ETV Bharat / state

ନବଙ୍କ ପରିବାର ସନ୍ଦେହରେ କିଏ ? କ୍ରାଇମବ୍ରାଞ୍ଚ ଅଣଦେଖା ପଛରେ କେଉଁ ଷଡଯନ୍ତ୍ରକାରୀ

author img

By

Published : Feb 15, 2023, 11:17 AM IST

Updated : Feb 15, 2023, 1:18 PM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ପଛରେ ବଡ ଷଡଯନ୍ତ୍ର ଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ । ସେଥିପାଇଁ କେବଳ ଗୋପାଳ ନୁହେଁ, ବିଭିନ୍ନ ଦିଗରୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାର ଆବଶ୍ୟକତା ଥିବାର ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ 15 ଦିନରୁ ଅଧିକ ସମୟ ବିତିଲାଣି । ଏବେ ବି ହତ୍ୟା ପଛର ରହସ୍ୟ ଖୋଜିପାଉନି କ୍ରାଇମବ୍ରାଞ୍ଚ । ଏହି ହାଇପ୍ରୋଫାଇଲ ହତ୍ୟା ପଛରେ କ'ଣ ରହିଛି କାରଣ ? ରାଜନୈତିକ ଷଡଯନ୍ତ୍ର ନା ବ୍ୟବସାୟିକ ଶତ୍ରୁତା ? ନା ଆଉ କିଛି କାରଣ ରହିଛି ତାହା ଏବେ ବି ରହସ୍ୟମୟ ହୋଇରହିଛି । ଗୋପାଳକୁ ଛାଡି ଦେଲେ କ୍ରାଇମବ୍ରାଞ୍ଚ ପାଖରେ ଆଉ କିଛି ତଥ୍ୟ ନାହିଁ । ଅଭିଯୁକ୍ତର ବୟାନ ଆଧାରରେ ତଦନ୍ତକାରୀ ଟିମ୍ ତଦନ୍ତ ଜାରି ରଖିଛି । ତେବେ କେବଳ ଗୋପାଳର ତଥ୍ୟ ଆଧାରରେ ଅନ୍ଧାରରେ ବାଡି ବୁଲାଇ ଅସଲରେ ଏହି ଘଟଣା ପଛର ଷଡ଼ଯନ୍ତ୍ରକାରୀକୁ ଅଣଦେଖା କରୁଛି କି କ୍ରାଇମବ୍ରାଞ୍ଚ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଅନ୍ୟପଟେ ନବଙ୍କ ଦାଦା ତାଙ୍କର ହତ୍ୟା ପଛରେ ବଡ ଷଡଯନ୍ତ୍ର ଲୁଚି ରହିଥିବାର ସନ୍ଦେହ କରିଛନ୍ତି । ହେଲେ ଏହି ଷଡଯନ୍ତ୍ରକାରୀ କିଏ ଏବଂ ପରିବାର ଲୋକେ କାହାକୁ ସନ୍ଦେହ କରୁଛନ୍ତି, ଏ ଦିଗରେ କ୍ରାଇମବ୍ରାଞ୍ଚ କାହିଁକି ତଦନ୍ତ କରୁନି ବା ନବଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁନି ବୋଲି ବରିଷ୍ଠ ଆଇନଜୀବୀ ପ୍ରଶ୍ନ କରିଛନ୍ତି । ଏନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ସାହୁ କହିଛନ୍ତି, ''ଘଟଣାର ମୂଳକୁ ଯିବା ପାଇଁ ହେଲେ ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସିଏ ତାଙ୍କ ପରିବାର ଲୋକ ହୁଅନ୍ତୁ ଅବା ବ୍ୟବସାୟିକ ସହଯୋଗୀ, ମସସ୍ତଙ୍କୁ ତଦନ୍ତ ପରିସରକୁ ଆଣିବାର ଆବଶ୍ୟକତା ରହିଛି । ଗୋପାଳ ଦାସ ସମେତ ରାଜନୈତିକ, ବ୍ୟବସାୟିକ ଆଦି ପ୍ରତ୍ୟେକ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯିବା ଦରକାର ।''

ଓଡ଼ିଶାରେ ପଲିଗ୍ରାଫ ଓ ନାର୍କୋଟେଷ୍ଟ ଭଳି ସୁବିଧା ଥାଇ ମଧ୍ୟ ଗୁଜୁରାଟରେ ଗୋପାଳର ଟେଷ୍ଟ କରାଯାଇଛି । ଏ ସମ୍ପର୍କରେ ପୂର୍ବତନ ଫରେନସିକ ଏକ୍ସପର୍ଟ ମୁରଲିଧର ନାୟକ କହିଛନ୍ତି, ''ଆଗରୁ ଓଡ଼ିଶାରେ ଅନେକ ପଲିଗ୍ରାଫ ଟେଷ୍ଟ ହୋଇଛି । ହେଲେ ହୁଏତ ତଦନ୍ତକାରୀ ଟିମ୍ ଗୋଟିଏ ଏକ୍ସପର୍ଟ ଜରିଆରେ ଦୁଇଟି ଟେଷ୍ଟ କରିବାକୁ ଚାହୁଁଥାଇପାରନ୍ତି । '' ଅପରପକ୍ଷେ ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ ଜାରି ରହିଥିବାବେଳେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ବିଜେପି ଆନ୍ଦୋଳନ କରୁଛି ।

ପ୍ରକାଶଥାଉ କି, ଗତ ଜାନୁଆରୀ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯିବା ସମୟରେ ତାଙ୍କୁ ଗୁଳି କରିଥିଲା ପୋଲିସ ଏଏସଆଇ ଗୋପାଳ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 15, 2023, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.