7ବର୍ଷର ପୁଅକୁ ଘରେ ଛାଡ଼ିଦେଇ ଯାଇଥିବା ବେଳେ ସାଢ଼େ ତିନି ବର୍ଷର ଝିଅକୁ ସାଙ୍ଗରେ ନେଇ ଯାଇଛି । ଏଭଳି ସଙ୍ଗୀନ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡବ ଗ୍ରାମରୁ ଆସିଛି । ତେବେ ପରିବାର ଗତ ୫ ତାରିଖଠାରୁ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ କଡ଼ବ ଗ୍ରାମର ଚନ୍ଦନ ନାୟକ ୨୦୧୪ ମସିହାରେ କୋତଳାଙ୍ଗ ଗ୍ରାମର ରୁନୁ ନାୟକଙ୍କୁ ଭଲ ପାଇ ବିବାହ କରିଥିଲେ । ବିବାହ ପରେ ସବୁ ଠିକ ଚାଲିଥିଲା । ସେହିପରି ଚନ୍ଦନ ଓ ରୁନୁଙ୍କର ଗୋଟିଏ ୭ ବର୍ଷର ପୁଅ ଓ ସାଢ଼େ ତିନି ବର୍ଷର ଝିଅ ମଧ୍ୟ ଅଛନ୍ତି । ଚନ୍ଦନ ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ପ୍ରତିଦିନ ଘରକୁ ଯିବା ଆସିବା କରନ୍ତି । କିନ୍ତୁ ଗତ ୫ ତାରିଖରେ କୌଣସି କାରଣରୁ ଚନ୍ଦନ ଘରକୁ ଆସିପାରି ନଥିଲେ । ସେହିଦିନ ରାତିରେ ଘରୁ ପଳାୟନ କରିବା ଲାଗି ସୁଯୋଗ ପାଇଥିଲା ପତ୍ନୀ ରୁନୁ ।

ଏହା ବି ପଢନ୍ତୁ- କଲବଲ କରୁଛି ଟାଇଁଟାଇଁ ଖରା, ସାଢେ 11ଟା ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବୋହୂ ରୁନୁ ଖାଦ୍ୟରେ ନିଶା ବଟିକା ଦେଇ ଶାଶୁ ଓ ଶ୍ୱଶୁରଙ୍କୁ ଶୁଆଇ ନିଜ ସାଢ଼େ ତିନି ବର୍ଷର ଝିଅ ସହ ରାତି ଅଧିଆ ଫେରାର ମାରିଥିଲା । ଏପରିକି ଘରେ ଥିବା ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ନେଇ କେଉଁଆଡ଼େ ଚାଲି ଯାଇଥିବା ତାଙ୍କ ଶ୍ବଶୁର ବନ୍ଧୁ ନାୟକ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଏହି ଘଟଣାରେ ଉକ୍ତ ଗ୍ରାମର ପବିତ୍ର ନାୟକ ତାଙ୍କ ବୋହୂକୁ ନେଇ ଚାଲିଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ରୁନୁଙ୍କ ଶ୍ୱଶୁର ବନ୍ଧୁ ନାୟକ । କିନ୍ତୁ ଏହି ଘଟଣାରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଚୁପ ବସିଥିବା ଅଭିଯୋଗ କରିଛନ୍ତି ରୁନୁଙ୍କ ସ୍ବାମୀ ଚନ୍ଦନ ।

ସେପଟେ ରୁନୁ ଯିବା ଦିନଠୁ ଘରେ ଚୁଲି ଜଳୁନଥିବା ବେଳେ ମାଆର ଫଟୋ ଧରି ୭ ବର୍ଷର ପୁଅ ଝୁରି ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସାଢେ ୩ ବର୍ଷର କୁନିଶିଶୁକୁ ନ ଦେଖି ପାଗଳ ପ୍ରାୟ ହୋଇ ପଡ଼ିଛନ୍ତି ଶାଶୁ ଶ୍ବଶୁର । ସବୁ କିଛି ଠିକ ଚାଲିଥିବା ବେଳେ ବୋହୂ ରୁନୁ ଏପରି କାହିଁକି କଲା ତାହା ଜାଣିପାରୁନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି । ମହିଳା ଜଣକ ଶାଶୁ ଶ୍ୱଶୁରଙ୍କୁ ଖାଦ୍ୟରେ ନିଶା ଦେଇ କୁନି ଝିଅକୁ ନେଇ କୁଆଡେ ଗଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି । ତେବେ ରୁନୁ ଓ କୁନି ଝିଅକୁ ଖୋଜି ଆଣିବାକୁ ପୋଲିସ ନିକଟରେ ନିବେଦନ କରିଛନ୍ତି ତାଙ୍କ ପୁଅ ଓ ସ୍ବାମୀ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 12, 2023, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.